ମୂର୍ତ୍ତି କାରିଗରଙ୍କୁ ଜୁଲମ ଅଭିଯୋଗ

କଟକ (ବୁ୍ୟରୋ): ରୌପ୍ୟ ନଗରୀ କଟକ ସହର ଧୁମ୍ଧାମ୍ରେ ଏଥର ପାଳନ ହେବ ବିଘ୍ନବିନାଶକ ଗଜାନନଙ୍କ ପୂଜା । ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି କଟକ ସହର । କିନ୍ତୁ ପାର୍ବଣର ପ୍ରଥମ ସୋପାନ ଶ୍ରୀଗଣେଶ ପୂଜାକୁ ନେଇ ବିବାଦ ଦେଖାଦେଇଛି । ଗଣେଶ ମୂର୍ତ୍ତିକୁ ବିକୃତ କରି ନିର୍ମାଣ କରାଯାଇଥିବା ଆଳରେ ଶିଳ୍ପୀଙ୍କ ଉପରେ ପୁଲିସ ଜୁଲମ ହୋଇଥିବା ଅଭିଯୋଗ ହୋଇଛି । ଏଥିଲାଗି ହାଇକୋର୍ଟରେ ଏକ ମାମଲା ରୁଜୁ ହୋଇଛି । ଅଭିଯୋଗ ଅନୁଯାୟୀ କୁମ୍ଭାର ସାହିରେ ପୁରୀଘାଟ ଥାନା ପୁଲିସ ପଶି ଶିଳ୍ପୀ କାରିଗରଙ୍କୁ ଗଣେଶଙ୍କ ବିକୃତ ମୂର୍ତ୍ତି ତିଆରି ନାଁରେ ସେମାନଙ୍କୁ ଗାଳି ଗୁଲଜ କରିଥିଲେ । ଏହିଭଳି ବିକୃତ ମୂର୍ତ୍ତିକୁ ବିକ୍ରି କରିବାକୁ ଅନୁମତି ଦିଆଯାଇ ପାରିବ ନାହିଁ ବୋଲି ପୁଲିସ କହିଥିଲା । ଏନେଇ କୁମ୍ଭାର ସାହିର ଜଣେ ଶିଳ୍ପୀ ନାରାୟଣ ମୁଦୁଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଯେଉଁସବୁ ମୂର୍ତ୍ତି ନିର୍ମାଣ ହୋଇଛି ସେସବୁ ଯେପରି ବିଭିନ୍ନ ପୂଜା ମଣ୍ଡପରେ ଆସନ୍ତା ୩୧ ତାରିଖ ସୁଦ୍ଧା ପହଞ୍ଚି ପାରିବ ସେଥିପାଇଁ ଅଦାଲତ ଅନୁମତି ଦେବାକୁ ଆବେଦନକାରୀ ପ୍ରାର୍ଥନା କରିଛନ୍ତି ।
ଆବେଦନକାରୀ ତାଙ୍କ ଆବେଦନରେ ଦର୍ଶାଇଛନ୍ତି ଯେ, ଗତ ଦୁଇବର୍ଷ ଧରି କରୋନା ପାଇଁ ମୂର୍ତ୍ତି ନିର୍ମାଣ ବନ୍ଦ ହୋଇଥିଲା । ଚଳିତ ବର୍ଷ ଧୂମଧାମରେ ପୂଜା ଅନୁଷ୍ଠିତ ହେବାକୁ ଯାଉଛି । କଟକର ଯେତେ ମଣ୍ଡପରେ ମୂର୍ତ୍ତି ପୂଜା ପାଅନ୍ତି ସେ ସମସ୍ତ ମୂର୍ତ୍ତି କୁମ୍ଭାର ସାହିରେ ତିଆରି ହୋଇଥାଏ । ଗତ ଦୁଇବର୍ଷ ଧରି ହାତବାନ୍ଧି ବସିଥିବା ଶହ ଶହ କୁମ୍ଭାର ପରିବାରକୁ ଚଳିତ ବର୍ଷ କିଛି କାମ ମିଳିଛି । ବିଭିନ୍ନ ପୂଜା ମଣ୍ଡପରୁ ସେମାନଙ୍କୁ ମୂର୍ତ୍ତି ନିର୍ମାଣ ପାଇଁ ଅର୍ଡର ମିଳିବା ପରେ ସେମାନେ ମୂର୍ତ୍ତି ନିର୍ମାଣରେ ନିମଗ୍ନ ମୂର୍ତ୍ତି ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିିଥିବା ବେଳେ ପୁରୀଘାଟ ଥାନାର କିଛି ଅଧିକାରୀ ଶିଳ୍ପୀ ସାହିରେ ପହଞ୍ଚିି ଚଢାଉ କରିଥିଲେ । ବିକୃତ ମୂର୍ତ୍ତି ନିର୍ମାଣ କରଯାଉଛି ବୋଲି ଅଭିଯୋଗ କରି ସେସବୁ ମୂର୍ତ୍ତିକୁ କୌଣସି ପୂଜାମଣ୍ଡପକୁ ଛାଡି ଦିଆଯିବ ନାହିଁ ବୋଲି ଧମକ ଦେଇଥିଲା । ଏଭଳି କୌଣସି ପ୍ରକାର ମୂର୍ତ୍ତି ନିର୍ମାଣ କରାଯାଇ ନାହିଁ ବୋଲି ଶିଳ୍ପୀମାନେ କହିଥିଲେ । କିନ୍ତୁ ଏହାକୁ ପୁଲିସ ଗ୍ରହଣ କରିନଥିଲା । ଏଥିଲାଗି ଆବେଦନକାରୀ ହାଇକାର୍ଟର ଦ୍ୱାରସ୍ଥ ହୋଇଥିବା ବେଳେ ଆସନ୍ତାକାଲି ମାମଲାର ଶୁଣାଣି ପାଇଁ ଦିନ ଧାର୍ଯ୍ୟ ହୋଇଛି । ସେହିପରି ବୁଢ଼ା ଗଣେଶ ବିସର୍ଜନକୁ ନେଇ ମଧ୍ୟ ବିବାଦ ସୃଷ୍ଟି ହୋଇଥିବାବେଳେ ବୁଢ଼ା ଗଣେଶ କମିଟି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଚଳିତ ବର୍ଷ ଗଣେଶ ପୂଜା ଅଗଷ୍ଟ ୩୧ ପଡ଼ୁଥିବାବେଳେ ପ୍ରଶାସନ ପକ୍ଷରୁ ସେପ୍ଟେମ୍ବର ୪, ୧୧ ଏବଂ ୧୮ ତାରିଖ ଅର୍ଥାତ ତିନୋଟି ରବିବାରରେ ଭସାଣି ଶୋଭଯାତ୍ରା କରି ବିସର୍ଜନ କରିବାକୁ ନିଷ୍ପତ୍ତି ନିଆଯାଇଛି । ହେଲେ ୧୮ ତାରିଖରେ ଦ୍ୱିତୀୟ ଘାଣ୍ଟ ଥିବାରୁ ସେଦିନ ଭସାଣି ଉତ୍ସବ କେମିତି ହେବ ବୋଲି କଟକ ମହାନଗର ବୁଢ଼ା ଗଣେଶ କମିଟି ପ୍ରଶାସନକୁ ପ୍ରଶ୍ନ କରିଥିଲା । ମାତ୍ର ପ୍ରଶାସନ କୌଣସି ନିଷ୍ପତ୍ତି ନେଇନଥିବା ବେଳେ କମିଟି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି । ଏହି ମାମଲାର ଶୁଣାଣି ସେପ୍ଟେମ୍ବର ୫ ତାରିଖ ଦିନ ଧାର୍ଯ୍ୟ କରାଯାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *