ବଙ୍ଗାଳିଦପା ରାସ୍ତା ମରଣଯନ୍ତା
ତିହିଡ଼ି (ଆପ୍ର): ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥରୁ ବଙ୍ଗାଳିଦପା ପର୍ଯ୍ୟନ୍ତ ଲମ୍ବିଥିବା ରାସ୍ତା ସଂପ୍ରତି ମରଣଯନ୍ତାରେ ପରିଣତ ହୋଇଛି । ତିହିଡ଼ି ବ୍ଲକ୍ ଅଧୀନ ବଙ୍ଗାଳିଦପା, ତଳଦପା, ନୂଆବନ୍ଧ, ମୁଟୁରିଗଡ଼ ଓ ସାପକାତିଆ ଗ୍ରାମର ହଜାର ହଜାର ଜନସାଧାରଣ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ଏହି ୫ କିଲୋମିଟର ଦୈର୍ଘ୍ୟର ରାସ୍ତାରୁ ୨ କିଲୋମିଟର ରାସ୍ତା ବିପର୍ଯ୍ୟସ୍ତ ଅବସ୍ଥାରେ ଗତ ପାଞ୍ଚ ବର୍ଷ ହେଲା ପଡ଼ି ରହିଛି । ଏଭଳି ସ୍ଥିତିରେ ରାତି ହେଲେ ଲୋକେ ତିହିଡ଼ି ସ୍ୱାସ୍ଥ୍ୟକେନ୍ଦ୍ର ସମେତ ତିହିଡ଼ିର ବିଭିନ୍ନ ଜରୁରୀକାଳୀନ କାର୍ଯ୍ୟାଳୟକୁ ଆସିବାକୁ ଭୁଲିଯାଆନ୍ତି । ସେହିପରି କୋହ୍ଲ ହାଇସ୍କୁଲ୍କୁ ଅଧ୍ୟୟନ ପାଇଁ ଆସୁଥିବା ଛାତ୍ରଛାତ୍ରୀ କେଉଁ ଅବସ୍ଥାରେ ଆସୁଛନ୍ତି ତାହା ନ କହିବା ଭଲ । ଏହା ଏକ ବନ୍ୟାଞ୍ଚଳ ହୋଇଥିବାରୁ ରିଲିଫ୍ ସାମଗ୍ରୀ ପହଞ୍ଚାଇବା କଷ୍ଟ ସାଧ୍ୟ । ଏପରିକି ଦମକଳ ଗାଡ଼ି ମଧ୍ୟ ଆସିବା କଷ୍ଟ । ଏକଥା ତିହିଡ଼ି ଗ୍ରାମ୍ୟ ଉନ୍ନୟନ ବିଭାଗ ସବଡିଭିଜନର ଅଧିକାରୀ ଭଲ ଭାବେ ଜାଣି ମଧ୍ୟ ନିରବ । ଆପତି ଅଭିଯୋଗ ଆସିଲେ ସରକାରଙ୍କ ଅର୍ଥ ଅଭାବ ଦର୍ଶାଇ ଅକ୍ଷମତା ପ୍ରକାଶ କରିବା ବ୍ୟତୀତ ପ୍ରତିକାର କଥା ଚିନ୍ତା କରୁନାହାନ୍ତି । ଫଳରେ ସ୍ଥାନୀୟ ଲୋକେ ମଥାରେ ହାତଦେଇ ଭାଗ୍ୟକୁ ଆଦରି ରହୁଛନ୍ତି । ଲୋକଙ୍କ ଉନ୍ନତି କଥା ସରକାର କହୁଥିବା ବେଳେ ଗ୍ରାମ୍ୟ ଉନ୍ନୟନ ବିଭାଗ ଏଥିପ୍ରତି ଦୃଷ୍ଟି ନଦେବା ଚିନ୍ତାର କାରଣ ପାଲଟିଛି । ତିହିଡ଼ିରେ ଗ୍ରାମ୍ୟ ଉନ୍ନୟନ ବିଭାଗର ଉପଖଣ୍ଡ କାର୍ଯ୍ୟାଳୟ ଥିଲେ ବି ଏହା ଅନେକ ସମୟରେ ବନ୍ଦ ରହୁଛି । ବିଭାଗୀୟ ଅଧିକାରୀଙ୍କ ଖିଆଲି ନୀତି ଯୋଗୁ ପ୍ରତ୍ୟେକ ଦିନ ଏହି ରାସ୍ତାରେ ଦୁର୍ଘଟଣାମାନ ଘଟୁଛି । ତୁରନ୍ତ ତଦନ୍ତ ପୂର୍ବକ ଜନସାଧାରଣଙ୍କ ପାଇଁ ସୁଗମ୍ୟ ସଡ଼କ ନିର୍ମାଣ କରିବା ପାଇଁ ବିହିତ ବ୍ୟବସ୍ଥା କରା ନ ଗଲେ ସ୍ଥାନୀୟ ଜନସାଧାରଣ ଅହିଂସାତ୍ମକ ପନ୍ଥା ଅବଲମ୍ବନ କରି ବିଭାଗୀୟ କାର୍ଯ୍ୟାଳୟ ସମ୍ମୁଖରେ ଅନଶନରେ ବସିବାକୁ ଚେତାବନୀ ଦେଇଛନ୍ତି ।