ଟ୍ୱିନ୍ ଟାୱାର୍ ଧ୍ୱସ୍ତ
ନୂଆଦିଲ୍ଲୀ, ୨୮ ।୮: ସୁପ୍ରିମକୋର୍ଟଙ୍କ ନିଦେ୍ର୍ଦଶର ବର୍ଷକ ପରେ ନୋଏଡ଼ା ସେକ୍ଟର-୯୩(ଏ) ସ୍ଥିତ ଦେଶର ଉଚ୍ଚତମ ଦୁଇ ଅଟ୍ଟାଳିକା (ସୁପରଟେକ୍ କମ୍ପାନୀର ଟ୍ୱିନ୍ ଟାୱାର)କୁ ରବିବାର ଅପରାହ୍ନ ୨.୩ଠରେ ୧୨ ସେକେଣ୍ଡରେ ଧ୍ୱସ୍ତ କରି ଦିଆଯାଇଛି । ୩୨ ମହଲାର ଏକ୍ସପ୍ରେସ ଓ ୨୯ର ସିଆନ୍ ଟାୱାରକୁ ଧରାଶାୟୀ କରିବା ପାଇଁ ୩୭ଠଠ କେଜି ବାରୁଦ ବ୍ୟବହାର କରାଯାଇଥିଲା । ପୂର୍ବରୁ ପ୍ରାୟ ୭ ହଜାର ଲୋକଙ୍କୁ ଏକ୍ସପ୍ଲୋଜନ ଜୋନ୍ରୁ ହଟାଇ ଦିଆଯାଇଥିଲା । ଟାୱାର ନିର୍ମାଣ ପାଇଁ ଦାୟୀ ୨୬ ଅଫିସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ୟୁପି ମୁଖ୍ୟମନ୍ତ୍ରୀ ନିଦେ୍ର୍ଦଶ ଦେଇଛନ୍ତି ।
ଅଧିକାଂଶ ଅଫିସର ଏବେ ଅବସରପ୍ରାପ୍ତ ଥିଲେ । ଏମାନଙ୍କ ଛଡ଼ା ସୁପରଟେକ୍ କମ୍ପାନୀର ୪ ନିଦେ୍ର୍ଦଶକ ଓ ଆର୍କିଟେକ୍ଟଙ୍କୁ ଅଭିଯୁକ୍ତ ତାଲିକାରେ ରଖାଯାଇଛି । ଯୋଜନା ଅନୁଯାୟୀ ଟ୍ୱିନ ଟାୱାରର ଧ୍ୱଂସାବଶେଷ ଏମରାଲ୍ଡ କୋର୍ଟ ସୋସାଇଟି ପରିବର୍ତ୍ତେ ଏଟିଏସ୍ ଆଡ଼କୁ ପଡ଼ିବା ଫଳରେ ଆଖପାଖର କୋଠାବାଡ଼ିର ବିଶେଷ କ୍ଷତି ହୋଇନାହିଁ । ବିସ୍ଫୋରଣ ଶବ୍ଦ ବହୁ ଦୂରକୁ ଶୁଣାଯାଇଥିଲା ଏବଂ ଟାୱାର ଭୁଶୁଡ଼ିବା ପରେ ପରେ ଧୂଳିର ପ୍ରକାଣ୍ଡ ବାଦଲ ସୃଷ୍ଟି ହୋଇଥିଲା ।
ବ୍ଲାଷ୍ଟ ପରେ ଦୁଇଟିଯାକ ଟାୱାର ଚାରି ମହଲା କୋଠା ଉଚ୍ଚତାର ଧ୍ୱଂସାବଶେଷ ହଟାଇବା କାମରେ ୩ଠଠ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । ୫ଠରୁ ଅଧିକ ଦମକଳ ଗାଡ଼ିରୁ ପାଣି ସ୍ପ୍ରେ କରାଯାଇ ନିକଟବର୍ତ୍ତୀ କୋଠାବାଡ଼ିରୁ ଧୂଳିର ଆସ୍ତରଣ ସଫା କରାଯାଉଛି ।
ବ୍ଲାଷ୍ଟିଂ ଟିମ୍ର ନେତୃତ୍ୱ ନେଇଥିଲେ ଓଡ଼ିଆ ବୈଜ୍ଞାନିକ ଡକ୍ଟର ଦେବୀପ୍ରସନ୍ନ କାନୁନ୍ଗୋ । ୫୭ ବର୍ଷୀୟ ଡକ୍ଟର ପଟ୍ଟନାୟକ ଉକ୍ରଳ ବିଶ୍ୱବିଦ୍ୟାଳୟରୁ ଜିଓଲଜିରେ ବିଏସ୍ସି ଡିଗ୍ରି ଲାଭ କରି ରୁର୍କୀ ବିଶ୍ୱବିଦ୍ୟାଳୟରେ ଆପ୍ଲାଏଡ୍ ଜିଓଲଜିରେ ଏମ୍ଟେକ୍ ଏବଂ ଆଇଆଇଟି ରୁର୍କୀରେ ପିଏଚ୍ଡି କରିଥିଲେ । ଭୂ-ସ୍ଖଳନ, ବିପର୍ଯ୍ୟୟ ପ୍ରଶମନ କ୍ଷେତ୍ରରେ ବିଶେଷ ଦଖଲ ଥିବା ଡକ୍ଟର କାନୁନ୍ଗୋ ଏବେ ରୁର୍କୀ ସ୍ଥିତ ସିଏସ୍ଆଇଆର୍- ସେଣ୍ଟ୍ରାଲ ବିଲ୍ଡିଂ ରିସର୍ଚ୍ଚ ଇନ୍ଷ୍ଟିଚୁ୍ୟଟ୍ର ସିନିଅର ପ୍ରିନ୍ସିପାଲ ସାଇଣ୍ଟିଷ୍ଟ୍ ଭାବେ କାର୍ଯ୍ୟରତ ।
ନ୍ୟାସନାଲ ବିଲ୍ଡିଂ କୋଡ୍ର ନିୟମ ପ୍ରତି ଅଣଦେଖା କରି ଏହି ଦୁଇ ଟାୱାରର ନିର୍ମାଣକୁ ମଞ୍ଜୁରି ଦିଆଯାଇଥିଲା । ଦୁଇଟିଯାକ ଟାୱାର ମଧ୍ୟରେ ସର୍ବାନିମ୍ନ ଦୂରତା ୧୬ ମିଟର ରହିବା କଥା । କିନ୍ତୁ ୯ ମିଟର ବ୍ୟବଧାନରେ ଟାୱାର ନିର୍ମିତ ହୋଇଥିଲା । ପୁନଶ୍ଚ ଗ୍ରୀନ୍ ପାର୍କ, ଚିଲ୍ଡ୍ରେନ୍ ପାର୍କ ଓ କମର୍ସିଆଲ୍ କମ୍ପ୍ଲେକ୍ସ ପାଇଁ ଉଦ୍ଦିଷ୍ଟ ସ୍ଥାନରେ ଟାୱାର ଉଠିଥିଲା । ମୁଖ୍ୟତଃ ଏହି ୩ ନିୟମର ଉଲ୍ଲଂଘନ କାରଣରୁ ଏହ୍ଲାବାଦ ହାଇକୋର୍ଟ ୮ ବର୍ଷ ପୂର୍ବେ ଟ୍ୱିନ୍ ଟାୱାର ଭାଙ୍ଗିଦେବା ପାଇଁ ଆଦେଶ ଦେଇଥିଲେ । ସୁପରଟେକ୍ କମ୍ପାନୀ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଶୀର୍ଷ ଅଦାଲତ ଗତବର୍ଷ ଅଗଷ୍ଟରେ ଟାୱାର ଭାଙ୍ଗିବା ପାଇଁ ରାୟ ଦେଇଥିଲେ ।