ଆଜାଦଙ୍କ ସମର୍ଥନରେ ଇସ୍ତଫା ଦେଲେ ୬୪ ନେତା

ଜମ୍ମୁ-କାଶ୍ମୀରରେ କଂଗ୍ରେସକୁ ବଡ଼ ଝଟ୍କା
ଶ୍ରୀନଗର(ଏଜେନ୍ସି): ଜମ୍ମୁ-କାଶ୍ମୀରରେ କଂଗ୍ରେସକୁ ମଙ୍ଗଳବାର ଏକ ଜୋରଦାର ଝଟ୍କା ଲାଗିଛି । ନିକଟରେ କଂଗ୍ରେସରୁ ଇସ୍ତଫା ଦେଇଥିବା ୭୩ ବର୍ଷୀୟ ବରିଷ୍ଠ ନେତା ଗୁଲାମନବୀ ଆଜାଦଙ୍କ ସମର୍ଥନରେ ପ୍ରଦେଶର ପ୍ରାୟ ୬୪ଜଣ ନେତା ଦଳରୁ ସାମୂହିକ ଭାବେ ଇସ୍ତଫା ଦେଇଛନ୍ତି । ଏମାନେ ସମସ୍ତେ ଆଜାଦଙ୍କ ଉପସ୍ଥିତିରେ ଦଳୀୟ ହାଇକମାଣ୍ଡ ତଥା ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ମିଳିତ ଇସ୍ତଫାନାମା ପ୍ରଦାନ କରିଛନ୍ତି । ଏସମ୍ପର୍କରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମଧ୍ୟ ଏହି ନେତାମାନେ ନିଜ ନିଜ ଇସ୍ତଫା ସମ୍ପର୍କରେ ଘୋଷଣା କରିଛନ୍ତି ।
ଇସ୍ତଫା ଦେଇଥିବା ନେତାଙ୍କ ମଧ୍ୟରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତାରା ଚନ୍ଦ, ପୂର୍ବତନ ମନ୍ତ୍ରୀ ମାଜିଦ ୱାନି, ମନୋହର ଲାଲ ଶର୍ମା, ଘାରୁ ରାମ, ବଲୱାନ୍ ସିଂହଙ୍କ ଭଳି ବଡ଼ ବଡ଼ ନେତା ସାମିଲ ଅଛନ୍ତି । ଏହି ସମସ୍ତ ନେତା ରବିବାର ଆଜାଦଙ୍କ ନେତୃତ୍ୱାଧିନ ନୂତନ ଦଳରେ ସାମିଲ ହେବେ ବୋଲି ସୂଚନା ମିଳିଛି । କଂଗ୍ରେସରେ ଅସନ୍ତୁଷ୍ଟ ହୋଇ ନେତାମାନେ ଏଭଳି ପଦକ୍ଷେପ ଗ୍ରହଣ କରିଥିବା ଚର୍ଚ୍ଚା ହେଉଛି । ତେବେ ଇସ୍ତଫା ଦେଇଥିବା ନେତାମାନେ କହିଛନ୍ତି ଯେ, ଆଜାଦ୍ଙ୍କ ନେତୃତ୍ୱରେ ସେମାନେ ଜମ୍ମୁ କାଶ୍ମୀରର ଏକ ଉଜ୍ୱଳମୟ ଭବିଷ୍ୟତର ଝଲକ୍ ଦେଖିବାକୁ ପାଉଛନ୍ତି । ଏଥପାଇଁ ସେମାନେ ମିଳିତ ଭାବେ ଆଜାଦ୍ଙ୍କ ସହ ବାଟ ଚାଲିବାକୁ ନିଷ୍ପତ୍ତି ନେଇଛନ୍ତି । ପ୍ରକାଶ, ଆଜାଦ୍ ଗତ ଶୁକ୍ରବାର ଦିନ କଂଗ୍ରେସ ସହ ଦୀର୍ଘ ୫ଠ ବର୍ଷର ସମ୍ପର୍କକୁ ତୁଟାଇଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *