ଏସିଆ କପ୍ରେ ବିଶ୍ୱକପ୍ ପ୍ରତିଶୋଧ

ପାଣ୍ଡ୍ୟାଙ୍କ ଅଲ୍ରାଉଣ୍ଡ୍ ଶୋ’
ଦୁବାଇ, ୨୮ା୮ (ଏଜେନ୍ସି): ଟିମ୍ ଇଣ୍ଡିଆ ରବିବାର ଏସିଆ କପ୍ରେ ପାକିସ୍ତାନ ଠାରୁ ଟି-୨୦ ବିଶ୍ୱକପ୍ ପରାଜୟର ପ୍ରତିଶୋଧ ନେଇଛି । ପେସର୍ଙ୍କ ପ୍ରଭାବଶାଳୀ ବୋଲିଂ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା (୩ ୱିକେଟ୍ ଓ ଅପରାଜିତ ୩୩ ରନ୍)ଙ୍କ ଅଲ୍ରାଉଣ୍ଡ ପ୍ରଦର୍ଶନ ବଳରେ ଭାରତ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ମ୍ୟାଚ୍ରେ ପାକିସ୍ତାନକୁ ୫ ୱିକେଟ୍ରେ ହରାଇ ଅଭିଯାନ ଆରମ୍ଭ କରିଛି । ଏହାପରେ ଭାରତ ଗ୍ରୁପ୍-ଏ’ରେ ନିଜ ଦ୍ୱିତୀୟ ମ୍ୟାଚ୍ରେ ୩୧ ତାରିଖରେ ହଂକଂକୁ ଭେଟିବ ।
ସବୁ ଉକ୍ରଣ୍ଠାର ଅବସାନ ଘଟାଇ ଦୁବାଇ ଆନ୍ତର୍ଜାତିକ କ୍ରିକେଟ୍ ଷ୍ଟାଡିୟମ୍ରେ ଆୟୋଜିତ ହୋଇଥିଲା ଭାରତ ଓ ପାକିସ୍ତାନ ଏସିଆ କପ୍ ମୁକାବିଲା । ଦଶ ମାସର ବ୍ୟବଧାନ ପରେ ମୁହାଁମୁହିଁ ହୋଇଥିଲେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ । ଶେଷ ଥର ପୂର୍ବ ଟି-୨୦ ବିଶ୍ୱକପ୍ ସମୟରେ ୨୦୨୧ ଅକ୍ଟୋବର ୨୪ରେ ଉଭୟ ଟିମ୍ ମଧ୍ୟରେ ମୁକାବିଲା ହୋଇଥିଲା, ଯେଉଁଥିରେ ଟିମ୍ ଇଣ୍ଡିଆ ୧୦ ୱିକେଟ୍ରେ ହାରି ଯାଇଥିଲା ଏବଂ ପାକିସ୍ତାନ ପ୍ରଥମ ଥର କୌଣସି ବିଶ୍ୱକପ୍ ମ୍ୟାଚ୍ରେ ଭାରତକୁ ହରାଇଥିଲା । ଏଥର ସେହି ପରାଜୟର ପ୍ରତିଶୋଧ ନେବା ପାଇଁ ରୋହିତ ଶର୍ମାଙ୍କ ଟିମ୍ ପାଖରେ ସୁଯୋଗ ଥିଲା ।
ଏସିଆ କପ୍ ଇତିହାସରେ ଏ ଯାବତ ଭାରତ ଓ ପାକିସ୍ତାନ ମଧ୍ୟରେ ୧୫ ଥର ମୁକାବିଲା ହୋଇଛି । ଏହି ମ୍ୟାଚ୍କୁ ମିଶାଇ ଭାରତ ନଅ ମ୍ୟାଚ୍ ଜିତିଥିବା ବେଳେ ପାକିସ୍ତାନ ପାଞ୍ଚ ମ୍ୟାଚ୍ରେ ବିଜୟ ହାସଲ କରିଛି । ଅନ୍ୟ ଏକ ମ୍ୟାଚ୍ର ଫଳାଫଳ ବାହାରିପାରି ନାହିଁ ।
ଟସ୍ ହାରି ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ଟିମ୍କୁ ଭାରତୀୟ ପେସର୍ ୧୪୭ ରନ୍ରେ ଅଲ୍ଆଉଟ୍ କରିଦେଇଥିଲେ । ଭାରତ ପକ୍ଷରୁ ଭୁବନେଶ୍ୱର କୁମାର ସର୍ବାଧିକ ୪ ୱିକେଟ୍ ଅକ୍ତିଆର କରିଥିବା ବେଳେ ପାଣ୍ଡ୍ୟା ୩, ଅର୍ଶଦୀପ ୨ ଓ ଅଭେଶ ଗୋଟିଏ ୱିକେଟ୍ ନେଇଥିଲେ । ଜବାବରେ ଭାରତୀୟ ଟିମ୍ ୧୯.୪ ଓଭର୍ରେ ୫ ୱିକେଟ୍ ହରାଇ ୧୪୮ ରନ୍ କରି ବିଜୟୀ ହୋଇଥିଲା ।
କୋହଲି ୩୫ ଓ ଜାଡ଼େଜା ୩୫ ରନ୍ କରିଥିବା ବେଳେ ପାଣ୍ଡ୍ୟା ୩୩ (୧୭ ବଲ୍ରୁ) ଓ କାର୍ତ୍ତିକ ୧ ରନ୍ କରି ଅପରାଜିତ ଥିଲେ । ପାଣ୍ଡ୍ୟା ଏକ ଛକା ଲଗାଇ ମ୍ୟାଚ୍ ଫିନିଶ୍ କରିଥିଲେ । ତେବେ ଉଭୟ ଅଧିନାୟକ ରୋହିତ (୧୨) ଓ ଉପ-ଅଧିନାୟକ ରାହୁଲ (୦) ବିଫଳ ହୋଇଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *