ଜିଦ୍ରେ ଅଟଳ ଦାରୁଠେଙ୍ଗବାସୀ

ଭୁବନେଶ୍ୱର (ବୁ୍ୟରୋ): ତୁଟୁନି ବିଏମସି ଡମ୍ପିଂୟାର୍ଡ ବିବାଦ । ଦାରୁଠେଙ୍ଗ ସ୍ଥିତ ଭୁଆଶୁଣି ଡମ୍ପିୟାର୍ଡରେ ବିଏମସି ଅଳିଆ ପକାଇବା ଘଟଣା ଏବେବି ଅସ୍ପଷ୍ଟ ରହିଛି । ଗତକାଲି ଦାରୁଠେଙ୍ଗ ପଞ୍ଚାୟତର ଗ୍ରାମସଭାରେ ବାହାରି ପାରିନି ନିଷ୍କର୍ସ । ପୁଣିଥରେ ଗ୍ରାମସଭା ଡକାଯାଇ ସେନେଇ ଆଲୋଚନା ଚାଲିଥିବାବେଳେ ଅଳିଆ ପକାଇବା ପାଇଁ ଗ୍ରାମବାସୀ ଅମଙ୍ଗ ଥିବା ନଜରକୁ ଆସିଛି । ସହରାଞ୍ଚଳ ବର୍ଜ୍ୟକୁ କାହିଁକି ଗ୍ରାମାଞ୍ଚଳରେ ପକାଯିବ ସେନେଇ ପ୍ରଶ୍ନ କରିଛନ୍ତି ଗ୍ରାମବାସୀ ।
ସେପଟେ ଭୁଆଶୁଣି ଡମ୍ପିୟାର୍ଡକୁ ଅଳିଆ ଯାଉନଥିବାରୁ ସୈନିକ ସ୍କୁଲ ପାଖରେ ଥିବା ଡମ୍ପିୟାର୍ଡରେ ଗଦା ହେଲାଣି । ପାହାଡ଼ ପରି ଅଳିଆ ଭୁଆଶୁଣିରେ ଡମ୍ପିଂ ବନ୍ଦ ନେଇ ବିଏମସି ପକ୍ଷରୁ ୯ ମାସର ମହଲତ ମଗାଯାଇଥିଲା । ଅନ୍ୟପଟେ ଘଟଣାରେ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ କହିଛନ୍ତି, ଗ୍ରାମବାସୀଙ୍କୁ ବୁଝାସୁଝା ଚାଲିଛି । ମେୟର ଓ କମିଶନର ଆଲୋଚନା କରୁଛନ୍ତି । ୨ରୁ ୩ ଦିନ ଭିତରେ ସମସ୍ୟାର ସମାଧାନ ହୋଇଯିବ ବୋଲି ଆଶା ଥିବା ମନ୍ତ୍ରୀ ଶ୍ରୀ ଉଷା କହିଛନ୍ତି । ତେବେ ବାୟୋ ମାଇନିଂ ପ୍ଲାଣ୍ଟ ଉପରେ ବିଚାର କରାଯାଉଛି ବୋଲି କହିଛନ୍ତି ମନ୍ତ୍ରୀ ଉଷା ଦେବୀ ।
ଏସବୁ ମଧ୍ୟରେ ଭୁଆସୁଣୀ ଡମ୍ପିଂୟାର୍ଡରେ ଅଳିଆ ପକାଇବା ପାଇଁ ଆଉ ବର୍ଷେ ସମୟ ଦେବାକୁ ବିଏମସି ପ୍ରସ୍ତାବ ଦେଇଥିଲା । ହେଲେ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛନ୍ତି ଗ୍ରାମବାସୀ । କହିଛନ୍ତି ବିଏମସି ଅତୀତରେ ଅନେକ ପ୍ରତିଶ୍ରୁତି ଦେଇ ପୂରଣ କରିନାହିଁ, ତେଣୁ ବିଏମସିକୁ ବିଶ୍ୱାସ କରିହେବନାହିଁ । ସହରୀ ଅଳିଆ କାହିଁକି ଗାଁର ପଡିବ ବୋଲି ରୋକଠୋକ ଶୁଣାଇ ଦେଇଛନ୍ତି ଗ୍ରାମବାସୀ । ଗୋଟିଏ ପଟେ ଦାରୁଠେଙ୍ଗବାସିନ୍ଦାଙ୍କ ଜିଦ୍, ଅନ୍ୟପଟେ ତାଙ୍କୁ ବୁଝାଇବାକୁ ମେୟର ଓ ପ୍ରଶାସନିକ ଅଧିକାରୀଙ୍କ ଉଦ୍ୟମ । ଏହାରି ଭିତରେ ରାଜଧାନୀରେ ୧୮ ଦିନ ହେଲାଣି ଅଳିଆ ଉଠୁ ନାହିଁ । ଶୀଘ୍ର ସମସ୍ୟାର ସମାଧାନ ନହେଲେ ଅ ।ଗକୁ ରାଜଧାନୀ ଅଳିଆଗଦାର ପାହାଡରେ ପରିଣତ ହେବା ସହ ଲୋକ ଅଣନିଶ୍ୱାସୀ ହେବେ ବୋଲି ସାଧାରଣରେ ପ୍ରକାଶ ପାଇଛି ।
ସେପଟେ ସୋମବାର ବିଏମ୍ସି କାର୍ଯ୍ୟାଳୟରେ ହୋଇଥିବା ଆଲୋଚନାରେ ୨୦୨୪ ମଧ୍ୟରେ ଭୁବନେଶ୍ୱରରେ ୨୦୦ଟନ୍ କ୍ଷମତାର ଆବର୍ଜନା ପରି·ଳନା ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର ପ୍ରତିଷ୍ଠା ହେବା ନେଇ ନିଷ୍କର୍ସ ପ୍ରକାଶ ପାଇଛି । ୨୦୨୩ ଅଗଷ୍ଟରୁ ୨୦୨୪ ଜୁଲାଇ ସୁଦ୍ଧା ୩ ମାଇକ୍ରୋ କମ୍ପୋଷ୍ଟିଂ ସେଂଟର ପ୍ରତିଷ୍ଠା କରାଯିବ । ଦୈନିକ ୫୦ ଟନ୍ ଆବର୍ଜନାରୁ ବାୟୋଗ୍ୟାସ୍ ପ୍ରସ୍ତୁତ ପାଇଁ ପ୍ଲାଣ୍ଟ ହେବ । ସେହିପରି ଅଳିଆ ବିବାଦ ପ୍ରସଙ୍ଗରେ ଭୁବନେଶ୍ୱର ମେୟର ସୁଲୋଚନା ଦାସ ପ୍ରତିକ୍ରିୟା ଦେଇଛନ୍ତି । ସୋମବାର ସୁଦ୍ଧା ଦାରୁଠେଙ୍ଗ ଗ୍ରାମବାସୀଙ୍କ ଆଡୁ ପ୍ରତିକ୍ରିୟା ଆସିନାହିଁ । ଖୁବଶୀଘ୍ର ଭଲ ଖବର ଆସିପାରେ ବୋଲି ମେୟର ଶ୍ରୀମତି ଦାସ ଆଶା ରଖିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *