ଓଡ଼ିଶା ହେବ ଶିଳ୍ପାୟନର ହବ୍

୩୧ରେ ନୂଆଦିଲ୍ଲୀ ନିବେଶକ ସମ୍ମେଳନ
ଭୁବନେଶ୍ୱର ୨୯ା୮ (ବୁ୍ୟରୋ) : ଚଳିତ ବର୍ଷ ନଭେମ୍ବର ମାସ ୩୦ ତାରିଖରୁ ଡିସେମ୍ବର ମାସ ୪ ତାରିଖ ଯାଏଁ ରାଜ୍ୟ ସରକାରଙ୍କ ପକ୍ଷରୁ ମେକ୍ ଇନ୍ ଓଡ଼ିଶା କନକ୍ଲେଭ ଅନୁଷ୍ଠିତ ହେବାକୁ ଯାଉଛି । ଏହି କନକ୍ଲେଭକୁ ସଫଳ କରିବା ପାଇଁ ରାଜ୍ୟ ସରକାର ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତି ଚଳାଇଛନ୍ତି । ଏହି କ୍ରମରେ ଆସନ୍ତା ୩୧ ତାରିଖରେ ନୂଆଦିଲ୍ଲୀ ନିବେଶକ ସମ୍ମେଳନ କରୁଛି ଓଡ଼ିଶା । ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିବେଶକ ସମ୍ମେଳନରେ ୧୬ ଦେଶର ପ୍ରତିନିଧିଙ୍କ ସହ କଥା ହେବେ । ଓଡିଶାରେ ପୁଞ୍ଜି ନିବେଶ କଲେ କଣ କଣ ସୁବିଧା ପ୍ରଦାନ କରାଯାଉଛି ସେ ନେଇ ନିବେଶକାରୀଙ୍କୁ ବିସ୍ତୃତ ଭାବରେ ମୁଖ୍ୟମନ୍ତ୍ରୀ ଜଣାଇବେ ବୋଲି କହିଛନ୍ତି ଶିଳ୍ପମନ୍ତ୍ରୀ ପ୍ରତାପ ଦେବ ।
ଏହି କ୍ରମରେ ଆସନ୍ତା ୩୧ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୬ ଦିନିଆ ଦିଲ୍ଲୀ ଗସ୍ତରେ ଯାଉଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତର ପ୍ରଥମ ଦିନରେ ସେଠାରେ ଆୟୋଜିତ ହେବାକୁ ଥିବା ଇନଭେଷ୍ଟର୍ସ ଏଣ୍ଡ ଆମ୍ବାସଡ଼ର ମିଟ୍ ଯୋଗଦେବା ସହ
ଆମେରିକା, ୟୁଏଇ, କତାର, ଓମାନ, ବାହାରିନ୍, ସାଉଦି ଆରବ, ୟୁକେ, ଜର୍ମାନୀ, ଫ୍ରାନ୍ସ, ଇଟାଲୀ, ଲକ୍ସେମବର୍ଗ, ବେଲଜିୟମ, ସିଙ୍ଗାପୁର, ଜାପାନ, ଦକ୍ଷିଣ କୋରିଆ ଏବଂ ଅଷ୍ଟ୍ରେଲିଆ ଭଳି ଦେଶର ପ୍ରତିନିଧିଙ୍କ ସହ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟ ପ୍ରତିନିଧିଗଣ ସିଧାସଳଖ ଆଲୋଚନା କରିବେ । କାର୍ଯ୍ୟକ୍ରମରେ ଉପରୋକ୍ତ ଦେଶଗୁଡ଼ିକର ଶିଳ୍ପପତିଙ୍କୁ ଆଗାମୀ ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ଅଂଶଗ୍ରହଣ କରିବାକୁ ଆମନ୍ତ୍ରଣ କରାଯିବ । କରୋନା କାରଣରୁ ୨ ବର୍ଷ ପରେ ଏହି ନଭେମ୍ବର ମାସ ୩୦ ତାରିଖରୁ ଡିସେମ୍ବର ମାସ ୪ ତାରିଖ ଯାଏଁ ଭୁବନେଶ୍ୱରରେ ମେକ୍ ଇନ୍ ଓଡ଼ିଶା କନକ୍ଲେଭ ଅନୁଷ୍ଠିତ ହେବାକୁ ଯାଉଛି । ମେକ୍ ଇନ୍ ଓଡିଶାର ପ୍ରଥମ ସଂସ୍କରଣ ଦୁବାଇରେ ହୋଇଥିବାବେଳେ ଦ୍ୱିତୀୟ ସଂସ୍କରଣ ଅହମ୍ମଦାବାଦରେ ହୋଇଥିଲା । ଏବେ ତୃତିୟ ସଂସ୍କରଣ ଦିଲ୍ଲୀରେ ହେବାକୁ ଯାଉଛି । ଏହି ନିବେଶ ସଂସ୍କରଣରେ ଦିଲ୍ଲୀ ଆଖପାଖର ଶିଳ୍ପପତିଙ୍କ ସହ ମଧ୍ୟ ମୁଖ୍ୟମନ୍ତ୍ରୀ ଆଲୋଚନା କରିବେ । ଫିକି ଏହି ନିବେଶ ସମାବେଶର ବିଜିନେସ ପାର୍ଟନର ହୋଇଛି । ଅନ୍ୟପଟେ ଦୁବାଇରେ ହୋଇଥିବା ଇନଭେଷ୍ଟର୍ସ ମିଟ୍ରେ ଓଡ଼ିଶା ପାଇଁ ୨୧,୦୦୦ କୋଟି ଟଙ୍କାରୁ ଅଧିକ ପୁଞ୍ଜିନିବେଶ ନେଇ ବାଟ ଫିଟିଛି । ଅନ୍ତର୍ଜାତୀୟ ଶିଳ୍ପ ସଂସ୍ଥା ମେକ ଇନ୍ କନକ୍ଲେଭରେ ଅଂଶଗ୍ରହଣ କରିବା ନେଇ ସେ ସମୟରେ ସମ୍ମତି ପ୍ରଦାନ କରିଥିଲେ । ଆଗାମୀ ଦଶନ୍ଧିରେ ରାଜ୍ୟରେ ମେଟାଲ ଏବଂ ମେଟାଲ ଡାଉନଷ୍ଟ୍ରିମ୍, କେମିକାଲ ଏବଂ ପେଟ୍ରୋକେମିକାଲ୍ସ, ଟେକ୍ସଟାଇଲ୍ସ, ଖାଦ୍ୟ ପ୍ରକ୍ରିୟାକରଣ, ସାମୁଦ୍ରିକ ଖାଦ୍ୟ ପ୍ରକ୍ରିୟାକରଣ, ଇଲେକଟ୍ରୋନିକ୍ସ ସିଷ୍ଟମ ଡିଜାଇନ୍ ଓ ବିପଣନ ଏବଂ ଲଜିଷ୍ଟିକ୍ ଓ କ୍ଲିନ ଏନର୍ଜି ଆଦି କ୍ଷେତ୍ରରେ ରାଜ୍ୟରେ ନିବେଶ ସୁଯୋଗ ସୃଷ୍ଟି କରାଯିବ । ଓଡିଶାରେ ବ୍ୟାପକ ପୁଞ୍ଜି ନିବେଶ ହେଲେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ସହ ବେକାରୀ ସମସ୍ୟା ଦୂର ହେବ ବୋଲି ଶିଳ୍ପମନ୍ତ୍ରୀ ପ୍ରତାପ ଦେବ କହିଛନ୍ତି ।
ନିବେଶକ ସମ୍ମିଳନୀରେ କାର୍ଯ୍ୟକ୍ରମରେ ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ, ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଶିଳ୍ପ ବିଭାଗ ପ୍ରମୁଖ ସଚିବ ହେମନ୍ତ କୁମାର ଶର୍ମା, ଇଡକୋ ଏମ୍ଡି ଭୂପେନ୍ଦ୍ର ସିଂ ପୁନିଆ ଏବଂ ଶିଳ୍ପ ନିଦେ୍ର୍ଦଶକ ମହମ୍ମଦ ସଦ୍ଦିକ ଆଲାମ ପ୍ରମୁଖ ଉପସ୍ଥିତ ରହିବେ । ଏହି କାର୍ଯ୍ୟକ୍ରମ ପରେ ରାଜ୍ୟ ସ୍ୱାର୍ଥ ସମ୍ବଳିତ କେନ୍ଦ୍ର ସରକାରଙ୍କ ନିକଟରେ ପଡି ରହିଥିବା କେତେକ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କେନ୍ଦ୍ର ମନ୍ତ୍ରୀ ଏବଂ ଅଧିକାରୀଙ୍କ ସହ ଆଲୋଚନା କରିବେ । ସେପ୍ଟେମ୍ବର ୫ ତାରିଖରେ ମୁଖ୍ୟମନ୍ତ୍ରୀ ଓଡ଼ିଶା ଫେରିବାର କାର୍ଯ୍ୟକ୍ରମ ରହିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *