ଅନୁଗୁଳ ଆଭେଞ୍ଜର୍ସ ଚାମ୍ପିଅନ୍
ପ୍ରଥମ ଓଡ଼ିଶା ରୋଲ୍ ବଲ୍ ଲିଗ୍
ଭୁବନେଶ୍ୱର, ୨୯ା୮ (ବୁ୍ୟରୋ): ଓଡ଼ିଶା ରୋଲ୍ ବଲ୍ ଆସୋସିଏସନ୍ ଆନୁକୂଲ୍ୟରେ ତଥା ଓଡ଼ିଶା ସ୍କେଟିଂ ଏକାଡେମୀର ସହଯୋଗରେ ଜଟଣୀସ୍ଥିତ ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟର କ୍ରୀଡ଼ା ପ୍ରାଙ୍ଗଣରେ ପ୍ରଥମ ଓଡ଼ିଶା ରୋଲ୍ ବଲ୍ ଲିଗ୍ (ଓଆର୍ବିଏଲ୍) ଚାମ୍ପିଅନ୍ସିପ୍ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟରେ ପ୍ରଥମ ଥର ଆୟୋଜିତ ହେଉଥିବା ଏହି ଲିଗ୍ରେ ମୋଟ୍ ଆଠଟି ଟିମ୍ ଅଂଶଗ୍ରହଣ କରିଥିଲେ । ରବିବାର ଖେଳାଯାଇଥିବା ଫାଇନାଲ୍ରେ ଅନୁଗୁଳ ଆଭେଞ୍ଜର୍ସ ଟିମ୍ ପୁରୀ ପେସର୍ସକୁ ହରାଇ ଚାମ୍ପିଅନ୍ ହୋଇଛି ।
ଅନୁଗୁଳ ୧୧ ଗୋଲ୍ ଦେଇଥିବା ବେଳେ ପୁରୀ ୭ ଗୋଲ୍ ସ୍କୋର୍ କରିଥିଲା । ଅନୁଗୁଳର ଆଇକନ୍ ଖେଳାଳି ପ୍ରୀତିଶ ଆର୍ଯ୍ୟନ ଜେନା ସମସ୍ତ ୧୧ ଗୋଲ୍ ଦେଇଥିଲେ । ସେ ଟୁର୍ଣ୍ଣାମେଣ୍ଟରେ ୪୫ ଗୋଲ୍ ସ୍କୋର୍ କରି ସର୍ବାଧିକ ସ୍କୋରର୍ ହୋଇପାରିଛନ୍ତି । ପୁରୀ ପ୍ରଥମ ରନର୍ସ-ଅପ୍ ହୋଇଥିଲା । ବ୍ରହ୍ମପୁର ବ୍ଲେଜର୍ସ ୬-୨ ଗୋଲ୍ରେ କଟକ ସେଲ୍ଟିକ୍ସକୁ ହରାଇ ଦ୍ୱିତୀୟ ରନର୍ସଅପ୍ ହୋଇଥିଲା ।
ଭାରତରେ ଉତ୍ପତ୍ତି ହୋଇଥିବା ରୋଲ୍ ବଲ୍ କ୍ରୀଡ଼ାକୁ ରାଜ୍ୟରେ ଲୋକପ୍ରିୟ କରିବା ଲକ୍ଷ୍ୟରେ ରୋଲ୍ ବଲ୍ ଲିଗ୍ ଚାମ୍ପିଅନ୍ସିପ୍ ଆୟୋଜନ କରାଯାଇଛି ବୋଲି ଓଡ଼ିଶା ରୋଲ୍ ବଲ୍ ଆସୋସିଏସନ୍ର ପାର୍ଥ ସାରଥି ଜେନା କହିଛନ୍ତି ।
ପ୍ରଥମ ରୋଲ୍ ବଲ୍ ଲିଗ୍କୁ ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗର ଯୁଗ୍ମ ସଚିବ ଶୈଳେନ୍ଦ୍ର କୁମାର ଜେନା ଓ ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟର କ୍ରୀଡ଼ା ନିଦେ୍ର୍ଦଶକ ରବି ନାରାୟଣ ରାଉତରାୟ ଉଦ୍ଘାଟନ କରିଥିଲେ । ଉଦ୍ୟାପନୀ ଉତ୍ସବରେ ବ୍ରହ୍ମପୁର ବ୍ଲେଜର୍ସର ମାଲିକ ଲୋକେଶ, ଭୁବନେଶ୍ୱର ବୁଲ୍ସର ମାଲିକ ପ୍ରତିଚୀ ରଶ୍ମୀ ରାଉତରାୟ, ପୁରୀ ପେସର୍ସର ମାଲିକ ଦିଲ୍ଲୀପ ନାୟକ, କଟକ ସେଲ୍ଟିକ୍ସର ମାଲିକ ସୌଦାମିନୀ ପାତ୍ର, ସମ୍ବଲପୁର ସିମର୍ସର ସୌମିତିଞ୍ଜୟ ମହାକୁଡ଼ ପୁରସ୍କାର ବିତରଣ କରିଥିଲେ ।
କ୍ଷ ଅନୁଗୁଳ ଆଭେଞ୍ଜର୍ସ ଟିମ୍
ପ୍ରୀତିଶ ଆର୍ଯ୍ୟନ ଜେନା (ଆଇକନ୍ ଖେଳାଳି), ଆରାଧ୍ୟା ମଞ୍ଜରୀ ଦେବୀ, କମଳ କ୍ରିଷ୍ଣ, ସିଦ୍ଧାର୍ଥ ଦଳାଇ, ଆଶୁତୋଷ ସାହୁ, ଅର୍ଣ୍ଣବ ମିଶ୍ର, ଦେବାଂଶ ପାଠକ, ରୋହନ ଦାସ, ଅଦଭିକ ଦାସ, ସାଇ ଶୁଭମ୍ ବେହରା, ଆର୍ଶୀ ପ୍ରେରଣା କାନୁନଗୋ, ନାଇରା ମହାନ୍ତି, ପୂର୍ବୀ ନାୟକ ।