ସ୍ଥାନୀୟବାସିନ୍ଦାଙ୍କୁ କମ୍ପାନିର ଉପେକ୍ଷା: ଦାବି ପୂରଣ ନ ହେଲେ ଆନେ୍ଦାଳନ
ଯୋଡ଼ା (ଆପ୍ର): କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ୍ ଅନ୍ତର୍ଗତ କଣ୍ଡରା, ବିରିକଳା, ଦେଓଝର, ଚାମକପୁର, ଅଂଶେଇକଳା ୫ ଗୋଟି ପଞ୍ଚାୟତବାସୀଙ୍କ ଦାବି ସ୍ଥାନୀୟ ଟାଟାଷ୍ଟିଲ୍ ଲଙ୍ଗ ପ୍ରଡକ୍ଟ କମ୍ପାନୀ ଅଣଦେଖା କରୁଥିବା ଅଭିଯୋଗ ହୋଇଛି । ଏହି କମ୍ପାନୀ ଦ୍ୱାରା ଅତ୍ୟନ୍ତ ପ୍ରଭାବିତ ହେଉଥିବା ୫ଟି ପଞ୍ଚାୟତର ଲୋକମାନେ ବିଭିନ୍ନ ସମସ୍ୟା ଦେଇ ଗତି କରୁଛନ୍ତି । ଏଠାରେ ଦୀର୍ଘ ବର୍ଷ ଧରି କମ୍ପାନୀ କାର୍ଯ୍ୟ କରି କୋଟି କୋଟି ଟଙ୍କା ମୁନାଫା କରୁଛି । ହେଲେ ସ୍ଥାନୀୟବାସୀଙ୍କ ପାଇଁ କୌଣସି ଉନ୍ନତୀମୂଳକ କାର୍ଯ୍ୟ କରିବାରେ କମ୍ପାନୀ କୁଣ୍ଠାବୋଧ କରୁଛି । ଅଞ୍ଚଳବାସୀ ବିଭିନ୍ନ ସମୟରେ ସେମାନଙ୍କ ସମସ୍ୟା ନେଇ ବାରମ୍ବାର ଦାବିପତ୍ର ଦେଇଥିଲେ ହେଁ କମ୍ପାନୀ କର୍ତ୍ତୃପକ୍ଷ ଦାବି ପୂରଣ ଦିଗରେ ଅନିଚ୍ଛା ପ୍ରକାଶ କରୁଥିବା ଅଭିଯୋଗ ହୋଇଛି ।
ପଞ୍ଚାୟତର ନବନିର୍ବାଚିତ ପ୍ରତିନିଧି କମ୍ପାନୀର ବରିଷ୍ଠ ଅଧିକାରୀଙ୍କୁ ବିଭିନ୍ନ ସମସ୍ୟା ନେଇ ଦାବିପତ୍ର ଦେଇଥିଲେ ମଧ୍ୟ ସେମାନଙ୍କ ମୁଖ୍ୟ ଦାବି ପୂରଣ ହେଉନାହିଁ । ବିରିକଳା, ଦେଓଝର, ଅସେଇଁକଳା, କଣ୍ଡରା ଓ ଚମକପୁର ପଞ୍ଚାୟତର ଉଚ୍ଚ ଶିକ୍ଷିତ ଯୁବକଯୁବତୀଙ୍କୁ ଅଣଦେଖା କରିବା ସହ ବାହାର ଅଞ୍ଚଳର ଲୋକଙ୍କୁ ନିଯୁକ୍ତି ଦିଆଯାଉଥିବା ଭଳି ଅନେକ ଅଭିଯୋଗ ନେଇ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ଦାବିପତ୍ର ଦିଆଯାଇଛି । ହେଲେ କମ୍ପାନୀ ଏହି ଦାବିଗୁଡ଼ିକ ପୂରଣ ଦିଗରେ କୌଣସି ଆଗ୍ରହ ପ୍ରକାଶ କରୁନାହିଁ । ଏପରିକି ଏହାର ସମାଧାନ ପାଇଁ ନବନିର୍ବାଚିତ ପ୍ରତିନିଧିଙ୍କ ସହ ଆଲୋଚନା କରିବାକୁ ଚାହୁଁ ନ ଥିବା ବିରିକଳାର ମୁଖ ନାଏକ ଅଭିଯୋଗ କରିଛନ୍ତି । ବିରିକଳା ସମିତିସଭ୍ୟ ଜ୍ଞାନ ରଂଜନ ଖୁଣ୍ଟିଆ ପ୍ରତିକ୍ରିୟାରେ କହିଛନ୍ତି, କମ୍ପାନୀ କର୍ତ୍ତୃପକ୍ଷ ସ୍ଥାନୀୟ ନିଯୁକ୍ତି କ୍ଷେତ୍ରରେ ଅନିୟମିତତା କରିଛନ୍ତି । କମ୍ପାନୀ ପକ୍ଷରୁ ହୋଇଥିବା ନିଯୁକ୍ତି ପ୍ରକ୍ରିୟାକୁ ପୁନଃ କରିବାକୁ ସେ ଦାବି କରିଛନ୍ତି । ଉପରୋକ୍ତ ଦାବି ପୂରଣ ଦିଗରେ କମ୍ପାନୀ କୌଣସି ପ୍ରକାର ଇଚ୍ଛା ପ୍ରକାଶ କରୁନାହିଁ । କମ୍ପାନୀର ଏତାଦୃଶ କାର୍ଯ୍ୟ ପ୍ରତିବାଦରେ ସୋମବାର ବିଲେଇପଦା ସ୍ଥିତ ରୁପାସାହିରେ ୫ଜଣ ସରପଞ୍ଚ ଓ ସମିତିସଭ୍ୟ, ୱାର୍ଡ ସଭ୍ୟମାନେ ଏକକ୍ରିତ ହୋଇ ଏକ ଆଲୋଚନା ବୈଠକ କରିଥିଲେ । କମ୍ପାନୀ କର୍ତ୍ତୃପକ୍ଷ ଦାବି ପୂରଣ ନ କଲେ ଆଗାମୀ ଦିନରେ କମ୍ପାନୀ ସମ୍ମୁଖରେ ଆନେ୍ଦାଳନ କରିବା ନେଇ ବୈଠକରେ ନିଷ୍ପତ୍ତି ନିଆଯାଇଥିବା ବିରିକଳା ସମିତିସଭ୍ୟ ଜ୍ଞାନ ରଞ୍ଜନ ଖୁଣ୍ଟିଆ ସୂଚନା ଦେଇଛନ୍ତି ।