ପିଲାଙ୍କୁ ସିଲାବସ୍ ସହ ସାମାଜିକ ଶିକ୍ଷା ଦିଅ
ବେସରକାରୀ ସହାୟକ ଡିଗ୍ରୀ କଲେଜରେ ୨୭୪ ଅଧ୍ୟାପକଙ୍କୁ ନିଯୁକ୍ତି
ଭୁବନେଶ୍ୱର, ୩୦ା୮ (ବୁ୍ୟରୋ): ରାଜ୍ୟ ଅଣ-ସରକାରୀ ସହାୟକ ଡିଗ୍ରୀ କଲେଜରେ ପ୍ରାୟ ୨୭୪ ଅଧ୍ୟାପକ ଯୋଗ ଦେଇଛନ୍ତି । ସେଥିମଧ୍ୟରୁ ୧୫୬ ଜଣ ଇଂରାଜୀରେ, ୧୧୭ ଜଣ ରାଜନୀତି ବିଜ୍ଞାନ ଏବଂ ଜଣେ ଗଣିତରେ ଯୋଗ ଦେଇଛନ୍ତି । ଲୋକ ସେବା ଭବନର ରାଜ୍ୟ ସମ୍ମିଳନୀ କେନ୍ଦ୍ରରେ ଆୟୋଜିତ ଏକ ଇନଡକ୍ସନ୍ କାର୍ଯ୍ୟକ୍ରମରେ ଭର୍ଚୁଆଲ୍ ପ୍ଲାଟଫର୍ମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, କଲେଜ ଶିକ୍ଷାର ଉନ୍ନତି ତଥା ଆମର ଉଚ୍ଚଶିକ୍ଷା ଇକୋ-ସିଷ୍ଟମକୁ ବୃଦ୍ଧି କରିବାରେ ସମସ୍ତ ଶିକ୍ଷକଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ । କେବଳ ସିଲାବସରେ ଛାତ୍ରଙ୍କ ଜ୍ଞାନକୁ ସୀମିତ ନକରି ସାମାଜିକ ଶିକ୍ଷାକୁ ମଧ୍ୟ ଗରୁତ୍ୱ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବ ନିଯୁକ୍ତ ଅଧ୍ୟାପକଙ୍କୁ ପରାମର୍ଶ ଦେଇଥିଲେ । ରାଜନୀତି ବିଜ୍ଞାନ ଶିକ୍ଷକମାନେ ଛାତ୍ରଛାତ୍ରାଙ୍କୁ ସମାଜରୁ ଶିଖିବାରେ ଏବଂ ବର୍ତ୍ତମାନର ସମାଜର ପ୍ରକୃତ ସାମାଜିକ-ରାଜନୈତିକ ପ୍ରସଙ୍ଗ ବୁଝିବାରେ ସାହାଯ୍ୟ କରିବେ । ଆମକୁ ‘ସଚେତନ ଏବଂ ପ୍ରତିକ୍ରିୟାଶୀଳ’ ଯୁବକ ଆବଶ୍ୟକ, ଯେଉଁମାନେ ଆମ ଗଣତାନ୍ତ୍ରିକ ବ୍ୟବସ୍ଥାରେ ସମାଜରେ ସକରାତ୍ମକ ପରିବର୍ତ୍ତନ ଆଣିପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଇଂରାଜୀ ଶିକ୍ଷାକୁ ନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଆମକୁ ମଧ୍ୟ ଇଂରାଜୀ ଭାଷାରେ ଗୁଣାତ୍ମକ ଶିକ୍ଷା ଆବଶ୍ୟକ । ଉଚ୍ଚଶିକ୍ଷାରେ ଓଡିଶା ବର୍ତ୍ତମାନ ଏକ ଅଗ୍ରଣୀ ରାଜ୍ୟ । ଏହା ବାସ୍ତବରେ କ୍ରମାଗତ ଭାବରେ ଉଚ୍ଚଶିକ୍ଷାର ଏକ କେନ୍ଦ୍ର ପାଲଟିଛି । ଯେଉଁଥିରେ ବୈଷୟିକ ଜ୍ଞାନକୌଶଳ ଏବଂ ବୃତ୍ତିଗତ ଅନୁଷ୍ଠାନଗୁଡ଼ିକ ରାଜ୍ୟରେ ସେମାନଙ୍କ କେନ୍ଦ୍ର ଖୋଲୁଛନ୍ତି । ତଥାପି, ଯୁବବର୍ଗ ସମାଜକୁ ବୁଝିବା ଏବଂ ସମାଜରେ ପରିବେଶର ପରିବର୍ତ୍ତନର ଆହ୍ୱାନର ସମ୍ମୁଖୀନ ହେବା କୌଶଳ ଶିଖିବା ପାଇଁ ପାରମ୍ପାରିକ ଡିଗ୍ରୀ ଶିକ୍ଷା ଜରୁରୀ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଉଚ୍ଚଶିକ୍ଷାକୁ ଶକ୍ତି ଦେବା ପାଇଁ ରାଜ୍ୟ ସରକାର ଆଗ୍ରହୀ । ଉଭୟ ସରକାରୀ ତଥା ବେସରକାରୀ ସହାୟକ ମହାବିଦ୍ୟାଳୟରେ ଖାଲି ଶିକ୍ଷକ ପଦବୀ ପୂରଣ ପାଇଁ ସରକାର ନିଯୁକ୍ତି ଡ୍ରାଇଭ୍ ଆରମ୍ଭ କରିଛନ୍ତି । ନିୟମିତ ବ୍ୟବଧାନରେ ନିଯୁକ୍ତି ଫଳସ୍ୱରୂପ ଶିକ୍ଷକ-ଛାତ୍ର ଅନୁପାତରେ ବୃଦ୍ଧି ଘଟିଛି । ଟେକ୍ନୋଲୋଜିର ପ୍ରୟୋଗ ସହ ନିଯୁକ୍ତି ପ୍ରକ୍ରିୟା ମଧ୍ୟ ବର୍ତ୍ତମାନ ଦ୍ରୁତ ଏବଂ ସ୍ୱଚ୍ଛ ହୋଇପାରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ନବନିଯୁକ୍ତଙ୍କ ଜ୍ଞାନ ଏବଂ କୌଶଳ ସହ ଅଧ୍ୟାପକମାନେ ଏହି ପବିତ୍ର ବୃତ୍ତିର ସମ୍ମାନ ଏବଂ ପବିତ୍ରତା ରକ୍ଷା କରିବେ ଏବଂ ଆବଶ୍ୟକୀୟ ଲକ୍ଷ୍ୟ ହାସଲ କରିବେ । ରାଜ୍ୟର ଉଚ୍ଚଶିକ୍ଷା ପରିବେଶରେ ଉନ୍ନତି ଆଣିବା ପାଇଁ ତାଙ୍କ ବିଭାଗ ନେଇଥିବା ପଦକ୍ଷେପ ଉପରେ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ ଆଲୋକପାତ କରିଥିଲେ । ଉନ୍ନୟନ କମିଶନର ପି.କେ ଜେନା, ୫ଟି ସଚିବ ଭି.କେ ପାଣ୍ଡିଆନ୍, ମୁଖ୍ୟ ଶାସନ ସଚିବ ସୁରେଶଚନ୍ଦ୍ର ମହାପାତ୍ର, ଉଚ୍ଚଶିକ୍ଷା ସଚିବ ବିଷ୍ଣୁପଦ ସେଠୀ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।