ନିର୍ବାଚନ ଘୋଷଣା ପରେ ବି ତୁଟୁନି କଳି

ଅସନ୍ତୋଷ ଝାଡ଼ିଲେ ଜି-୨୩ ନେତା
ନୂଆଦିଲ୍ଲୀ (ଏଜେନ୍ସି): ସର୍ବପୁରାତନ ରାଜନୈତିକ ଦଳ କଂଗ୍ରେସର ଅଧ୍ୟକ୍ଷ ନିର୍ବାଚନ ଅକ୍ଟୋବର ୧୭ରେ ନିର୍ବାଚନ ଅନୁଷ୍ଠିତ ହେବ । ହେଲେ ନିରପେକ୍ଷ ଭାବେ ଦଳ ଭିତରେ ନିର୍ବାଚନ ହେବ ନା’ କେବଳ ଲୋକଦେଖାଣିଆ ପ୍ରକ୍ରିୟା, ତାକୁ ନେଇ ଦ୍ୱନ୍ଦ୍ୱ ଦେଖାଯାଇଛି ।
ନିର୍ବାଚନ ତାରିଖ ଘୋଷଣା ହେଲା ପରେ ମଧ୍ୟ ଅନେକ ବରିଷ୍ଠ ନେତା ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି ଦାୟିତ୍ୱ ନିଅନ୍ତୁ ବୋଲି ଲବି କରି ଚାଲିଛନ୍ତି । ସେହିପରି ରାହୁଲ ଯଦି ରାଜି ନ ହେଲେ ତା’ହେଲେ ଅଶୋକ ଗେହଲଟ୍ ଅଧ୍ୟକ୍ଷ ହୁଅନ୍ତୁ ବୋଲି କିଛି ନେତା ମତ ରଖିଛନ୍ତି । ଯଦି ନିର୍ବାଚନ ହେବ, ତା’ହେଲେ ଏତେ ଲବି କାହିଁକି କରାଯାଉଛି ବୋଲି ପ୍ରଶ୍ନ ଉଠିଛି । ନିର୍ବାଚନରେ ଯିଏ ଜିତିବେ, ସେ ଅଧ୍ୟକ୍ଷ ହେବେ ଓ ଏଥିପାଇଁ କାହା ଉପରେ କେହି ଚାପ ପକାଇବା କଥା ନୁହେଁ ବୋଲି କଂଗ୍ରେସର ବିଦ୍ରୋହୀ ଜି-୨୩ ନେତା ମତ ରଖିଛନ୍ତି ।
ଜୟରାମ ରମେଶ ସାମ୍ବାଦିକ ସମ୍ମିଳନୀ କରି କହିଥିଲେ ଯେ କଂଗ୍ରେସ ଏକମାତ୍ର ଦଳ ଯିଏ ଅଧ୍ୟକ୍ଷ ଚୟନ ପାଇଁ ଏପରି ନିର୍ବାଚନ କରିଥାଏ । ଏଆଇସିସି ସାଧାରଣ ସମ୍ପାଦକ କେସି ଭେନୁଗୋପାଲଙ୍କ ମତରେ ନିର୍ବାଚନ ସୂଚୀ ପ୍ରକାଶ ପାଇସାରିଛି । ନିର୍ବାଚନରେ ଯିଏ ଚାହିଁବେ, ସେ ଭାଗ ନେଇପାରିବେ ।
ନିର୍ବାଚନ ପାଇଁ ଦାବି କରିଆସୁଥିବା କଂଗ୍ରେସର ଜି-୨୩ ମଧ୍ୟରେ ଥିବା ଗୁଲାମ ନବୀ ଆଜାଦ୍ ଦଳ ଛାଡ଼ି ସାରିଛନ୍ତି । ତେଣୁ ମନୀଷ ତିୱାରୀ, ଶଶି ଥରୁର ଓ ପୃଥ୍ୱୀରାଜ ଚୌହାନଙ୍କ ମଧ୍ୟରୁ କେହି କଂଗ୍ରେସର ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଲଢ଼ିପାରନ୍ତି ବୋଲି କୁହାଯାଉଛି । ତେବେ ରାହୁଲ ଗାନ୍ଧି ନାମାଙ୍କନ ଓ ନିର୍ବାଚନରେ ହସ୍ତକ୍ଷେପ ନ କଲେ ଏହା ସମ୍ଭବ ହୋଇପାରିବ । ସେହିପରି ଗେହଲଟଙ୍କ ନାଁକୁ ନେଇ ଚାଲିଥିବା ଚର୍ଚ୍ଚାକୁ ନିନ୍ଦା କରି ଜି-୨୩ ନେତା ପୃଥ୍ୱୀରାଜ ଚୌହାନ ନିରପେକ୍ଷ ନିର୍ବାଚନ ସପକ୍ଷରେ ମତ ରଖିଛନ୍ତି । ସେ କହିଛନ୍ତି, ନିର୍ବାଚନ କରାଯାଉ, ଯାହାର ଇଚ୍ଛା ସିଏ ନିର୍ବାଚନ ଲଢ଼ିବ । ଯଦି ପଛପଟ ଦ୍ୱାରରେ ରିମୋଟ କଣ୍ଟ୍ରୋଲ ସଭାପତି ନିଯୁକ୍ତ କରିବାକୁ ଚେଷ୍ଟା କରାଯିବ, ତା’ହେଲେ ଦଳ ଅଣ୍ଟା ସଳଖି ଛିଡ଼ା ହୋଇପାରିବ ନାହିଁ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *