ନିନ୍ଦା ସହି ନ ପାରି ଶାଶୂଙ୍କ ଆତ୍ମହତ୍ୟା
ଶାଶୂଘର ଆଗରେ ବୋହୂର ଧାରଣା
ଗଞ୍ଜାମ(ଆପ୍ର):ଗଞ୍ଜାମ ଥାନା ମଧ୍ୟଖଣ୍ଡ ସାହି ବାସିନ୍ଦା ନାରାୟଣ ପଣ୍ଡାଙ୍କ ବୋହୂ ତନ୍ମୟୀ ପଣ୍ଡା ନିର୍ଯାତନା ପ୍ରତିବାଦରେ ଶାଶୂ ଘର ଆଗରେ ଧାରଣା ଦେଇଥିଲେ । ତେବେ ଲୋକଲଜ୍ଜା ସହି ନ ପାରି ଶାଶୂ ସୁଷମା ପଣ୍ଡା ଫିନାଇଲ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି ।
ଧାରଣା ସ୍ଥଳରୁ ତନ୍ମୟୀ ପଣ୍ଡା ଫେରାର ହୋଇଯାଇଛନ୍ତି । ଏନେଇ ରବିବାର ମୃତକଙ୍କ ବଡ଼ ପୁଅ ଶାନ୍ତନୁ ଗଞ୍ଜାମ ଥାନା ଆଇଆଇସିଙ୍କ ବିରୋଧରେ ଛତ୍ରପୁର ଏସ୍ଡ଼ିପିଓ ଗୌତମ କିଷାନଙ୍କ ନିକଟରେ ଲିଖିତ ଏତଲା ଦାୟର କରିଛନ୍ତି ।
ଶନିବାର ସନ୍ଧ୍ୟାରେ ତନ୍ମୟୀ ଧାରଣା ଦେବା ପରେ ତାଙ୍କ ବିରୋଧରେ ଅଭିଯୋଗ କରିଥିଲେ ସୁଦ୍ଧା ଆଇଆଇସି ଘଟଣାରେ ହସ୍ତକ୍ଷେପ ନ କରିବାରୁ ତାଙ୍କ ମା’ ଅପମାନ ବୋଧ କରି ଆତ୍ମହତ୍ୟା କଲେ ବୋଲି ଏତଲାରେ ଦର୍ଶାଇଛନ୍ତି । ବିଳମ୍ବିତ ରାତିରେ ତାଙ୍କ ଘର ଆଗରେ ଗାଳିଗୁଲଜ କରାଯାଉଥିବା ଉଲ୍ଲେଖ ରହିଛି । ସୁଷମା ବିଳମ୍ବିତ ରାତ୍ରରେ ପାଇଖାନାରେ ଥିବା ଫିନାଇଲ ପିଇ ଦେଇଥିଲେ । ପୁଅ ଓ ସ୍ୱାମୀ ନାରାୟଣ ପଣ୍ଡା ତାଙ୍କୁ ପ୍ରଥମେ ଛତ୍ରପୁର ଓ ପରେ ବ୍ରହ୍ମପୁର ବଡ଼ ମେଡ଼ିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ସୁଷମାଙ୍କୁ ମୃତ ଘୋଷଣା କରିଥିଲେ ।
ଏନେଇ ଦିନ ତମାମ ସାହିରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ଅନ୍ୟପଟେ ପୁଲିସ ବିରୋଧରେ ହୋଇଥିବା ଅଭିଯୋଗକୁ ଏସ୍ଡ଼ିପିଓ ଗୌତମ କିଷାନ ଖଣ୍ଡନ କରିଛନ୍ତି । ଧାରଣାରେ ବସିଥିବା ନେଇ ତାଙ୍କ ପୁଅ ଅଭିଯୋଗ କଲା ପରେ ପୁଲିସ ବାରମ୍ବାର ପାଟ୍ରୋଲିଂ କରିଥିଲା । ରାତି ୨ଟାରେ ପୁଲିସ ଟିମ୍ ଘଟଣାସ୍ଥଳକୁ ଯାଇଥିଲେ ବୋଲି ଏସ୍ଡ଼ିପିଓ କହିଛନ୍ତି । ଏନେଇ ଗଞ୍ଜାମ ଥାନା ପୁଲିସ ପକ୍ଷରୁ ପୃଥକ ପୃଥକ ଭାବେ ଦୁଇଟି କେସ୍ ରୁଜୁ କରାଯାଇଛି ।