ମହିଳା ସଶକ୍ତୀକରଣରେ ନିଗମର ପଦକ୍ଷେପ ପ୍ରଶଂସନୀୟ
ବ୍ରହ୍ମପୁର (ବୁ୍ୟରୋ): ଚଳିତ ବର୍ଷ ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ୨ଦିନିଆ ସ୍ୱାୟତ ଶାସନ ଦିବସ ପାଳନ କରାଯାଉଛି । ମଙ୍ଗଳବାର ପ୍ରଥମ ଦିନରେ ମହାନଗର ନିଗମ ସମ୍ମିଳନୀ କକ୍ଷରେ ମେୟର ସଂଘମିତ୍ରା ଦଳେଇଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏକ ବର୍ଣ୍ଣାଢ଼୍ୟ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଦକ୍ଷିଣାଞ୍ଚଳ ଆଇଜି ସତ୍ୟବ୍ରତ ଭୋଇ ଯୋଗଦେଇ ମହିଳା ସଶକ୍ତୀକରଣ ପାଇଁ ମହାନଗର ନିଗମ ପକ୍ଷରୁ ନିଆଯାଇଥିବା ପଦକ୍ଷେପକୁ ପ୍ରଶଂସା କରିଥିଲେ । ସହରକୁ ସରସ ସୁନ୍ଦର କରିବା ଦିଗରେ ସମସ୍ତ ବିଭାଗର ଅଧିକାରୀଙ୍କ ସହ ସମନ୍ୱୟ ରକ୍ଷାକରି କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ ତରଫରୁ ପ୍ରସ୍ତୁତ ଦ୍ରବ୍ୟ ଅନ୍ଲାଇନ୍ରେ ବିକ୍ରି କରାଯାଉଥିବା ବେଳେ ବର୍ତ୍ତମାନ ନିଗମ ପରିସରରେ ୧୦ଟି ଷ୍ଟଲ୍ ଖୋଲାଯାଇ ବିକ୍ରି ପାଇଁ ମିନା ବଜାରକୁ ଅତିଥିମାନେ ଉଦ୍ଘାଟନ କରିଥିଲେ । । ସ୍ୱତନ୍ତ୍ର ଅତିଥି ଭାବେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଓ ସମ୍ମାନିତ ଅତିଥି ଭାବେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ଯୋଗ ଦେଇଥିଲେ । ଏହି ଅବସରରେ ନିଗମ ଅଞ୍ଚଳର ୧୦୩ଟି ସ୍ୱୟଂ ସହାୟିକା ଗୋଷ୍ଠୀକୁ ୩କୋଟି ୭ଲକ୍ଷ ୯୦ହଜାର ଟଙ୍କାର ଋଣ ବଣ୍ଟନ କରାଯାଇଥିଲା । ପ୍ରଥମଥର ପାଇଁ ପୁରୁଷ ସ୍ୱୟଂ ସହାୟକ ଗୋଷ୍ଠୀକୁ ମଧ୍ୟ ଏଥିରେ ସାମିଲ୍ କରାଯାଇଥିଲା । ବିଧାୟକ ହାତ ପାଣ୍ଠିରୁ କିଣାଯାଇଥିବା ୨ଟି ଶବବୁହା ଗାଡ଼ିକୁ ମଧ୍ୟ ଅତିଥିମାନେ ଉଦ୍ଘାଟନ କରିଥିଲେ । ମହାନଗର ନିଗମ କମିଶନର ଜେ.ସୋନାଲ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଡେପୁଟି ମେୟର ଇ.ବିବେକ ରେଡ୍ଡି, ଅତିରିକ୍ତ କମିଶନର ନୀଳମାଧବ ଭୋଇ ପ୍ରମୁଖ ମଞ୍ଚାସୀନ ଥିଲେ । ବରିଷ୍ଠ ଗୋଷ୍ଠୀ ସଂଯୋଜିକା ଗୀତାଞ୍ଜଳି ସାମନ୍ତରାୟ, ସ୍ମିତା ଦାସ ସଂଯୋଜନା କରିଥିଲେ । କାର୍ଯ୍ୟକ୍ରମରେ ନିଗମର ସମସ୍ତ କର୍ପୋରେଟର ଓ ବିଭିନ୍ନ ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟସଦସ୍ୟା ଉପସ୍ଥିତ ଥିଲେ । ଅପରାହ୍ନରେ ନିଗମର ବିଭିନ୍ନ ୱାର୍ଡରେ ପ୍ରାୟ ୧୪କୋଟି ଟଙ୍କାର ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଉଦ୍ଘାଟନ କରାଯାଇଛି । ଏଥିରେ ସାଂସଦ, ବିଧାୟକ, ମେୟର, ଡେପୁଟି ମେୟରଙ୍କ ସହ ସମ୍ପୃକ୍ତ ଅଞ୍ଚଳର କର୍ପୋରେଟର, ବିଜେଡି ନେତା ସୁବାଷ ମହାରଣାଙ୍କ ସହ ଭୀମସେନ ଦଳେଇ, ନିଗମ ଯନ୍ତ୍ରୀ ବସନ୍ତ କୁମାର ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ ।