ରିଲିଫ୍ ବଣ୍ଟାରୁ ତେଜିଲା ଅସନ୍ତୋଷ
ପୁରୀ/କଣାସ (ବୁ୍ୟରୋ): ପୁରୀ ଜିଲ୍ଲା କଣାସ ବ୍ଲକ୍ରେ ଦୁଇ ଦୁଇଟି ଘାଇ ହେବା ଯୋଗୁ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । ଫଳରେ ବ୍ଲକ୍ଗୁଡ଼ିକରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା । ଏପରିକି ହଜାର ହଜାର ଲୋକ ଦୀର୍ଘଦିନ ଧରି ଜଳଘେରରେ ରହିଥିଲେ । ତତ୍ସହିତ ସେମାନଙ୍କ ଚାଷଜମି ଠାରୁ ଆରମ୍ଭ କରି ବାସଗୃହ ମଧ୍ୟ ମାତ୍ରାଧିକ ଭାବେ କ୍ଷତିଗ୍ରସ୍ତ ହୋଇପଡ଼ିଛି । ଆଜି ବି ସେମାନେ ନିଜ ଘରକୁ ସଠିକ୍ ଭାବେ ଠିଆ କରାଇ ପାରିନାହାନ୍ତି । ଏଭଳି ସ୍ଥିତିରେ ବନ୍ୟାବିପନ୍ନମାନେ ରିଲିଫ୍ ପାଇବାରୁ ବଞ୍ଚିତ ହେଉଛନ୍ତି । ଯାହାଫଳରେ ସେମାନେ ରିଲିଫ୍ ପାଇଁ ଘରଦ୍ୱାର ଛାଡ଼ି ରାସ୍ତା ଅବରୋଧ କରିବାକୁ ପଡ଼ିଛି । ଏଭଳି ଘଟଣାକୁ ନେଇ ସାରା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି ।
ଉକ୍ତ ବ୍ଲକ୍ର ବିଜିପୁର ପଞ୍ଚାୟତରେ ରିଲିଫ୍ ବଣ୍ଟନରେ ବ୍ୟାପକ ଅନିୟମିତତା ହୋଇଛି । ଏପିରିକି ସେମାନଙ୍କୁ ମଧ୍ୟ ପଲିଥିନ ପ୍ରଦାନରେ ତଞ୍ଚକତା କରିଛି ପ୍ରଶାସନ । ତେଣୁ ପ୍ରଶାସନର ଏଭଳି ନିଷ୍ପତ୍ତିକୁ ବିରୋଧ କରି ଉକ୍ତ ପଞ୍ଚାୟତର ଶତାଧିକ ବନ୍ୟାବିପନ୍ନ ଚନ୍ଦନପୁର-ରାମେଶ୍ୱର ଜଗନ୍ନାଥ ସଡ଼କକୁ ଦୀର୍ଘ ସମୟ ଧରି ଅବରୋଧ କରିବା ସହ ହୋ-ହଲ୍ଲା କରିଥିଲେ । ଏନେଇ ପୂର୍ବତନ ସରପଞ୍ଚ ପ୍ରତାପ ଜେନାଙ୍କ ନେତୃତ୍ୱରେ ବନ୍ୟାବିପନ୍ନ ଟାଣ ଖରାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଦୀର୍ଘ ସମୟରେ ସ୍ଥାନୀୟ ବିଡିଓ ଲୋଚନ ଦାସ ଘଟଣାସ୍ଥଳରେ ପହଞ୍ଚô ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ଘଟଣାର ତଦନ୍ତ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ବିପନ୍ନମାନେ ରାସ୍ତା ଅବରୋଧରୁ ହଟିଥିଲେ ।
ଏନେଇ ପୂର୍ବତନ ସରପଞ୍ଚ ଶ୍ରୀ ଜେନା ଅଭିଯୋଗ କରିଛନ୍ତି ଯେ, ବିଜିପୁର ପଞ୍ଚାୟତରେ ଲୋକଙ୍କୁ ରିଲିଫ୍, ପଲିଥିନ୍ ଓ ଗୋ-ଖାଦ୍ୟ ବଣ୍ଟନରେ ବ୍ୟାପକ ଅନିୟମିତତା ହୋଇଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ବ୍ଲକ୍ରୁ ଆସିଥିବା ରିଲିଫ୍ ଓ ପଲିଥିନ ବଣ୍ଟନରେ ସ୍ଥାନୀୟ ସରପଞ୍ଚ ଓ ସମିତିସଭ୍ୟ ଅନିୟମିତତା କରିଛନ୍ତି । ଏପରିକି ବନ୍ୟା ବିପନ୍ନଙ୍କୁ ଶୁଖିଲା ଖାଦ୍ୟ, ପଲିଥିନ ଓ ଗୋରୁଗାଈଙ୍କ ଗୋ-ଖାଦ୍ୟ ଆଣି କିଛି ଲୋକଙ୍କୁ ବଣ୍ଟନ କରିଛନ୍ତି । ବାସ୍ତବରେ ପ୍ରକୃତ ବନ୍ୟାବିପନ୍ନମାନେ ରିଲିଫ୍ ପାଇବା କଥା ସେମାନେ ପାଇ ନାହାନ୍ତି । ଦଳୀୟ ଭିତିରେ ରିଲିଫ୍ ବଣ୍ଟନ କରାଯାଇଛି । ଏହାର ବିଧିବଦ୍ଧ ତଦନ୍ତ କରାଯାଇ ଦଳମତ ନିର୍ବିଶେଷରେ ଉପଯୁକ୍ତ ହିତାଧିକାରୀଙ୍କୁ ରିଲିଫ୍ ସାମଗ୍ରୀ ବଣ୍ଟନ କରାଯାଉ ବୋଲି ଦାବି କରିଛନ୍ତି ।
ସୂଚନାଥାଉକି, ଚଳିତଥର ବନ୍ୟାରେ ଜିଲ୍ଲାର କଣାସ ବ୍ଲକ୍ ମାତ୍ରାଧିକ ଭାବେ କ୍ଷତିଗ୍ରସ୍ତ ହୋଇଥିଲା । ଏପରିକି ଉକ୍ତ ବ୍ଲକ୍ର ୨୮ ପଞ୍ଚାୟତ ସମ୍ପୂର୍ଣ୍ଣ ଜଳମଗ୍ନ ହୋଇଥିଲା ।