୪୧ ଲକ୍ଷ ଚାଷୀଙ୍କୁ ମିଳିବ କାଳିଆ ଟଙ୍କା
ମୁଖ୍ୟମନ୍ତ୍ରୀଙ୍କ ନୂଆଖାଇ ଭେଟି
ଭୁବନେଶ୍ୱର, ୩୦ା୮ (ବୁ୍ୟରୋ): କୃଷିଭିତ୍ତିକ ଗଣପର୍ବ ନୂଆଖାଇରେ ଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଡ଼ ଭେଟି ଦେଇଛନ୍ତି । ନୂଆଖାଇରେ ଚାଷୀଙ୍କୁ କାଳିଆ ସହାୟତା ମିଳିବ । ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇରେ ସମଗ୍ର ରାଜ୍ୟର ଚାଷୀଙ୍କୁ କାଳିଆ ଟଙ୍କା ଦେବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି । ପ୍ରତ୍ୟେକ ଚାଷୀଙ୍କ ଆକାଉଣ୍ଟକୁ ୨ ହଜାର ଟଙ୍କା ଲେଖାଏଁ ପଠାଇବେ ରାଜ୍ୟ ସରକାର ।
ରାଜ୍ୟର ୪୧ ଲକ୍ଷ ଚାଷୀ ଏହି ସହାୟତା ପାଇବେ । ଏଥିପାଇଁ ମୋଟ ୮୬୯ କୋଟି ଟଙ୍କା ଦିଆଯିବ । କ୍ଷୁଦ୍ର, ନାମମାତ୍ର ଓ ଭାଗଚାଷୀଙ୍କୁ ମଧ୍ୟ ମିଳିବ କାଳିଆ ସହାୟତା । ଚାଷୀଙ୍କ ସାମାଜିକ ଓ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ୨୦୧୯ ଜାନୁଆରୀରୁ ଆରମ୍ଭ ହୋଇଛି କାଳିଆ ଯୋଜନା । ଗରିବ ଚାଷୀଙ୍କୁ ଆର୍ଥିକ ସହାୟତା ବାବଦକୁ କାଳିଆ ଟଙ୍କା ଦେଇ ଆସୁଛନ୍ତି ସରକାର । ପୂର୍ବରୁ ୭ଥର କାଳିଆ ଟଙ୍କା ମିଳିଥିବାବେଳେ ନୂଆଖାଇରେ ୮ମ ଥର ପାଇଁ କାଳିଆ ଟଙ୍କା ଦେବେ ରାଜ୍ୟ ସରକାର ।
ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୧୯ ରେ ଚାଳିଆ ଯୋଜନା ଆରମ୍ଭ ହୋଇଥିଲା । ପ୍ରଥମେ ଦୁଇଟି କିସ୍ତିରେ ୫ ହଜାର ଲେଖାଁଏ ବାର୍ଷିକ ୧୦ ହଜାର ଟଙ୍କା ଦିଆଯାଇଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ଏହାକୁ ଦୁଇଟି କିସ୍ତିରେ ୨ ହଜାର କରି ବାର୍ଷିକ ୪ ହଜାରକୁ ହ୍ରାସ କରାଯାଇଥିଲା । ଇତିମଧ୍ୟରେ ୭ଟି ପର୍ଯ୍ୟାୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ୯ ହଜାରରୁ ଊର୍ଦ୍ଧ୍ୱ କୋଟି ଟଙ୍କାର ସହାୟତା ରାଶି ବଣ୍ଟାଯାଇଛି । ଏବେ ଅଷ୍ଟମ ପର୍ଯ୍ୟାୟରେ ପ୍ରାୟ ୮୬୯ କୋଟି ଟଙ୍କା ବଣ୍ଟାଯିବ । କୃଷି କ୍ଷେତ୍ରରେ ଅର୍ଥ ବିନିଯୋଗ ଏବଂ କୃଷକଙ୍କର ନିରାପତ୍ତା ରାଜ୍ୟରେ ଦାରିଦ୍ର୍ୟ ଦୂରୀକରଣ ଏବଂ ସମୃଦ୍ଧିର ଧାରାକୁ ତ୍ୱରାନ୍ୱିତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ।