୧ଠ ଫୁଟ ତଳକୁ ଖସିଲା: ଜଣେ ମୃତ, ୧୫ ଆହତ
ଅସୁରକ୍ଷିତ ଯାତ୍ରା: ଗୋଟିଏ ଅଟୋରେ ୧୫ ଯାତ୍ରୀ
ଫୁଲବାଣୀ (ବୁ୍ୟରୋ): ଦାରିଙ୍ଗବାଡ଼ି ବ୍ଲକ୍ ବୁଡ଼ାଗୁଡ଼ା ପଞ୍ଚାୟତରୁ ଆଧାର କାର୍ଡ ସଂଶୋଧନ କରିବାକୁ ସୀମନବାଡ଼ି ଯାଉଥିବା ବେଳେ ଏକ ଅଟୋ ଦୁର୍ଘଟଣାଗ୍ରସ୍ତ ହୋଇ ଜଣଙ୍କର ମୃତୁ୍ୟ ହୋଇଥିବାବେଳେ ୪ ଜଣ ଗୁରୁତର ହୋଇଛନ୍ତି । ଅତ୍ୟଧିକ ଲୋକ ନେଇଥିବାରୁ ଅଟୋଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଅଟୋଟି ଟପେରେଙ୍ଗା ଗ୍ରାମରୁ ବାହାରି ବୁଡ଼ାଗୁଡ଼ା ଦେଇ ସୀମନବାଡ଼ି ବାହାରି ଥିଲା । ପ୍ରଥମେ ଅଟୋରେ ଛୋଟ ପିଲା ସମେତ ୧୧ ଜଣ ବସିଥିଲେ । ନେଡ଼ିପାଙ୍ଗା ଛକଠାରୁ ଆଉ ୪ଜଣ ବସିବା ପରେ ସେଠାରୁ ମାତ୍ର ଦୁଇଶହ ମିଟର ଗଲା ପରେ ରାସ୍ତାରୁ ସିଧା ୧୦ ଫୁଟ ତଳକୁ ଖସିଥିଲା ଅଟୋ । ଅଟୋରେ ବସିଥିବା ସମସ୍ତ ଯାତ୍ରୀଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ବୁଡ଼ାଗୁଡା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ ।୪ ଜଣଙ୍କ ଅବସ୍ଥା ଗୁରୁତ୍ୱର ଥିବାରୁ ସେମାନଙ୍କୁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ବାବୁଲା ପ୍ରଧାନଙ୍କ ଅବସ୍ଥା ଅତି ଗୁରୁତର ଥିବାରୁ ତାଙ୍କୁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ରେଫର କରାଯାଇଥିଲା । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ବୁଡ଼ାଗୁଡ଼ା ଚିକିତ୍ସାଲୟରେ ଡାକ୍ତର ନ ଥିବାରୁ ଆହତମାନେ ଛୋଟ ଛୁଆଙ୍କୁ ଧରି ବାରଣ୍ଡାରେ ପଡ଼ିରହିଥିଲେ । ଅଟୋରେ ଛୋଟ ଛୁଆଙ୍କ ସମେତ ଗର୍ଭବତୀ ମହିଳା ଓ ବୃଦ୍ଧ ମଧ୍ୟ ଥିଲେ । ଡାକ୍ତରଖାନାରେ ଡାକ୍ତର ବଦ୍ରି ପ୍ରସାଦ ରାଓ ଅନୁପସ୍ଥିତ ଥିବାରୁ କିଛି ସମୟ ପାଇଁ ସେଠାରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା ।