୨.ଠ୬ ହଜାର କୋଟିର ପ୍ରକଳ୍ପକୁ ମଞ୍ଜୁରି

ଭୁବନେଶ୍ୱର, ୨୯ା୮ (ବୁ୍ୟରୋ): ସୋମବାର ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଡିଜିଟାଲ ମୋଡ୍ରେ ସିଙ୍ଗିଲ୍ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ୨ ହଜାର ୫ କୋଟି ୮୯ ଲକ୍ଷର ୧୦ଟି ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି । ଫଳରେ ରାଜ୍ୟରେ ୩,୫୪୫ ନୂଆ ନିଯୁକ୍ତି ସୃଷ୍ଟି ହେବ ।
ପ୍ରକଳ୍ପ ଗୁଡିକ ସମ୍ପର୍କରେ ସୂଚନା ଦେଇ ଶିଳ୍ପ ସଚିବ ହେମନ୍ତ ଶର୍ମା କହିଛନ୍ତି ଯେ ମଞ୍ଜୁରୀ ପାଇଥିବା ପ୍ରକଳ୍ପ ଗୁଡିକରେ ମୁଖ୍ୟତଃ ଫାର୍ମାସୁ୍ୟଟିକାଲ, ଫୁଡ୍ ପ୍ରୋସେସିଂ, ପର୍ଯ୍ୟଟନ ଓ ଭିତ୍ତିଭୂମି ଉପରେ ଗୁରୁତ୍ୱ ଦିଆଯାଇଛି ।
ରାଜ୍ୟର ଆଗଧାଡ଼ିର ମିଡିଆ କମ୍ପାନୀ “ରିଏଲ ମିଡିଆ ପ୍ରାଇଭେଟ୍ ଲିମିଟେଡ୍’ ଭୁବନେଶ୍ୱରର ଗୋଠପାଟଣାଠାରେ ଏକ ଔଷଧ ନିର୍ମାଣ କମ୍ପାନୀ ଖୋଲିବ । ଏଥିପାଇଁ କମ୍ପାନୀ ପ୍ରାୟ ୨୦୦କୋଟି ଟଙ୍କା ବ୍ୟୟ କରିବ ଓ ଏଠାରୁ ବାର୍ଷିକ ୧.୬ ବିଲିୟନ ୟୁନିଟ୍ ଔଷଧ ପ୍ରସ୍ତୁତ ହେବ । ସିଙ୍ଗଲୱିଣ୍ଡୋ କ୍ଲିଅରାନ୍ସ ପାଇଥିବା ଅନ୍ୟ ପୁଞ୍ଜିନିବେଶ ପ୍ରସ୍ତାବ ମଧ୍ୟରେ ସାବିତ୍ରୀ ଇଣ୍ଡଷ୍ଟ୍ରିଜ୍ ଲିଃକୁ ଯାଜପୁରର ଦାନଗଦିଠାରେ ୨୦୫.୪୪ କୋଟି ଟଙ୍କା ବ୍ୟୟରେ କାର୍ବନ ଇଲେକ୍ଟ୍ରୋଡ୍ ପେଷ୍ଟ ମ୍ୟାନୁଫାକଚରିଂ ପ୍ଲାଣ୍ଟ (୧ଲକ୍ଷ ମେଟ୍ରିକ ଟନ୍ କ୍ଷମତା ବିଶିଷ୍ଟ) ନିର୍ମାଣ କରିବ । ଜଗତସିଂହପୁରର ପାରାଦୀପଠାରେ ସାଇ ବଲକ୍ ବ୍ୟାଗସ୍ ପ୍ରାଃ ଲିଃ ୧୩୫.୯୫ କୋଟି ଟଙ୍କା ବ୍ୟୟରେ ବାର୍ଷିକ ୧୪୪୦୦୦ ମେଟ୍ରିକ୍ ଟନ୍ କେମିକାଲ (ସଲଫରିକ୍ ଏସିଡ୍) ଓ ୨୪୦୦୦ ମେଟ୍ରିକ ଟନ୍ ଫାଇନ୍ ଫ୍ୟାବ୍ରିକ୍ ପ୍ରସ୍ତୁତ ନିମନ୍ତେ କାରଖାନା ନିର୍ମାଣ କରିବ ।
ସେହିପରି ୟୁନାଇଟେଡ୍ ଫେରୋକାଷ୍ଟ ପ୍ରାଃ ଲିଃ ଦ୍ୱାରା ଯାଜପୁରର ବଡ଼ଚଣାଠାରେ ବାର୍ଷିକ ୦.୧୧ ନିୟୁତ ଟନ୍ ଫେରୋ ଆଲୋୟଜ୍ ପ୍ଲାଣ୍ଟ ନିର୍ମାଣ କରାଯିବ । ଏଥିପାଇଁ କମ୍ପାନୀ ୨୬୧.୧ କୋଟି ଟଙ୍କା ବ୍ୟୟ କରିବ ଓ ୩୭୬ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ । କେନ୍ଦୁଝରର ଝାମ୍ପୁରାରେ ବାର୍ଷିକ ୩ ନିୟୁତ ମେଟ୍ରିକ ଟନ୍ ପେଲେଟ୍ ପ୍ଲାଣ୍ଟ ଓ ୫ ନିୟୁତ ମେଟ୍ରିକ ଟନ୍ ଲୁହାପଥର ବେନିଫିକେସନ୍ ପ୍ଲାଣ୍ଟ ନିର୍ମାଣ ପାଇଁ ବାଲେଣ୍ଟୋ ଏଣ୍ଟରପ୍ରାଇଜେସ୍ ପ୍ରାଃ ଲିଃକୁ ସିଙ୍ଗଲୱିଣ୍ଡୋ ମଞ୍ଜୁରୀ ମିଳିଛି । କମ୍ପାନୀ ଏଥିପାଇଁ ୭୭୫କୋଟି ଟଙ୍କା ନିବେଶ କରିବ ଓ ଏହା ଦ୍ୱାରା ୩୧୪ଜଣଙ୍କୁ ନିଯୁକ୍ତି ସୁଯୋଗ ଯୋଗାଇ ଦେବ ।
ଖୋର୍ଦ୍ଧାର ଡେରାସସ୍ଥିତ ସି’ଫୁଡ୍ ପାର୍କରେ ଚିଙ୍ଗୁଡ଼ି ପ୍ରୋସେସିଂ ୟୁନିଟ୍ ସ୍ଥାପନ ନିମନ୍ତେ ଡିଏନ୍ ସି ସେଲ ପ୍ରାଃ ଲିଃ କମ୍ପାନୀକୁ ୫୦.୪୦କୋଟି ଟଙ୍କା ନିବେଶ କରିବାକୁ ମଞ୍ଜୁରୀ ମିଳିଛି । ଏହା ଦ୍ୱାରା ୪୦୯ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ । ମେ’ ଫେୟାର ହୋଟଲସ ଆଣ୍ଡ ରିସୋର୍ଟକୁ ଗଞ୍ଜାମ ଜିଲ୍ଲାର ଗୋପାଳପୁରସ୍ଥିତ ନିଜର ୟୁନିଟକୁ ସମ୍ପ୍ରସାରଣ କରିବା ପାଇଁ ଅନୁମତି ମିଳିଛି । ମେ’ଫେୟାର ପାମ୍ ବିଚ୍ ରିସୋର୍ଟ ସମ୍ପ୍ରସାରଣ ପାଇଁ କମ୍ପାନୀ ୮୫କୋଟି ଟଙ୍କା ନିବେଶ କରିବ ଓ ଏହା ଦ୍ୱାରା ଅତିରିକ୍ତ ୧୨୦ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ । ସେହିପରି ଯାଜପୁରର ବାଘୁଆପାଳଠାରେ ନରେଶ କୁମାର ଆଣ୍ଡ କୋ ପ୍ରାଃ ଲିଃ ଦ୍ୱାରା ୱେୟାରହାଉସ୍ ତଥା ଲଜିଷ୍ଟିକ୍ ପାର୍କ ସ୍ଥାପନ କରାଯିବ । ଏଥିପାଇଁ ସଂସ୍ଥା ପକ୍ଷରୁ ୧୨୫କୋଟି ଟଙ୍କା ବ୍ୟୟ ହେବ ଓ ୨୦୦ ଲୋକଙ୍କୁ ନିଯୁକ୍ତି ସୁଯୋଗ ମିଳିବ । ରୁନୟା ଆଲୁମିନିୟମ ପ୍ରାଃ ଲିଃ ୮୦କୋଟି ଟଙ୍କା ବ୍ୟୟରେ ଝାରସୁଗୁଡ଼ା ଜିଲ୍ଲାରେ ୫ହଜାର ମେଟ୍ରିକ ଟନ୍ ଆଲୁମିନିୟମ ପାଉଡର ଆଣ୍ଡ ପିଗମେଣ୍ଟ୍ ପ୍ଲାଣ୍ଟ ନିର୍ମାଣ କରିବ । ଏହାଦ୍ୱାରା ୧୨୫ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ ବୋଲି ଜଣାପଡ଼ିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *