୧ରୁ ମହାଷଷ୍ଠୀ, ୬ରେ ଭସାଣୀ

କଟକ (ବୁ୍ୟରୋ): ଆଜି କଟକ ମହାନଗର ଶାନ୍ତି କମିଟି ପକ୍ଷରୁ ଦୁର୍ଗାପୂଜା ଓ ଭସାଣି ଉତ୍ସବ ନିମନ୍ତେ ଏକ ପ୍ରସ୍ତୁତି ସଭା ବିଡାନାସୀ ଦୁର୍ଗାପୂଜା କମିଟିର ସହଯୋଗରେ ସ୍ଥାନୀୟ ବିଡାନାସୀସ୍ଥିତ ଶ୍ରୀଶ୍ରୀ ଚହଟେଶ୍ୱର ମନ୍ଦିର ସମ୍ମୁଖରେ ଆୟୋଜିତ ହୋଇଯାଇଛି । ଏହି ସଭାକୁ କଟକ ମହାନଗର ଶାନ୍ତି କମିଟି ସଭାପତି ଦେବେନ୍ଦ୍ରନାଥ ସାହୁ ସଭାପତିତ୍ୱ କରିଥିବା ବେଳେ ସାଧାରଣ ସମ୍ପାଦକ ଭିକାରୀ ଦାସ ସମ୍ପାଦକୀୟ ବିବରଣୀ ପାଠ କରିବା ସହ ପୂଜା ଓ ଭସାଣି-୨୦୨୨ ସଂକ୍ରାନ୍ତୀୟ ଆଗତ ପ୍ରସ୍ତାବ ରଖିଥିଲେ । ଯାହାକି ଉକ୍ତ ସଭାରେ ଅନୁମୋଦନ ଲାଭ କରିଥିଲା । ଚଳିତ ବର୍ଷ ଅକ୍ଟୋବର ୧ରୁ ମହାଷଷ୍ଠୀରୁ ଦୁର୍ଗାପୂଜା ଆରମ୍ଭ ହୋଇ ୬ ତାରିଖ ଦିନ ଭସାଣୀ ଉତ୍ସବ ଅନୁଷ୍ଠିତ ହେବ । ୬ ତାରିଖ ସକାଳ ୯ଟା ରୁ ୭ ତାରିଖ ମଧ୍ୟରେ ମେଢ଼ ଗୁଡ଼ିକର ଭସାଣୀ କାର୍ଯ୍ୟକ୍ରମ ସମାପ୍ତ ହେବ । କଟକ ସହରର ପୂଜା ପରମ୍ପରାକୁ ଦୃଷ୍ଟିରେ ରଖି ମହାଷଷ୍ଠୀରୁ ବିଜୟାଦଶମୀ ପର୍ଯ୍ୟନ୍ତ ୫ ଦିନ ବ୍ୟାପୀ ସାଂସ୍କୃତିକ କାର୍ଯ୍ୟକ୍ରମ ନିମନ୍ତେ ସନ୍ଧ୍ୟା ୭ଟାରୁ ରାତ୍ରି ୧୨ଟା ପର୍ଯ୍ୟନ୍ତ ସମୟ ସୀମା ଧାର୍ଯ୍ୟ କରାଯାଇଛି । ଏହାସହ ଭସାଣୀ ଶୋଭାଯାତ୍ରା ଦିନରୁ ରାତ୍ରି ୧୨ଟା ପର୍ଯ୍ୟନ୍ତ ମାଇକ ବ୍ୟବହାର କରିବାକୁ ଅନୁମତି ପ୍ରଦାନ କରିବା ସହ ମାଇକ ଲାଇସେନ୍ସର ସରଳୀକରଣ କରିବାକୁ ଅନୁରୋଧ କରାଯାଇଛି । ଏହାସହ ରାତି ୧୨ଟା ପରେ ପାରମ୍ପରିକ ବାଜା ଓ ଘଣ୍ଟଧ୍ୱନି ମଧ୍ୟରେ ଭସାଣୀ ଶୋଭାଯାତ୍ରା ପରିଚାଳନା କରିବାକୁ ଅନୁମତି ପ୍ରଦାନ କରିବାକୁ ନିବେଦନ କରିଛନ୍ତି । ପୂର୍ବଦିଗ ଆଡ଼ୁ ଆସୁଥିବା ଭସାଣୀ ଶୋଭାଯାତ୍ରା ମେଢ଼ ଗୁଡ଼ିକର ଶୋଭାଯାତ୍ରାକରୀଙ୍କ ଭୋଜନ ନିମନ୍ତେ ରାସ୍ତାରେ ନ ରଖି ଏଲଆଇସି ଅଫିସ ସମ୍ମୁଖ ପଡ଼ିଆରେ ରଖିବାକୁ ଅନୁରୋଧ କରାଯାଇଥିଲା । ଏହାଫଳରେ ପଛରୁ ଆସୁଥିବା ମେଢ଼ ଗୁଡ଼ିକ ଅତିକ୍ରମ କରିବାରେ କୌଣସି ଅସୁବିଧା ସୃଷ୍ଟି ହେବନାହିଁ ।
ପୂଜା ସମୟରେ ୨୪ଘଣ୍ଟିଆ ପାନୀୟ ଜଳ ସହ ଅନ୍ୟାନ୍ୟ ଆନୁଷାଙ୍ଗିକ ବ୍ୟବସ୍ଥା କରିବାକୁ କୁହାଯାଇଥିଲା । କଟକ ସହରର ମୁଖ୍ୟ ଓ ଗଳିକନ୍ଦି ରାସ୍ତାଘାଟ ଅତି ଶୋଚନୀୟ ହୋଇପଡ଼ିଛି । ତେଣୁ ଚଳିତ ଦୁର୍ଗାପୂଜା ପୂର୍ବରୁ କଟକ ସହରର ରାସ୍ତାଘାଟ ଆବଶ୍ୟକ ସ୍ଥଳେ ମରାମତି ବା ପୁନଃ ନିର୍ମାଣ କରାଯିବା ସହିତ ମୁଖ୍ୟ ଓ ଗଳି ରାସ୍ତାରୁ ଅଳିଆ ଆବର୍ଜନା ଉଠାଇବା, ରାସ୍ତାର ଆଲୋକଗୁଡ଼ିକୁ କାର୍ଯ୍ୟକ୍ଷମ କରିବାକୁ ଅନୁରୋଧ କରାଯାଇଛି । ସିଏମ୍ସି ଅଞ୍ଚଳରେ ଅଧା ପଡ଼ିରହିଥିବା ଜାଇକା କାର୍ଯ୍ୟକୁ ତୁରନ୍ତ ଶେଷ କରିବା, ପୂଜାପୂର୍ବରୁ ନୂତନ କାର୍ଯ୍ୟ ଆରମ୍ଭ ନ କରିବାକୁ ନିଦେ୍ର୍ଦଶ ଦେବାକୁ ନିବେଦନ କରିଥିଲେ । ଏଥିସହ ପ୍ରତ୍ୟେକ ପୂଜା ମଣ୍ଡପର ସଭାପତି ଓ ସମ୍ପାଦକଙ୍କୁ ପୁଲିସ କମିଶନରେଟ ପକ୍ଷରୁ ଦୁର୍ଗାପୂଜା ଷଷ୍ଠୀଠାରୁ ଭସାଣୀ ଉତ୍ସବ ପର୍ଯ୍ୟନ୍ତ ପାଶ ଓ ବ୍ୟାଜ ଯୋଗାଇଦେବାର ବ୍ୟବସ୍ଥା କରିବା ସହ ଶାନ୍ତି କମିଟି ନିମନ୍ତେ କାର୍ ପାସ ପ୍ରଦାନ କରିବା ସହ ଷଷ୍ଠୀଠାରୁ ଭସାଣୀ ପର୍ଯ୍ୟନ୍ତ ହେଲମେଟ ଚେକିଂ ନ କରିବାକୁ ନିବେଦନ କରିଥିଲେ । କଟକ ମହାନଗର ପୂଜା କମିଟି ସମ୍ପାଦକ ତଥା ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀଙ୍କ ଉପସ୍ଥିତିରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ଏହି ପ୍ରସ୍ତୁତି ସଭାରେ ପୁଲିସ କିମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ, ଜିଲ୍ଲାପାଳ ଡ଼ଃ ଭବାନୀ ଶଙ୍କର ଚୟନୀ, ଡିସିପି ପିନାକ ମିଶ୍ର, କଟକ ସଦର ବିଧାୟକ ଚନ୍ଦ୍ରସାରଥୀ ବେହେରା, ବାରବାଟୀ-କଟକ ବିଧାୟକ ଇଂ ମହମ୍ମଦ ମୋକିମ, ଚୌଦ୍ୱାର-କଟକ ବିଧାୟକ ସୌଭିକ ବିଶ୍ୱାଳ, କଟକ ମହାନଗର ନିଗମ ମେୟର ସୁବାସ ସିଂ, ଡେପୁଟି ମେୟର ଦମୟନ୍ତୀ ମାଝୀ, ନଗର କଂଗ୍ରେସ କମିଟି ସଭାପତି ସୁରେଶ ମହାପାତ୍ର, ବିଡାନାସୀ ଦୁର୍ଗାପୂଜା କମିଟି ସଭାପତି ରମାକାନ୍ତ ଚାନ୍ଦ ଏବଂ ସମ୍ପାଦକ ଟୁକୁନା ସେନାପତି ପ୍ରମୁଖ ମଞ୍ଚାସୀନ ରହି ଦୁର୍ଗାପୂଜା ଓ ଭସାଣି ଉତ୍ସବ ସଂକ୍ରାନ୍ତରେ ଅଭିଭାଷଣ ପ୍ରଦାନ କରିଥିଲେ । କଟକ ମହାନଗର ଶାନ୍ତି କମିଟି ଉଭୟ କାର୍ଯ୍ୟକାରୀ ସଭାପତି ବିଜୟ ଦାସ ଓ ପ୍ରଦୀପ ସିନ୍ନାଙ୍କ ସମେତ ବିଭିନ୍ନ ପୂଜା କମିଟିର କର୍ମକର୍ତ୍ତାମାନେ ଏହି ସଭାରେ ଯୋଗଦେଇଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *