ବିଦେଶ ଯିବ ଓଡ଼ିଶା ହଳଦୀ, ଅଦା

ଭୁବନେଶ୍ୱର, ୨୮ା୮ (ବୁ୍ୟରୋ): କୃଷି କ୍ଷେତ୍ରରେ ଓଡ଼ିଶା ଜାତୀୟସ୍ତର ଓ ବିଶ୍ୱସ୍ତରରେ ନାଁ କରିଛି । ଏକାଧିକ ରକମର ଧାନ ସହ କୋରାପୁଟ୍ କଫି ଓ ହାତ ତିଆରି ଅନେକ ସାମଗ୍ରୀର ଚାହିଦା ଏବେ ବିଦେଶରେ ମଧ୍ୟ ପରିଲିକ୍ଷିତ ହେଉଛି । ଖାଲି ସେତିକି ନୁହେଁ, ମାଛ ରପ୍ତାନୀରେ ଓଡ଼ିଶା ଦେଶର ଚତୁର୍ଥ ସ୍ଥାନ ମଧ୍ୟ ହାସଲ କରିଛି । ରାଜ୍ୟରେ ଉତ୍ପାଦିତ ବିଭିନ୍ନ ପ୍ରକାର ଫଳ, ପରିବା ଏବଂ ଅନ୍ୟ ଫସଲର ବିଦେଶରେ ବେଶ୍ ଭଲ ଚାହିଦା ରହିଛି । ହେଲେ, ବିଭିନ୍ନ କାରଣ ପାଇଁ ଏହାକୁ ଭଲ ବ୍ୟବସାୟରେ ପରିଣତ କରାଯାଇ ପାରୁ ନାହିଁ । କିନ୍ତୁ ଏବେ ଓଡ଼ିଶାର ଫସଲକୁ ବିଦେଶ ବଜାରରେ ପହଞ୍ଚାଇ ଚାଷୀଙ୍କ ରୋଜଗାର ବୃଦ୍ଧି କରାଯିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି । ଏଥିପାଇଁ ଇଣ୍ଡୋ-ଜର୍ମାନ୍ କୋଅପରେସନ୍ ଅନ୍ ଏଗ୍ରିକଲ୍ଚରାଲ ମାର୍କେଟ୍ ଡେଭଲପମେଣ୍ଟ (ଏଏମ୍ଡି) ସ୍ୱତନ୍ତ୍ର ରଣନୀତି କାର୍ଯ୍ୟକାରୀ କରିବ । ଓଡ଼ିଶାରେ ଏହାର ପରୀକ୍ଷାମୂଳକ ଉପଯୋଗ ଆରମ୍ଭ ହେବାକୁ ଥିବାବେଳେ ଓଡ଼ିଶାର ହଳଦୀ ଓ ଅଦା ଏବେ ବିଦେଶ ରପ୍ତାନୀ ହେବା ସହ ବଜାରରେ ନିଜର ସ୍ୱତନ୍ତ୍ର ନାଁ କରିବ ବୋଲି ଆଶଙ୍କା ପ୍ରକାା ପାଇଛି ।
ମିଳିଥିବା ସୂଚନା ମୂତାବକ, ଆସନ୍ତାକାଲି ଅର୍ଥାତ୍ ୨୯ ତାରିଖ ଦିନ ଏଏମ୍ଡି ପ୍ରକଳ୍ପ ପରାମର୍ଶଦାତା ରାଘବେନ୍ଦ୍ର ସିଂ ଓଡ଼ିଶା ଗସ୍ତରେ ଆସୁଛନ୍ତି । ସେପ୍ଟେମ୍ବର ୬ ପର୍ଯ୍ୟନ୍ତ ଶ୍ରୀ ସିଂ କୋରାପୁଟର ବିଭିନ୍ନ ଅଞ୍ଚଳ ଗସ୍ତ କରିବେ । ଏହି ସମୟରେ ସେ ଚାଷୀଙ୍କ ସହ ନାବାର୍ଡ, ଉଦ୍ୟାନ କୃଷି, ଗବେଷକ, ବ୍ୟବସାୟୀ, ବେସରକାରୀ ଅନୁଷ୍ଠାନର ପ୍ରତିନିଧିଙ୍କ ସହ ଆଲୋଚନା କରିବେ । ଶେଷ ଦୁଇ ଦିନ ଶ୍ରୀ ସିଂ କଟକ ଓ ଭୁବନେଶ୍ୱରରେ ଥିବା ହୋଲ୍ସେଲର୍, ଖାଦ୍ୟ ପ୍ରକ୍ରିୟାକରଣରେ ନିୟୋଜିତ ସଂସ୍ଥାର କର୍ମକର୍ତ୍ତାଙ୍କ ସହ ଆଲୋଚନା କରିବେ । ଏହି ଯୋଜନାରେ ମୁଖ୍ୟତଃ ହଳଦୀ ଓ ଅଦାକୁ ବିଦେଶରେ ପହଞ୍ଚାଇବା ପାଇଁ ଭ୍ୟାଲୁ ଚେନ୍ ସୃଷ୍ଟି କରାଯିବ ବୋଲି ପ୍ରାଥମିକ ସୂଚନା ମିଳିଛି ।
ବିଦେଶକୁ ରପ୍ତାନୀ ଯୋଗ୍ୟ ଫସଲର ଭ୍ୟାଲୁ ଚେନ୍ ସୃଷ୍ଟି କରିବା ଲକ୍ଷ୍ୟରେ ଇଣ୍ଡୋ-ଜର୍ମାନ୍ କୋଅପରେସନ୍ ଅନ୍ ଏଗ୍ରିକଲ୍ଚରାଲ ମାର୍କେଟ୍ ଡେଭଲପମେଣ୍ଟ (ଏଏମ୍ଡି) ପକ୍ଷରୁ ବାର୍ଷିକ ରଣନୀତି ପ୍ରସ୍ତୁତ କରାଯାଇଛି । ଓଡ଼ିଶା ସମେତ ଆଉ ଦୁଇଟି ରାଜ୍ୟକୁ ଏଥିରେ ସାମିଲ କରାଯାଇଛି । ବିଦେଶକୁ ରପ୍ତାନୀ ଯୋଗ୍ୟ ୨ ଫସଲର ଗୁଣବତ୍ତା ବୃଦ୍ଧି ସହ ଉଚ୍ଚ ମାନର ପ୍ୟାକେଜିଂ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯିବ । ଓଡ଼ିଶାର ହଳଦୀ ଏବଂ ଅଦାର ରପ୍ତାନୀ ବୃଦ୍ଧି ପାଇଁ ପଦକ୍ଷେପ ନିଆଯିବ । ଏଥିପାଇଁ ବର୍ତ୍ତମାନ କିପରି ଭିତ୍ତିଭୂମି ରହିଛି ଏବଂ ଆଗକୁ ଆଉ କ’ଣ ପଦକ୍ଷେପ ନେବା ଜରୁରୀ ତାହା ଶ୍ରୀ ସିଂହ ଗସ୍ତ ସମୟରେ ଅନୁଧ୍ୟାନ କରିବେ । ଉତ୍ପାଦନ ସହ ପ୍ରକ୍ରିୟାକରଣ, ପ୍ୟାକେଜିଂ ଏବଂ ବ୍ୟବସାୟୀକରଣ ଆଦି ପ୍ରସଙ୍ଗରେ ଆଲୋଚନା କରାଯାଇ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରାଯିବ ବୋଲି ଜଣାପଡ଼ିଛି ।
ସୂଚନାଯୋଗ୍ୟ, ଓଡ଼ିଶାରୁ ମାଛ, ସାମୁଦ୍ରିକ ଉତ୍ପାଦ, ପନି ପରିବା, ଫଳ ଆଦି ବିଦେଶକୁ ରପ୍ତାନୀ କରାଯାଉଛି । ଏଥିରୁ ସରକାର ବିଦେଶୀ ରାଜସ୍ୱ ପାଉଛନ୍ତି । ତେବେ ପରିବର୍ତ୍ତିତ ସମୟ ଏବଂ ପ୍ରତିଯୋଗିତାମୂଳକ ବଜାରରେ ରଣନୀତିରେ ପରିବର୍ତ୍ତନ ଆବଶ୍ୟକ ହେଉଛି । ଇଣ୍ଡୋ-ଜର୍ମାନ୍ କୋଅପରେସନ୍ ଅନ୍ ଏଗ୍ରିକଲ୍ଚରାଲ ମାର୍କେଟ୍ ଡେଭଲପମେଣ୍ଟ (ଏଏମ୍ଡି) ଏହି ଅଭାବକୁ ପୂରଣ କରିବା ସହ ଓଡ଼ିଶାର ଉତ୍ପାଦନ ବିଦେଶୀ ବଜାରରେ ପହଞ୍ଚାଇବା ପାଇଁ ଲକ୍ଷ୍ୟ ରଖିଥିବା ପ୍ରକାଶ ପାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *