କ୍ଷମତା ନିଶାରେ ବୁଡ଼ିଛ
କେଜରିୱାଲଙ୍କୁ ଅନ୍ନା ହଜାରେଙ୍କ ତାଚ୍ଛଲ୍ୟପୂର୍ଣ୍ଣ ଚିଠି
ନୂଆଦିଲ୍ଲୀ (ଏଜେନ୍ସି): ଦିଲ୍ଲୀରେ ଅବକାରୀ ନୀତିକୁ ନେଇ ବିଜେପି ଏବଂ କ୍ଷମତାସୀନ୍ ଆମ୍ ଆଦ୍ମୀ ପାର୍ଟି ମଧ୍ୟରେ ବାକ୍ୟୁଦ୍ଧ ଜାରି ରହିଛି । ଏସବୁ ମଧ୍ୟରେ ଦେଶର ବିଶିଷ୍ଟ ସମାଜସେବୀ ଆନ୍ନା ହଜାରେ ଆମ୍ ଆଦ୍ମୀ ପାର୍ଟି (ଆପ୍) ନେତା ତଥା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଏକ ଚିଠି ଲେଖିଛନ୍ତି ।
ଚିଠିରେ ଆନ୍ନା ଦିଲ୍ଲୀ ସରକାରଙ୍କ ନୂଆ ଅବକାରୀ ନୀତିକୁ ନିନ୍ଦା କରିବା ସହ କେଜରିୱାଲଙ୍କୁ ମଦ୍ୟପାନ ସହ ଜଡିତ ସମସ୍ୟା ସମ୍ପର୍କରେ କେତେକ ପରାମର୍ଶ ଦେଇଛନ୍ତି । ଚିଠିରେ ଆନ୍ନା ହଜାରେ ଲେଖିଛନ୍ତି “ଯେଉଁ କେଜରିୱାଲ ରାଜନୀତିକୁ ଆସିବା ପୂର୍ବରୁ ଦେଶକୁ ମଦମୁକ୍ତ କରିବା ଉପରେ ‘ସ୍ୱରାଜ’ ନାମକ ଏକ ପୁସ୍ତକ ରଚନା କରିଥିଲେ, ଯେଉଁ ପୁସ୍ତକରେ ମଦ ପିଇବା ଦ୍ୱାରା ହେବାକୁ ଥିବା ଅନେକ ସମସ୍ୟା ସମ୍ପର୍କରେ ନିଜେ ଉଲ୍ଲେଖ କରିଥିଲେ ସେହି କେଜରିୱାଲ ଆଜି ମଦ ଭଳି ନିଶାସାମଗ୍ରୀର ବିକ୍ରିକୁ ସାର୍ବଜନୀନ କରିବା ପାଇଁ ଚେଷ୍ଟା ଚଳାଇଛନ୍ତି । ନୂଆ ଅବକାରୀ ନୀତି ଆଳରେ ମଦ୍ୟପାନ ଏବଂ ମଦ ବିକ୍ରୟକୁ ଉତ୍ସାହିତ କରୁଛନ୍ତି । ନିଜ ରଚିତ ପୁସ୍ତକରେ ଉଲ୍ଲେଖ କରିଥିବା ନୀତି ଆଦର୍ଶକୁ ରାଜନୀତି ଆଳରେ କେଜରିୱାଲ ଭୁଲିଯାଇଛନ୍ତି । ଯେପରି ମଦଗ୍ରସ୍ତ ବ୍ୟକ୍ତି ନିଶାରେ ବୁଡ଼ି ରହିଥାନ୍ତି ଠିକ୍ ସେହିପରି କେଜରିୱାଲ ଏବେ କ୍ଷମତା ନିଶାରେ ବୁଡିଯାଇଛନ୍ତି । ଏପରିକି ଯେଉଁ ଲୋକପାଳ, ଲୋକାୟୁକ୍ତ ଆଇନ୍ ପାଇଁ ସେମାନେ ଦିନେ ଏକଜୁଟ୍ ହୋଇ ସ୍ୱର ଉତ୍ତୋଳନ କରୁଥିଲେ ଆଜି ସେହି ଆଇନ୍କୁ ମଧ୍ୟ କେଜରିୱାଲ ମୁଖ୍ୟମନ୍ତ୍ରୀ ହେବା ପରେ ପାଶୋରି ଯାଇଛନ୍ତି । ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ।”
ଅନ୍ୟପକ୍ଷେ କେଜରିୱାଲ, ଆନ୍ନାଙ୍କ ଚିଠି ଉପରେ ପ୍ରତିକ୍ରିୟା ଦେଇ କହିଛନ୍ତି ବିଜେପି, ସବୁଆଡୁ ଚେଷ୍ଟା କରିବା ସତ୍ତ୍ୱେ ଆପ୍କୁ ଭାଙ୍ଗିବାରେ ଏବଂ ବଦନାମ୍ କରିବାକୁ ଚଳାଇଥିବା ଚେଷ୍ଟାରେ ବିଫଳ ହେବା ପରେ ଏବେ ଆନ୍ନାଙ୍କ କାନ୍ଧରେ ବନ୍ଧୁକ ରଖି ଚଳାଇବା ଆରମ୍ଭ କରିଛି । ବିଜେପିକୁ ଏବେ ଦେଶବାସୀ ତଥା ଦିଲ୍ଲୀବାସୀ ବିଶ୍ୱାସ କରୁନଥିବାରୁ ଆନ୍ନାଙ୍କ ମାଧ୍ୟମରେ ଆପ୍କୁ ବଦନାମ୍ କରିବାକୁ ବିଜେପି ଷଡଯନ୍ତ୍ର କରୁଛି ।