ବଢ଼ୁଛି ତାତି, ଆସୁଛି ଲଘୁଚାପ!
ଭୁବନେଶ୍ୱର, ୩୦ା୮ (ବୁ୍ୟରୋ): ରାଜ୍ୟରେ ତାତି ବଢ଼ୁଛି । ଗତ ୨୪ ଘଣ୍ଟାରେ ରାଜ୍ୟର ୧୦ ସହରରେ ପାରଦ ୩୫ ଡିଗ୍ରୀ ତଥା ତା’ଠୁ ଊଦ୍ଧ୍ୱର୍ରେ ରହିଛି । ଚାନ୍ଦବାଲୀରେ ସର୍ବାଧିକ ପାରଦ ୩୬.୨ ଡିଗ୍ରୀ ରେକର୍ଡ ହୋଇଥିବାବେଳେ ନିଷ୍କ୍ରିୟ ମୌସୁମୀ ସହ ତାତି ବଢ଼ୁଥିବାରୁ ଉପକୂଳବର୍ତ୍ତୀ ଜିଲ୍ଲାରେ ପ୍ରଚୁର ଗୁଳୁଗୁଳି ଅନୁଭୂତ ହେଉଛି । ମୌସୁମୀ ନିମ୍ନ ଚାପରେଖା ତାର ସାଧାରଣ ଅବସ୍ଥାନଠାରୁ ଉତ୍ତରରେ ଆଗାମୀ ୫ ଦିନ ଯାଏ ଅବସ୍ଥାନ କରିବାର ସମ୍ଭାବନା ରହିଛି । ତେଣୁ ଏହି ଅବଧି ଯାଏ ମୌସୁମୀ ପ୍ରବାହ ଦୁର୍ବଳ ସହ ସ୍ଥାନେସ୍ଥାନେ ବିକ୍ଷିପ୍ତ ବର୍ଷା ହେବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ଦୁର୍ବଳ ମୌସୁମୀ ଓ ବଢ଼ୁଥିବା ଗୁଳୁଗୁଳି ସକାଶେ ରାଜ୍ୟର ଏକାଧିକ ଜିଲ୍ଲାରେ କାଳବୈଶାଖି ଆଶଙ୍କା ପ୍ରକାଶ ପାଇଛି । ବିଶେଷ କରି ଉପକୂଳବର୍ତ୍ତି ଜିଲ୍ଲାଗୁଡ଼ିକରେ ବର୍ଷା ଆଶଙ୍କା ଥିବାରୁ ଗଶେଷ ଚତୁର୍ଥୀ ଫିକାେ ପଡ଼ିବ ବୋଲି ଆଶଙ୍କା ପ୍ରକାଶ ପାଇଛି ।
ସେପଟେ ଅଗଷ୍ଟ ପରି ସେପ୍ଟେମ୍ବରରେ ମଧ୍ୟ ଏକାଧିକ ଲଘୁଚାପ ସୃଷ୍ଟି ହେବା ନେଇ ପାଣିପାଗ ବିଶେଷଜ୍ଞ ଆଶଙ୍କା କରିଛନ୍ତି । ସେପ୍ଟେମ୍ବରରେ ପାଖାପାଖି ୩ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଥିବା ବରିଷ୍ଠ ପାଣିପାଗ ବିଜ୍ଞାନୀ ତଥା ଆକ୍ୱୁ୍ୟ ୱେଦର ପାଣିପାଗ ସଂସ୍ଥାର ବିଜ୍ଞାନୀ ଜାସନ ନିକୋଲସ ପୂର୍ବାନୁମାନ କରିଛନ୍ତି । ଏଥିପାଇଁ ପାଗ ଅନୁକୂଳ ରହିଛି । ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ହେବାର ସମ୍ଭାବନା ରହିଥିବା ନିକୋଲସ୍ କହିଛନ୍ତି । ଏ ନେଇ ଭାରତୀୟ ପାଣିପାଗ କେନ୍ଦ୍ର ପକ୍ଷରୁ କୌଣସି ସ୍ପଷ୍ଟିକରଣ ଦିଆଯାଇନାହିଁ ।
ଅନ୍ୟପଟେ ମୌସୁମୀ ଦୁର୍ବଳ ହେବା ପରେ ଅଧିକ ବିଜୁଳି ଘଡ଼ଘଡ଼ି ସୃଷ୍ଟି ହେବା ପାଇଁ ପରିସ୍ଥିତି ଅନୁକୂଳ ରହୁଛି । ତେଣୁ ଲୋକଙ୍କୁ ସତର୍କତା ଅବଲମ୍ବନ କରିବାକୁ ପାଣିପାଗ କେନ୍ଦ୍ର ପରାମର୍ଶ ଦେଇଛି । ୩୧ ତାରିଖ ଅର୍ଥାତ୍ ଆସନ୍ତାକାଲି ରାଜ୍ୟର ବିଭିନ୍ନ ସ୍ଥାନରେ ଏହି ସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି । ବିଶେଷ କରି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ସୁନ୍ଦରଗଡ଼, କେନ୍ଦୁଝର, ମୟୁରଭଞ୍ଜ, ଅନୁଗୁଳ, ଢ଼େଙ୍କାନାଳ, ବୌଦ୍ଧ, କନ୍ଧମାଳ ଓ କଳାହାଣ୍ଡିରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ଏହାକୁ ଦୃଷ୍ଟିରେ ରଖି ଏହି ଜିଲ୍ଲାଗୁଡ଼ିକ ପାଇଁ ପାଣିପାଗ କେନ୍ଦ୍ର ୟେଲୋ ଆଲର୍ଟ ଜାରି କରିଛି ।
ସୂଚନାଯୋଗ୍ୟ, ସାଧାରଣତଃ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ନ ହେବା ପର୍ଯ୍ୟନ୍ତ ମୌସୁମୀ ସ୍ୱାଭାବିକ ଅବସ୍ଥାକୁ ଫେରି ନ ଥାଏ । ମାତ୍ର ଆସନ୍ତା ସପ୍ତାହେ ମଧ୍ୟରେ ବଙ୍ଗୋପସାଗରରେ କୌଣସି ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ନାହିଁ । ତେଣୁ ଏହି ସ୍ଥିତି ଲାଗି ରହିବା ଆଶଙ୍କା କରାଯାଉଛି । ମୌସୁମୀ ଜନିତ ବର୍ଷା ନ ହେଲେ ମଧ୍ୟ ଗରମ ଗୁଳୁଗୁଳି ଯୋଗୁଁ ବିଭିନ୍ନ ସମୟରେ ଉପରବେଳା ବିଜୁଳି ଘଡ଼ଘଡ଼ି ଜନିତ ବର୍ଷା ହେବାର ଆଶଙ୍କା ରହିଛି ।