ଅଗ୍ନିଶମରେ ଷ୍ଟ୍ରାଇକିଂ ଫାୟାର ଫୋର୍ସ
ଭୁବନେଶ୍ୱର (ବୁ୍ୟରୋ): ବର୍ତ୍ତମାନ ସମୟର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଅଗ୍ନିଶମ ବାହିନୀକୁ ଅଧିକ ଦକ୍ଷ ଓ କ୍ରିୟାଶୀଳ କରାଯିବା ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁତ୍ୱାରୋପ କରିଛନ୍ତି । ବିଭିନ୍ନ ବିପର୍ଯ୍ୟୟ ବିଶେଷକରି ଅଗ୍ନି ଦୁର୍ଘଟଣା ସମୟରେ ଲୋକଙ୍କ ଉଦ୍ଧାର କାର୍ଯ୍ୟ ଯେପରି ତ୍ୱରାନ୍ୱିତ ଭାବରେ କରାଯାଇପାରିବ । ତାକୁ ଦୃଷ୍ଟିରେ ରଖି ୧୪୪ ସଦସ୍ୟ ବିଶିଷ୍ଟ ଏକ ଷ୍ଟ୍ରାଇକିଂ ଫାୟାର ଫୋର୍ସ ଗଠନ କରାଯିବ । ଏ ସମ୍ପର୍କରେ ସୋମବାର ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଏକ ଉପସ୍ଥାପନା କରାଯାଇ ପ୍ରସ୍ତାବ ଉପରେ ବିସ୍ତୃତ ଆଲୋଚନା କରାଯିବା ପରେ ପ୍ରସ୍ତାବଟି ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ଲାଭ କରିଛି ।
ନିଷ୍ପତ୍ତି ଅନୁଯାୟୀ ରାଜ୍ୟର କଟକ, ସମ୍ବଲପୁର ଓ ବ୍ରହ୍ମପୁରରେ ଥିବା ୩ ଜୋନ୍ରେଚ ଏହି ଷ୍ଟ୍ରାଇକିଂ ଫାୟାର ଫୋର୍ସର ୩ ୟୁନିଟ୍ ରହିବ । ପ୍ରତ୍ୟେକ ପାଇଁ ୪୮ ପଦବୀ ସୃଷ୍ଟି କରାଯାଇ ସମୁଦାୟ ୧୪୪ ପଦବୀ ସୃଷ୍ଟି ହେବ । ଏଥିରେ ଆସିଷ୍ଟାଣ୍ଟ ଫାୟାର ଅଫିସର, ଷ୍ଟେସନ ଅଫିସର, ଆସିଷ୍ଟା ଷ୍ଟେସନ ଅଫିସର, ହାବିଲଦାର ମେଜର, ଡ୍ରାଇଭର ହାବିଲଦାର, ହାବିଲଦାର ମେକାନିକ୍, ଲିଡିଂ ଫାୟାରମ୍ୟାନ, ଫାୟାରମ୍ୟାନ ଡ୍ରାଇଭର ଓ ଫାୟାରମ୍ୟାନ ଆଦି ପଦବୀ ରହିବ । ସମସ୍ତ ପ୍ରକାର ପ୍ରାକୃତିକ ବିପର୍ଯ୍ୟୟ କିମ୍ବା ମନୁଷ୍ୟକୃତ ବିପର୍ଯ୍ୟୟ ବା ଦୁର୍ଘଟଣା ସମୟରେ ଓଡିଶା ଅଗ୍ନିଶମ ସେବା କାର୍ଯ୍ୟ କରି ଜନସାଧାରଣଙ୍କୁ ଠିକ୍ ସମୟରେ ସେବା ଯୋଗାଇ ଦେଉଛି । ରିଲିଫ ଓ ଉଦ୍ଧାର କାର୍ଯ୍ୟରେ ମଧ୍ୟ ଏହାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଏପରିକି ରାଜ୍ୟ ବାହାରେ ମଧ୍ୟ ବିଭିନ୍ନ ବିପର୍ଯ୍ୟୟ ସମୟରେ ଅଗ୍ନଶମ ବାହିନୀ ପକ୍ଷରୁ ଉଲ୍ଲେଖନୀୟ ସେବା ଯୋଗାଇ ଦିଆଯାଉଛି । ତେଣୁ ଅଗ୍ନିଶମ ବାହିନୀକୁ ତୁରନ୍ତ କୌଣସି ବିପର୍ଯ୍ୟୟ ପ୍ରଶମନ କାର୍ଯ୍ୟରେ ନିୟୋଜିତ କରିବା ପାଇଁ ଆବଶ୍ୟକ ଆଧୁନିକ ଦକ୍ଷତା ଥିବା ଏକ ସ୍ୱତନ୍ତ୍ର ଫୋର୍ସର ଆବଶ୍ୟକତା ରହିଛି ବୋଲି ଉପସ୍ଥାପନାରେ କୁହାଯାଇଥିଲା ।
ଏହି ବାହିନୀକୁ ସମସ୍ତ ପ୍ରକାର ଆଧୁନିକ ଯନ୍ତ୍ର ଓ ଅନ୍ୟାନ୍ୟ ସୁବିଧା ଯୋଗାଇ ଦେଇ ଏକ ଦକ୍ଷ କୌଶଳ ସମ୍ପନ୍ନ ଷ୍ଟ୍ରାଇକିଂ ଫାୟାର ଫୋର୍ସ ଭାବରେ ବିକଶିତ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଥିଲା । ଏହି ବୈଠକକୁ ମୁଖ୍ୟମନ୍ତ୍ରୀଙ୍କ ସଚିବ ୫ଟି ଭି କେ ପାଣ୍ଡିଆନ ସଞ୍ଚାଳନା କରିଥିଲେ । ଅଗ୍ନିଶମ ବିଭାଗର ଡିଜି ସନ୍ତୋଷ ଉପାଧ୍ୟୟ ପ୍ରସ୍ତାବ ସମ୍ପର୍କରେ ଉପସ୍ଥାପନ କରିଥିଲେ । ଆଲୋଚନାରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସଞ୍ଜୀବ ଚୋପ୍ରା ଓ ଅତିରିକ୍ତ ଡିଜି ସୌମ୍ୟା ମିଶ୍ର ପ୍ରମୁଖ ଭାଗ ନେଇଥିଲେ ।