ଜିଲ୍ଲାରେ ୨୬ ହଜାର ହେକ୍ଟର ଧାନ, ପରିବା ଫସଲ କ୍ଷତିଗ୍ରସ୍ତ
କ୍ଷୟକ୍ଷତି ଆକଳନ ଶେଷ: ସହୟତା ମିଳିବ କେବେ?
ପୁରୀ (ବୁ୍ୟରୋ): ମହାନଦୀର ଉପର ଓ ତଳ ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ରାଜ୍ୟରେ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହାର ଶାଖା ନଦୀ ଦୟା, ରାଜୁଆ, ମକରା, କୁଶଭଦ୍ରା ଓ ଭାର୍ଗବୀ ନଦୀରେ ପ୍ରବଳ ମାତ୍ରାରେ ଜଳ ପ୍ରବାହିତ ହୋଇଥିଲା । ଏଥିରୁ ଦୟା, ମକରା, ରାଜୁଆ ଓ କୁଶଭଦ୍ରାରେ ୩ଟି ଘାଇ ହେବା ଫଳରେ ପୁରୀ ଜିଲ୍ଲାରେ ୮ଟି ବ୍ଲକ୍ ପ୍ରଭାବିତ ହୋଇଥିଲା । ଏପରିକି ୮ଟି ବ୍ଲକ୍ର ଲକ୍ଷାଧିକ ଲୋକ ଦୀର୍ଘଦିନ ଧରି ଜଳଘେରରେ ରହିଥିଲେ । ଏପରିକି ଗାଁ ଦାଣ୍ଡରେ ମଧ୍ୟ ଲହଡ଼ି ମାରୁଥିଲା । ଅନ୍ୟପକ୍ଷରେ ଅନେକ ଲୋକ ସେମାନଙ୍କ ବାସଗୃହକୁ ଛାଡ଼ି ସେମାନେ ନଦୀବନ୍ଧରେ ଆଶ୍ରୟ ନେଇଥିଲେ । ସେହିଭଳି ଜିଲ୍ଲାରେ ଚାଷୀକୁଳ ହତାଶ ହୋଇପଡ଼ିଛନ୍ତି । ବନ୍ୟାର ପ୍ରକୋପରେ ଜିଲ୍ଲାର ହଜାର ହଜାର ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଯାଇଛି । ଦୀର୍ଘ ଦିନ ଧରି ଧାନ ଜମିରେ ବର୍ଷା ପାଣି ଜମି ରହିଥିବାରୁ ଧାନ ପଚି ସଢ଼ି ନଷ୍ଟ ହୋଇଯାଇଛି । ସେହିପରି ପନିପରିବା ଫସଲ ମଧ୍ୟ ବ୍ୟାପକ ଭାବେ କ୍ଷୟକ୍ଷତି ହୋଇଛି ।
ଜିଲ୍ଲାରେ ବନ୍ୟାର ପ୍ରକୋପ କମିଥିବା ବେଳେ ଏବେ ସରକାରୀ ସହାୟତା ଲାଗି ଚାହିଁ ବସିଛନ୍ତି ଚାଷୀକୁଳ । ସରକାରଙ୍କ ପକ୍ଷରୁ ବନ୍ୟା ବିପନ୍ନଙ୍କ ଲାଗି ୧୫ ଦିନ ପାଇଁ ରିଲିଫ୍ ଘୋଷଣା ହୋଇ ବଣ୍ଟନ କରାଯାଇଥିଲା । ତତ୍ସହିତ ଧାନ ଜମି ଓ ପନିପରିବା କ୍ଷୟକ୍ଷତି ଆକଳନ କରି ରିପୋର୍ଟ ଦେବାକୁ ସରକାରଙ୍କ ପକ୍ଷରୁ ଜିଲ୍ଲାପାଳଙ୍କୁ ନିଦେ୍ର୍ଦଶ ଆସିଛି । ଚଳିତ ବନ୍ୟାରେ ଜିଲ୍ଲାର ୮ଟି ବ୍ଲକ୍ କ୍ଷତିଗ୍ରସ୍ତ ହୋଇଥିବାବେଳେ ମୋଟ ୨୬,୭୮୧.୨୦ ହେକ୍ଟର ଧାନ ଜମି କ୍ଷତିଗ୍ରସ୍ତ ହୋଇଛି । ମୋଟାମୋଟି ଭାବେ ୨୫,୧୧୭.୭୧ ହେକ୍ଟର ଜମି ୩୩% କ୍ଷତି ହୋଇଥିବା ବିଭାଗୀୟ ସୂତ୍ରରୁ ପ୍ରକାଶ ।
ଜିଲ୍ଲାର ଡେଲାଙ୍ଗ, କଣାସ ଓ ନିମାପଡ଼ା ବ୍ଲକ୍ର ଅଧିକ ଚାଷଜମି ନଷ୍ଟ ହୋଇଛି । ଜିଲ୍ଲାର ସତ୍ୟବାଦୀ ବ୍ଲକ୍ରେ ୧୦୧୫ ହେକ୍ଟର ଚାଷଜମି କ୍ଷତିଗ୍ରସ୍ତ ହୋଇଥିବା ବେଳେ ପୁରୀ ସଦର ବ୍ଲକ୍ ୮୫୩ ହେକ୍ଟର, ଡେଲାଙ୍ଗ ବ୍ଲକ୍ର ୭୭୨୩.୯୪ ହେକ୍ଟର, କଣାସ ବ୍ଲକ୍ର ୫୧୨୫.୯୫ ହେକ୍ଟର, ପିପିଲି ବ୍ଲକ୍ ୧୭୨୬.୩୧ ହେକ୍ଟର, ନିମାପଡ଼ା ବ୍ଲକ୍ର ୬୭୫୬ ହେକ୍ଟର, ଗୋପ ବ୍ଲକ୍ର ୩୧୨୩ ହେକ୍ଟର ଓ ଅସ୍ତରଙ୍ଗ ବ୍ଲକ୍ର ୪୨୮ହେକ୍ଟର ଜମି ଜଳମଗ୍ନ ହୋଇ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି । ଫଳରେ ବନ୍ୟାରେ ଜିଲ୍ଲାର ମୋଟ ୨୬ହଜାର ହେକ୍ଟର ଚାଷ ଜମି ନଷ୍ଟ ହୋଇଥିବାବେଳେ ଏବେ ଏହାକୁ ନେଇ ଚିନ୍ତାରେ ରହିଛନ୍ତି କ୍ଷତିଗ୍ରସ୍ତ ଚାଷୀ । ସରକାରଙ୍କ ନିଦେ୍ର୍ଦଶକ୍ରମେ ଜିଲ୍ଲାପ୍ରଶାସନ ପକ୍ଷରୁ କ୍ଷତିଗ୍ରସ୍ତ ରିପୋର୍ଟ ପ୍ରଦାନ କରାଯାଇଥିବା ବେଳେ ସହାୟତା କେବେ ମିଳିବ ତାହା ଉପରେ ଚାଷୀକୁଳଙ୍କ ନଜର ।