ବନ୍ୟା ପରେ ବାତ୍ୟା ଭୟ
ଭୁବନେଶ୍ୱର, ୨୭ା୮ (ବୁ୍ୟରୋ): ପ୍ରାକୃତିକ ଦୁର୍ବିପାକ ଓଡ଼ିଶା ପିଛା ଛାଡ଼ୁନି । ଅଗଷ୍ଟ ମାସ ସାରା ରାଜ୍ୟରେ ବନ୍ୟା ଲାଗି ରହିଥିବାବେଳେ ଏଯାବତ୍ ଲୋକଙ୍କ ଦୁର୍ଦ୍ଦଶା କମିନି । ଏହି ସ୍ଥିତିରେ ଆସନ୍ତା ଅକ୍ଟୋବରରୁ ଡିସେମ୍ବର ମାସରେ ବଙ୍ଗୋପସାଗରରେ ଏକାଧିକ ବାତ୍ୟା ସୃଷ୍ଟି ହେବ ବୋଲି ଆମେରକୀୟ ପାଣିପାଗ ବିଜ୍ଞାନୀ ଜେସନ୍ ନିକୋଲସ୍ ଆଶଙ୍କା ପ୍ରକାଶ କରିଛନ୍ତି । ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ବାତ୍ୟା ସୃଷ୍ଟି ହେବା ପାଇଁ ସମସ୍ତ ପ୍ରକାର ପାଣିପାଗ ସ୍ଥିତି ଅନୁକୁଳ ରହିଛି । ବାତ୍ୟା ସୃଷ୍ଟି ହେବା ସହ ଏହା ଅଧିକ ଘନୀଭୂତ ହେବା ପାଇଁ ବଳ ମଧ୍ୟ ପାଇବ । ଗତ କିଛି ବର୍ଷ ହେବ ଲଗାତାର ଭାବେ ମୌସୁମୀ ପୂର୍ବବର୍ତ୍ତି ଏପ୍ରିଲ୍-ଜୁନ୍ ଓ ମୌସୁମୀ ପରବର୍ତ୍ତି ଅକ୍ଟୋବର-ଡିସେମ୍ବର ମଧ୍ୟରେ ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହେଉଛି । ମାତ୍ର ଚଳିତ ବର୍ଷ କେବଳ ମୌସୁମୀ ପରବର୍ତ୍ତି ସମୟରେ ୩ରୁ ୪ ବାତ୍ୟା ସୃଷ୍ଟି ହେବାର ଆଶଙ୍କା ଦେଖା ଦେଇଛି ।
ଅନ୍ୟପଟେ ବଙ୍ଗୋପସାଗରରେ ସୃଷ୍ଟି ହୋଇ ଶକ୍ତିଶାଳୀ ହେଉଥିବା ବାତ୍ୟାଗୁଡ଼ିକ ଭାରତ ଉପକୂଳକୁ ମୁହାଁଉଛି । ଭାରତ ଉପରେ ଗୁରୁଚାପ ବଳୟର ପ୍ରଭାବ ରହୁନାହିଁ । ଏହାଦ୍ୱାରା ବଙ୍ଗୋପସାଗର ବାତ୍ୟା ଭାରତ ଉପକୂଳରେ ସ୍ଥଳଭାଗ ଛୁଇଁବା ପାଇଁ ପରିସ୍ଥିତି ଅନୁକୂଳ ରହୁଛି । ତେଣୁ ଭାରତର ପୂର୍ବ ଉପକୂଳ ରାଜ୍ୟଗୁଡ଼ିକ ପାଇଁ ବିପଦ ବଢ଼ÿିବାରେ ଲାଗିଛି ବୋଲି ନିକଟରେ ପ୍ରକାଶ ପାଇଥିବା ମେଟ୍ରୋଲୋଜି ଆଣ୍ଡ ଆଟମୋସ୍ପିୟରିକ୍ ଫିଜିକ୍ସ ଜର୍ଣ୍ଣାଲରେ ଦର୍ଶାଯାଇଛି । ଗତ ୬୦ ବର୍ଷ ଅର୍ଥାତ ୧୯୬୦-୨୦୧୯ ମଧ୍ୟରେ ବଙ୍ଗୋପସାଗର ଓ ଆରବ ସାଗରରେ ବାତ୍ୟା ସଂଖ୍ୟା ବଢ଼ÿିବାରେ ଲାଗିଛି । ଏହି ବାତ୍ୟାଗୁଡ଼ିକ ଉଭୟ ମୌସୁମୀ ପୂର୍ବବର୍ତ୍ତିକାଳୀନ ଓ ପରବର୍ତ୍ତିକାଳୀନ ସମୟରେ ସୃଷ୍ଟି ହେଉଛି । ସେହିପରି ଭୀଷଣ ବାତ୍ୟା କିମ୍ବା ଏହାଠାରୁ ଅଧିକ ଶକ୍ତିଶାଳୀ ହେଉଥିବା ବାତ୍ୟାଗୁଡ଼ିକ ସଂଖ୍ୟା ମୌସୁମୀ ପରବର୍ତ୍ତୀକାଳନୀ ସମୟରେ ବଙ୍ଗୋପସାଗରରେ ବୃଦ୍ଧି ପାଇଛି । କିନ୍ତୁ ମୌସୁମୀ ପୂର୍ବବର୍ତ୍ତିକାଳୀନ ସମୟରେ ଆରବସାଗରରେ ଏହି ସଂଖ୍ୟା ବୃଦ୍ଧି ହୋଇଛି ।
ଆଇଆଇଟି ଆସିଷ୍ଟାଣ୍ଟ ପ୍ରଫେସର ତଥା ବରିଷ୍ଠ ପାଣିପାଗ ବିଶେଷଜ୍ଞ ଡ. ସନ୍ଦୀପ ପଟ୍ଟନାୟକ କହିଛନ୍ତି, ଗତ କିଛି ବର୍ଷ ହେବ ମୌସୁମୀ ପ୍ରତ୍ୟାବର୍ତ୍ତନରେ ବିଳମ୍ବ ହେଉଛି ।
ତେଣୁ ୩ ବର୍ଷ ହେବ ମୌସୁମୀ ପରବର୍ତ୍ତି ସମୟରେ ବାତ୍ୟା ସୃଷ୍ଟି ହେଉନାହିଁ । କିନ୍ତୁ ବର୍ତ୍ତମାନ ଜଳବାୟୁ ପରିବର୍ତ୍ତନ ସହ ସାମୁଦ୍ରିକ ତାପମାତ୍ରା ବୃଦ୍ଧି ହେତୁ ବାତ୍ୟା ସୃଷ୍ଟି ପାଇଁ ପରିବେଶ ଅନୁକୂଳ ରହୁଛି । ମୌସୁମୀ ପ୍ରତ୍ୟାବର୍ତ୍ତନ କେବେ ହେଉଛି ତାହାକୁ ଦେଖିବାକୁ ପଡ଼ିବ । ଯଦି ଚଳିତ ବର୍ଷ ମୌସୁମୀ ପ୍ରତ୍ୟାବର୍ତ୍ତନ ବିଳମ୍ବ ହେବ ତେବେ ବାତ୍ୟା ଆଶଙ୍କା ହ୍ରାସ ପାଇବ । ଯଦି ମୌସୁମୀ ଶୀଘ୍ର ଅପଶାରଣ ହେଉଛି, ତାହାଲେ ବାତ୍ୟାର ଆଶଙ୍କା ବଢ଼ିବ । ବଙ୍ଗୋପସାଗର ବାତ୍ୟା ହେଲେ ପଶ୍ଚିମବଙ୍ଗପରୁ ଆନ୍ଧ୍ରପ୍ରଦେଶ ପର୍ଯ୍ୟନ୍ତ ବିପଦ ରହୁଛି । ତେଣୁ ବାତ୍ୟାର କେଉଁଠି ଉତ୍ପତିସ୍ଥଳ ରହୁଛି ଓ କେତେ କିମି ଦୂରତ୍ୱ ରହିବ ବର୍ତ୍ତମାନଠାରୁ କହିହେବ ନାହିଁ । ଯଦି ବାତ୍ୟା ବଢ଼ÿିବା ନେଇ ଆକଳନ କରାଯାଇଛି, ତେବେ ମୌସୁମୀ ପ୍ରତ୍ୟାବର୍ତ୍ତନକୁ ଅପେକ୍ଷା କରିବାକୁ ପଡ଼ିବ ବୋଲି ଡ. ପଟ୍ଟନାୟକ କହିଛନ୍ତି ।
ସେପଟେ ଚଳିତବର୍ଷ ଅକ୍ଟୋବର ମଧ୍ୟ ଭାଗରେ ଓଡ଼ିଶାରୁ ମୌସୁମୀ ବିଦାୟ ନେଇପାରେ ବୋଲି ପାଣିପାଗ ବିଶେଷଜ୍ଞ ପ୍ରକାଶ କରିଛନ୍ତି । କେରଳରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅପଶାରଣ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ଓଡ଼ିଶାରୁ ଅକ୍ଟୋବର ଶେଷ ସୁଦ୍ଧା ବିଦାୟ ନେଇପାରେ । ତେଣୁ ବାତ୍ୟା ଭୟ ଏବେ ସ୍ପଷ୍ଟ ନୁହେଁ ବୋଲି ପାଣିପାଗ ବିଶେଷଜ୍ଞ ପ୍ରକାଶ କରିଛନ୍ତି । ସେପଟେ ଆସନ୍ତାକାଲି ମଧ୍ୟ ରାଜ୍ୟରେ ବର୍ଷା ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରକାଶ ପାଇଛି । ମୋଟ ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ରହିଛି । ଅନୁଗୁଳ, ଢ଼େଙ୍କାନାଳ, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନାଗିରି, ଗଜପତି, କେନ୍ଦୁଝର, ମୟୁରଭଞ୍ଜ, ଯାଜପୁର, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରକାଶ ପାଇଛି ।