ଝିଲ୍ଲୀ ଓ ଶ୍ରୀୟଙ୍କା ପୁରସ୍କୃତ

ବିଜୁ ପଟ୍ଟନାୟକ କ୍ରୀଡ଼ା ସମ୍ମାନ
ଭୁବନେଶ୍ୱର, ୨୯ା୮ (ବୁ୍ୟରୋ): ସୋମବାର ଜାତୀୟ କ୍ରୀଡା ଦିବସ ଅବସରରେ ଭାରୋତ୍ତୋଳନକାରିଣୀ ଝିଲ୍ଲୀ ଦଳବେହେରା ଓ ସୁଟର ଶ୍ରୀୟଙ୍କା ଷଡଙ୍ଗୀଙ୍କୁ ସମ୍ମାନଜନକ ବିଜୁ ପଟ୍ଟନାୟକ କ୍ରୀଡା ସମ୍ମାନ ପ୍ରଦାନ କରାଯାଇଛି । ଲୋକସେବା ଭବନର କନଭେନସନ୍ ସେଣ୍ଟରରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସମ୍ମାନ ପ୍ରଦାନ କରିଛନ୍ତି ।
ଏହି ଅବସରରେ ପୂର୍ବତନ କ୍ରିକେଟର ଦେବାଶିଷ ମହାନ୍ତିଙ୍କୁ ଲାଇଫ ଟାଇମ ଆଚିଭମେଣ୍ଟ ଆୱାର୍ଡରେ ସମ୍ମାନିତ କରାଯାଇଛି । ସେହିପରି ଶ୍ରେଷ୍ଠ କୋଚିଂ ପାଇଁ ବିଷ୍ଣୁ ପ୍ରସାଦ ମିଶ୍ରଙ୍କୁ ସମ୍ମାନିତ କରାଯାଇଛି । ହକିରେ ଉଲ୍ଲେଖନୀୟ ଅବଦାନ ପାଇଁ ଦୀପଗ୍ରେସ ଏକ୍କାଙ୍କୁ ୫୦ ଲକ୍ଷ ଟଙ୍କା ଓ ଅମିତ ରୋହିଦାସଙ୍କୁ ୭୫ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରାଯାଇଛି । ରାଜ୍ୟ ପାଇଁ ଗୌରବ ଆଣିଥିବା ବଡି ବିଲ୍ଡର ଚନ୍ଦନ କୁମାର ସାହୁ, ପାରା-ଆଥଲେଟ୍ ଜୟନ୍ତୀ ବେହେରା, ବ୍ୟାଡମିଣ୍ଟନ ଖେଳାଳି ଋତୁପର୍ଣ୍ଣା ପଣ୍ଡା, ପାରା-ଆଥଲେଟ୍ ସୁନୀଲ ପ୍ରଧାନ, ରଗବୀ ଖେଳାଳି ମୁନା ମୁର୍ମୁ ଓ ହକି ପାଇଁ ଜାହ୍ନବୀ ପ୍ରଧାନ ପ୍ରମୁଖଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରାଯାଇଛି । ଏହାସହ ଚେସ୍ ପାଇଁ ସାଇନା ସାଲୋନିକାଙ୍କୁ ଦେଢ଼ ଲକ୍ଷ ଟଙ୍କା, ଫୁଟବଲ ଖେଳାଳି ଟଙ୍କଧର ବାଗଙ୍କୁ ୨ ଲକ୍ଷ, ସୌନ୍ଦର୍ଯ୍ୟ ପ୍ରଧାନଙ୍କୁ ୨ ଲକ୍ଷ, ପାରା -ଫେନିସିଂ ପାଇଁ ରମେଶ ରାଓ ୨ ଲକ୍ଷ, ରାଖାଲ ସେଠୀଙ୍କୁ ୨ ଲକ୍ଷ ଓ ମାଳତୀ ପନୱାରୀଙ୍କୁ ୩ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯାଇଛି ।
ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଉଲ୍ଲେଖନୀୟ ଅବଦାନ ପାଇଁ ଧାବିକା ଶ୍ରାବଣୀ ନନ୍ଦ ଓ ଦୂତୀ ଚାନ୍ଦଙ୍କୁ ୭ ଲକ୍ଷ ୫୦ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି । ପର୍ବତାରୋହୀ ସିଦ୍ଧାର୍ଥ ରାଉତରାୟଙ୍କୁ ୩ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ସିଦ୍ଧାର୍ଥ ଅନୁପସ୍ଥିତ ଥିବାରୁ ବାପା ତଥା ଜଟଣୀ ବିଧାୟକ ସୁରେଶ ରାଉତରାୟ ଏହି ପୁରସ୍କାର ଗ୍ରହଣ କରିଥିଲେ । ଏହି ଅବସରରେ କ୍ରୀଡ଼ା ସାମ୍ବାଦିକଙ୍କୁ ମଧ୍ୟ ସମ୍ମାନିତ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କ୍ରୀଡା ସାମ୍ବାଦିକତା ପାଇଁ ବେଣୁଧର ଦାସଙ୍କୁ ପୁରସ୍କାର ଦିଆଯାଇ ଥିବାବେଳେ କ୍ରୀଡାକୁ ପ୍ରୋତ୍ସାହନ ପାଇଁ ରାଉରକେଲା ଷ୍ଟିଲ ପ୍ଲାଂଟକୁ ପୁରସ୍କାର ଦିଆଯାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *