୬ ଗୋରୁ ବୋଝେଇ ପିକ୍ଅପ୍ ଜବତ
ବେତନଟୀ (ଆପ୍ର): ବେତନଟୀ ଥାନା ଅଧୀନ ଶଂଶା ରାଉତରା ନିକଟରେ ରବିବାର ଭୋରରୁ ଗୋଚାଲାଣ ଖବର ପାଇ ପୁଲିସ କର୍ମଚାରୀ ପହଞ୍ଚି ଥିଲେ । ପୁଲିସକୁ ବୋଲେରୋ ଚଢ଼ାଇ ହତ୍ୟା କରିବାକୁ ମାଫିଆମାନେ ଉଦ୍ୟମ କରୁଥିଲେ । ହେଲେ ପୁଲିସ ୪ ଜଣକୁ ଗିରଫ କରିଥିବା ବେଳେ ୧୦ ଜଣ ଫେରାର ହୋଇଯାଇଛନ୍ତି । ଗିରଫ ଅଭିଯୁକ୍ତ ବାଲେଶ୍ୱର ସଦର ଥାନା ଅଧୀନ ଜଙ୍ଖରାଇର ଶେଖ ମମତାଜ, ବୈଶିଙ୍ଗା ଥାନା ଅଧୀନ ଗୋବିନ୍ଦରାୟପୁରର ଶେଖ ଉମରଉଲ୍ଲା, ଶେଖ ନିଜାମୁଦ୍ଦିନ, ବସ୍ତା ଥାନା ବହଳଦା ବସ୍ତିର ଶେଖ ଅରପନ । ଅଭିଯୁକ୍ତ ଶେଖ ପରବାସିଆ, ଶେଖ ଇମତାଜ, ଶେଖ ମଲ୍ଲିକ ଅବଦୁଲ୍ ଫେରାର ଥିବା ଜଣାପଡ଼ଛି । ଥାନା ଏସ୍ଆଇ ଲିଲି ବେହେରାଙ୍କ ଅଭିଯୋଗକ୍ରମେ ୨୬୪/୨୦୨୨ରେ ମାମଲା ରୁଜୁ କରାଯାଇଛି ।
ବେତନଟୀ ଥାନା ଅଧୀନ ଶଂଶା ରାଉତରା ନିକଟରେ ପିକ୍ଅପ୍ରେ ଗୋଚାଲାଣ କରାଯାଉ ଥିବା ବେତନଟୀ ଆଇଆଇସି ରେଣୁବାଳା ସାହୁଙ୍କୁ ଗ୍ରାମବାସୀ ଖବର ଦେଇଥିଲେ । ଆଇଆଇସି ରେଣୁବାଳା ସାହୁ, ବେତନଟୀ ଥାନା ଏସ୍ଆଇ ବଳରାମ ମହାରଣା, ଏସ୍ଆଇ ଲିଲି ବେହେରା ଓ ପୁଲିସ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଥିଲେ । ୬ଟି ପିକ୍ଅପ୍ରେ ୧୨୦ ଗୋରୁ ବୋଝେଇ କରି ଚାଲାଣ କରାଯାଉଥିଲା । ପୁଲିସ ସେଗୁଡ଼ିକୁ ରୋକିବାକୁ ଚେଷ୍ଟା କରୁଥିବା ବେଳେ ମାଫିଆମାନେ ଯୁକ୍ତିତର୍କ କରିବା ସହିତ ପୁଲିସ ଉପରକୁ ଗାଡ଼ି ଚଢ଼ାଇବାକୁ ଉଦ୍ୟମ କରିଥିଲେ । ପୁଲିସ ଗୋରୁ ବୋଝେଇ ପିକ୍ଅପ୍ ଓ ବୋଲେରୋକୁ ଜବତ କରି ଥାନାକୁ ଆଣିଥିଲେ । ଖବର ପାଇ ବ୍ଲକ୍ ପଶୁ ଚିକିସôା ଅଧିକାରୀ ଡା. ଭବନାଥ ପ୍ରସାଦ ବସ୍ତିଆ, ଡା. ସ୍ୱୟଂପ୍ରକାଶ ନାୟକ, ଖଗେନ୍ଦ୍ର ସାହୁ, ସୁରେଶଚନ୍ଦ୍ର ସାହୁ, ରଣଜିତ ନାୟକ, ବିଶ୍ୱରଞ୍ଜନ ମହାନ୍ତ, କିରଣମୟୀ ମହାନ୍ତ, ବିଦ୍ୟାଭାରତୀ ପଣ୍ଡା ପ୍ରମୁଖ ଥାନାରେ ପହଞ୍ଚି ଅସୁସ୍ଥ ଗୋରୁଙ୍କ ଚିକିସôା କରିଥିଲେ । ବେତନଟୀର ନୀଳମାଧମ ଏଣ୍ଟରପ୍ରାଇଜେସର ମାଲିକ ରାମେଶ୍ୱର ମିଶ୍ରଙ୍କ ସହାୟତାରେ ସୁସ୍ଥ ଗୋରୁକୁ ବାଲେଶ୍ୱର ବାମପଦା ଗୋଶାଳାକୁ ସ୍ଥାନାନ୍ତର କରାଯାଇଛି । ଗୋଚାଲାଣ ବନ୍ଦ କରିବାକୁ ଜିଲ୍ଲା ପୁଲିସ ତରଫରୁ ସ୍ୱତନ୍ତ୍ର ସ୍କ୍ୱାଡ୍ ମୁତୟନ ପାଇଁ ସ୍ୱେଚ୍ଛାସେବୀ, ମହିଳା, ଯୁବ ଓ ଛାତ୍ର ସଂଗଠନ ପକ୍ଷରୁ ଦାବି କରାଯାଇଛି ।