ବର୍ଷେ ହେଲା ମିଳିନିି ରାସନ
ରାଜନଗର (ଆପ୍ର): କେହି ଯେପରି ଭୋକ ଉପାସରେ ନ ରହିବେ ସେଥିପାଇଁ ଖାଦ୍ୟ ସୁରକ୍ଷା ଯୋଜନା ମାଧ୍ୟମରେ ସରକାର ଗରିବ ଲୋକମାନଙ୍କୁ ପ୍ରତିମାସରେ ଚାଉଳ, ଗହମ ଯୋଗାଉଛନ୍ତି । ବଡବଡିଆ ଏପରିକି ସରକାରୀ ଚାକିରୀଆ ରାସନକାର୍ଡ ହାତେଇବା ସହ ପ୍ରତିମାସରେ ଚାଉଳ, ଗହମ ନେଉଛନ୍ତି । ମାତ୍ର ରହିବାକୁ ଘରଟିଏ ନ ଥିବା ବେଳେ ଫୁଟା ଚାଳ ଘରେ ପାଲଟାଣି ରହୁଥିବା ଗରିବ ପରିବାର ବର୍ଷେ ହେଲା ରାସନ ସାମଗ୍ରୀ ପାଉନାହିଁ । ସୂଚନା ମୁତାବକ, ରାଜନଗର ବ୍ଲକ୍ କଣ୍ଡିରା ପଞ୍ଚାୟତ ବାରୁଣା ଗାଁର ଗୋଲେଖ ପ୍ରଧାନ । ଗୋଲେଖଙ୍କର ଜମିବାଡି ନ ଥିବା ବେଳେ ଭାଗ ଚାଷ କରି ଓ ମୂଲ ଲାଗି ପରିବାର ଚଳାନ୍ତି । ତାଙ୍କର ରହିବାକୁ ଘରଟିଏ ମଧ୍ୟ ନାହିଁ । ତାଙ୍କ ଚାଳ ଛପର ଘର ଦୀର୍ଘ ୨ ବର୍ଷ ହେଲା ଭାଙ୍ଗିଗଲାଣି । ଘର କାନ୍ଥରୁ ମାଟି ଖସିପଡିଥିବା ବେଳେ ଭଙ୍ଗାଘରେ ପାଲଟାଣି ରହୁଛନ୍ତି ପୁରା ପରିବାର ।
ଗୋଲେଖଙ୍କ ପତ୍ନୀ ଜୟନ୍ତୀ ପ୍ରଧାନଙ୍କ ନାଁ ରେ ରାସନକାର୍ଡ ଥିବା ବେଳେ ତାଙ୍କ ଅଭିଯୋଗ ମୁତାବକ ସେ ଅଗଷ୍ଟ ୨୦୨୧ ଠାରୁ କୌଣସି ରାସନ ସାମଗ୍ରୀ ପାଉନାହାଁନ୍ତି । ସେ ଗରିବ ଲୋକ ହୋଇଥିବାରୁ ଯେଉଁଦିନ ଖଟୁଛନ୍ତି ଘରେ ଚୁଲି ଜଳୁଛି ନ ହେଲେ ଉପାସ ରହୁଛନ୍ତି । ତାଙ୍କ ପୁଅ, ବୋହୂ ଭିନ୍ନ ହୋଇଯାଇ ଅଲଗା ରାସନ କାର୍ଡ କରିନେଇଛନ୍ତି । ପୁଅ ବୋହୂ ଅଲଗା କାର୍ଡକରି ଥିବାରୁ ତାଙ୍କୁ ଡିଲର କୌଣସି ସାମଗ୍ରୀ ଦେଉନାହିଁ । ସ୍ୱାମୀ ସ୍ତ୍ରୀ ରାସନ ସାମଗ୍ରୀ ପାଇଁ ବାରମ୍ବାର ବ୍ଲକ୍ କାର୍ଯ୍ୟାଳୟକୁ ଦୌଡୁଥିଲେ ମଧ୍ୟ କେହି ଦୁଃଖ ବୁଝୁ ନ ଥିବା ଗୋଲେଖ ଅଭିଯୋଗ କରିଛନ୍ତି ।