ଦଣ୍ଡମୁକ୍ତ ଅଞ୍ଚଳରେ ଶ୍ରମିକ ସାଜିଲେ ଛାତ୍ରଛାତ୍ରୀ
ନାଳରୁ ବାଲି, ପଥର ଉଠାଇ ରାସ୍ତା ସଜାଡ଼ିଲେ
ଫିରିଙ୍ଗିଆ (ଆପ୍ର): ଆଦିବସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାରେ ଶିକ୍ଷାର ଉନ୍ନତି ପାଇଁ ରାଜ୍ୟ ସରକାର ବିଦ୍ୟାଳୟଗୁଡ଼ିକର ଉନ୍ନତୀକରଣ କରୁଛନ୍ତି । ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ନେଇ ବିଭିନ୍ନ ଯୋଜନା ପ୍ରସ୍ତୁତ କରି ଚାଲିଛନ୍ତି । କିନ୍ତୁ କନ୍ଧମାଳ ଜିଲ୍ଲାରେ କିଛି ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଖାମଖିଆଲ ମନୋଭାବ ଯୋଗୁଁ ସରକାରଙ୍କ ବହୁ ଯୋଜନା ବାଟବଣା ହେଉଥିବା ଅଭିଯୋଗ ହେଉଛି । କେଉଁଠି ମଧ୍ୟାହ୍ନ ଭୋଜନରେ ଅନିୟମିତତା ତ କେଉଁଠି ଛାତ୍ରଛାତ୍ରୀଙ୍କୁ ଶିକ୍ଷକ ମାନେ ଶ୍ରମିକଙ୍କ ଭଳି କାମ କରାଉଛନ୍ତି । ଶିକ୍ଷକଙ୍କ ଉପସ୍ଥିତିରେ ଛାତ୍ରଛାତ୍ରୀ ମାନେ କୋଡ଼ି କୋଦାଳ ଧରି ଶ୍ରମିକଙ୍କ ଭଳି କାମ କରିବା ଦୃଶ୍ୟ ଆଲୋଡ଼ନ ସୃଷ୍ଟି କରିଛି । ଶିକ୍ଷା ବ୍ୟବସ୍ଥାରେ ଏଭଳି ଅବ୍ୟବସ୍ଥା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଶିକ୍ଷାବିଭାଗ ଅଧୀନ ଉପାନ୍ତ ପାହିରାଜୁ ପଞ୍ଚାୟତର ଗଭରନଳା ପ୍ରକଲ୍ପ ପ୍ରାଥମିକ ବିଦ୍ୟାଳୟରେ । ଛାତ୍ରଛାତ୍ରୀ ପାଠପଢ଼ିବା ବଦଳରେ କୋଡ଼ି କୋଦାଳ ଧରି ସ୍କୁଲ ପାଖରେ ଥିବା ଏକ ନାଳରୁ ବାଲି ଓ ପଥର ମୁଣ୍ଡେଇ ସ୍କୁଲ ପରିସରରେ ରାସ୍ତା ତିଆରି କରିବା ଘଟଣା ଏବେ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି ।
ଗତ କିଛି ଦିନର ଲଗାଣ ବର୍ଷାରେ ସ୍କୁଲ ପରିସର ସନ୍ତସନ୍ତିଆ ହୋଇପଡ଼ିଛି । ସ୍କୁଲ ବାରଣ୍ଡାକୁ ସଂଯୋଗ କରୁଥିିବା ଅସ୍ଥାୟୀ ରାସ୍ତାଟି ଧୋଇ ହୋଇଯାଇଥିଲା । ସ୍କୁଲକୁ ଆସୁଥିବା ଶିକ୍ଷକଙ୍କୁ ବାରଣ୍ଡାରେ ବାଇକ ରଖିବା ପାଇଁ ଅସୁବିଧା ହେବାକୁ ପଡୁଥିଲା । ଗତ ଗୁରୁବାର ସ୍କୁଲର ପ୍ରଧାନ ଶିକ୍ଷକ ଦିଲିପ କୁମାର ପାତ୍ରଙ୍କ ନିଦେ୍ର୍ଦଶ କ୍ରମେ ଅନ୍ୟ ଦୁଇଜଣ ଶିକ୍ଷକ ସ୍କୁଲରେ ରାସ୍ତା ନିର୍ମାଣ କରିବା ପାଇଁ ଛାତ୍ରଛାତ୍ରୀଙ୍କୁ ନିୟୋଜିତ କରିଥିଲେ । ଟାଣଖରାରେ ଗଭୀର ନାଳରୁ ବିପଦ ସଙ୍କୁଳ ଅବସ୍ଥାରେ କୋଡି କେଦାଳ ଧରି ବାଲିପଥର ମୁଣ୍ଡାଇ ରାସ୍ତା ନିର୍ମାଣ କରିଥିଲେ । ଘଟଣାକୁ ସ୍ଥାନୀୟ ବୁଦ୍ଧିଜୀବୀ ନାପସନ୍ଦ କରିଛନ୍ତି । ଛାତ୍ରଛାତ୍ରୀଙ୍କୁ ଶ୍ରମିକ ଭଳି କାମ କରାଇଥିବାରୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ଅନ୍ୟ ଶିକ୍ଷକଙ୍କ ବରୋଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି । ଘଟଣା ବିଷୟରେ ଫିରିଙ୍ଗିଆ ଗୋଷ୍ଠୀ ଶିକ୍ଷା ଅଧିକାରୀ ବିନୋଦ ବିହାରି ଦିଗାଳଙ୍କୁ ପଚାରିବାରୁ ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରାଯିବ ବୋଲି କହିଛନ୍ତି ।