ଅଟୋକୁ ପିଟିଲା ଟ୍ରକ୍, ୫ ମୃତ
ଢେଙ୍କାନାଳ, ୨୮ ।୮ (ଆପ୍ର) : ପରଜଙ୍ଗ ବ୍ଲକଦେଇ କାମାକ୍ଷାନଗର ଯାଇଥିବା ୫୩ ନମ୍ବର ଜାତୀୟ ରାଜପଥ ଉପରେ ରବିବାର ଭୋର ସାଢେ ପାଞ୍ଚଟା ସମୟରେ ଏକ ହୃଦୟ ବିଦାରକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି । ଏହି ଦୁର୍ଘଟଣାରେ ମହୁଲ ଟୋଲପେଶିବାକୁ ଯାଉଥିବା ଗୋଟିଏ ଗ୍ରାମର ପାଞ୍ଚ ଜଣ ଏକ ସଙ୍ଗରେ ମୃତୁ୍ୟ ବରଣ କରିଛନ୍ତି ।
କାମାକ୍ଷାନଗର ବାଉଁଶପାଳ ପଞ୍ଚାୟତ ବାଙ୍ଗୁରା ଗ୍ରାମର ଅଙ୍କୁର ସାମଲ, କାଳିଆ ସାମଲ (୧୩) ବର୍ଷିୟ ବାଳକ, ଆଦିକନ୍ଦ ସାମଲ, ପହଲି ସାମଲ ଓ ଅନନ୍ତ ସାମଲ ପାଞ୍ଚଜଣ ଏକାଠି ଓଡି୦୬-ଏଫ-୯୫୯୦ ନମ୍ବର ଏକ ଅଟୋରେ ବସି ମୁକ୍ତାପଶି ଗ୍ରାମକୁ ମହୁଲ ଟୋଲ ପେଶିବାକୁ ଯାଉଥିଲେ । ଅଟୋଟି ୫୩ ନମ୍ବର ଜାତୀୟ ରାଜପଥ ଦେଇ ଯାଉଥିବା ବେଳେ ତାଳଚେର ଅଞ୍ଚଳରୁ କୋଇଲା ବୋଝେଇ ଟ୍ରକ୍ ଓଡି୦୫-ଏଚ-୦୮୨୫ ମୁକ୍ତାପଶି ଗ୍ରାମ ପଥର ଖମ୍ବ ଛକ ନିକଟରେ ଅଟୋକୁ ମୁହଁମୁହିଁ ଧକ୍କା ଦେଇଥିଲା । ଫଳରେ ଅଟୋରେ ବସିଥିବା ପାଞ୍ଚଜଣ ଯାକ ଯାତ୍ରୀଙ୍କ ଶୋଚନୀୟ ମୃତୁ୍ୟ ଘଟିଥିଲା । ଦୁର୍ଘଟଣାର ଖବର ସଙ୍ଗେ ସଙ୍ଗେ ଚାରିଆଡେ ଖେଳିଯିବା ସହିତ ଘଟଣା ସ୍ଥଳକୁ ଶହ ଶହ ଲୋକଙ୍କ ସୁଅ ଛୁଟିଥିଲା । ଦୁର୍ଘଟଣା ପରେ ଟ୍ରକ ଚାଳକ ଓ ହେଲପର ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ । ଖବର ପାଇ ଘଟଣା ସ୍ଥଳରେ କାମାକ୍ଷାନଗର ଏବଂ ପରଜଙ୍ଗ ପୁଲିସ ପହଞ୍ଚି ଘଟଣାର ତଦନ୍ତ କରିଥିଲେ । ଏହି ଘଟଣାକୁ ନେଇ ରାସ୍ତା ଅବରୋଧ କରାଯାଇଥିବାବେଳେ ରାଜ୍ୟ ସରକାରଙ୍କ ପୂର୍ତ୍ତ ବିଭାଗ ମନ୍ତ୍ରୀ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ଅନୁଧ୍ୟାନ କରିଥିଲେ ।
ମୃତକଙ୍କ ପରିବାର ବର୍ଗଙ୍କୁ ସମବେଦନା ଜଣାଇବା ସହ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୧ଲକ୍ଷ ଟଙ୍କା ଓ ଜିଲ୍ଲା ରେଡକ୍ରସ ତରଫରୁ ୨୫ ହଜାର ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦେବାକୁ କାମାକ୍ଷାନଗର ନିର୍ବାଚନ ମଣ୍ଡଳୀର ବିଧାୟକ ତଥା ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ପ୍ରକାଶ କରିଛନ୍ତି । ଖବରପାଇ କାମାକ୍ଷାନଗର ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ସାହୁ, ଏସଡିପିଓ ରଞ୍ଜନ କୁମାର ଦେ, ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ଶତ୍ରୁଘନ ଜେନା, ବ୍ଲକ ଅଧ୍ୟକ୍ଷ ପ୍ରେମାନନ୍ଦ ସାହୁ ପ୍ରମୁଖ ଗ୍ରାମରେ ପହଞ୍ଚି ଶୋକାକୂଳ ପରିବେଶରେ ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିଲେ । ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ସମବେଦନା ଜଣାଇଛନ୍ତି । ଶବ ଗୁଡିକ ବ୍ୟବଛେଦ ପରେ ଏକ ସଙ୍ଗରେ ଗ୍ରାମ ଶ୍ମଶାନରେ ଜୁଇ ଜଳିଥିବା ବେଳେ ଗ୍ରାମ ବାସୀଙ୍କ ମଧ୍ୟରେ ନିସ୍ତବ୍ଧତା ପ୍ରକାଶ ପାଇଥିଲା । ଏଭଳି ମୃତୁ୍ୟ କାହାକୁ ନଆସୁ ବୋଲି ଗ୍ରାମବାସୀମାନେ ପ୍ରକାଶ କରିବା ସହିତ ଏହି ଦୁର୍ଘଟଣାରେ ନାବାଳକର ମୃତୁ୍ୟକୁ ନେଇ ପରିବାର ବର୍ଗ ଦୁଃଖରେ ଭାଙ୍ଗିପଡିଥିବାର ଜଣାପଡିଛି । ପ୍ରକାଶ ଥାଉକି ୫୩ ନମ୍ବର ଜାତୀୟ ରାଜପଥ ବିପର୍ଯ୍ୟସ୍ତ ଯୋଗୁ ବାରମ୍ବାର ଦୁର୍ଘଟଣା ଘଟୁଥିବାର ସ୍ଥାନୀୟ ଲୋକାମାନ ଅଭିଯୋଗ କରିଛନ୍ତି । ପରଜଙ୍ଗ ବ୍ଲକ ସରାଙ୍ଗ ଜଟିଆ ଛକଠାରୁ ବ୍ରାହ୍ମଣୀ ପୋଲ ପର୍ଯ୍ୟନ୍ତ ୫୩ ନମ୍ବର ଜାତୀୟ ରାଜପଥ ବିପର୍ଯ୍ୟସ୍ତ ହୋଇ ପଡିଥିବାବେଳେ ବାରମ୍ବାର ଦାବି ସତ୍ୱେ ବିଭାଗୀୟ କର୍ତ୍ତୁପକ୍ଷଙ୍କ ଚିନ୍ତାନାହିଁ । ଯୁବ ସଙ୍ଗଠନ ତରଫରୁ ପୋଲର ଉଭୟପାଶ୍ୱର୍ରେ ଥିବା ଧୂଳିକୁ ସଫାକରିବା, ସନ୍ଧ୍ୟା ସମୟରେ ଜଟିଆ ଛକଠାରୁ ପୋଲ ପର୍ଯ୍ୟନ୍ତ ଜିଏସପି ଲଗାଇ ମରାମତି କରିବା ସହିତ ନବୋଦୟ ବିଦ୍ୟାଳୟ ନିକଟରେ ଥିବା ଡ୍ରେନକୁ ପୋତିବା, ପୋଲ ଉପରେ ଥିବା ଖାଲଖମା ପିଚୁ ପକାଇ ସଫା କରିବା, ଆଦି ଦାବି ରଖାଯିବା ସହିତ କାର୍ଯ୍ୟ ନହେଲେକୁୂନାଲ ଠିକାସଂସ୍ଥାଦାୟୀ ରହିବ ବୋଲି ପ୍ରକାଶ କରିଥିଲେ । ଆନେ୍ଦାଳନ ପରେ ରାସ୍ତା ମରାମତି ପାଇଁ ଲିଖିତ ପ୍ରତିଶ୍ରୁତି ଦିଆଯାଇଥିଲା ।