ଆଜି ଭାରତ-ପାକ୍ ମୁକାବିଲା
ଦୁବାଇ, ୨୭ା୮ (ଏଜେନ୍ସି): ଏସିଆ କପ୍ରେ ରବିବାର ସନ୍ଧ୍ୟା ୭ଟା ୩୦ରେ ଭାରତ ଓ ପାକିସ୍ତାନ ମଧ୍ୟରେ ମୁକାବିଲା ହେବ । ଏହି ମ୍ୟାଚ୍କୁ ନେଇ ଉକ୍ରଣ୍ଠା ଚରମ ସୀମାରେ ପହଞ୍ଚିଛି । ପ୍ରାୟ ୧୦ ମାସ ପରେ ଆନ୍ତର୍ଜାତିକ କ୍ରିକେଟ୍ରେ ଉଭୟ ଟିମ୍ ମୁହାଁମୁହିଁ ହେବେ । ଉଭୟ ଟିମ୍ ନିଜ ନିଜ ରଣନୀତି ସହ ମଇଦାନକୁ ଓହ୍ଲାଇବେ । ଭାରତୀୟ ଟିମ୍ରେ ମୁଖ୍ୟ ପେସର୍ ଯଶପ୍ରୀତ ବୁମ୍ରା ନ ଥିବା ବେଳେ ପାକିସ୍ତାନୀ ଟିମ୍ରେ ମୁଖ୍ୟ ପେସର୍ ଶାହୀନ ଆଫ୍ରିଦୀ ଓ ଯୁବ ପେସର୍ ମହମ୍ମଦ ୱାସିମ୍ ଆଘାତ ଜନିତ କାରଣରୁ ବାଦ୍ ପଡ଼ିଛନ୍ତି ।
ଏହା ପୂର୍ବରୁ ଟି-୨୦ ବିଶ୍ୱକପ୍ ସମୟରେ ୨୦୨୧ ଅକ୍ଟୋବର ୨୪ରେ ଉଭୟ ଟିମ୍ ମଧ୍ୟରେ ମୁକାବିଲା ହୋଇଥିଲା, ଯେଉଁଥିରେ ଟିମ୍ ଇଣ୍ଡିଆ ୧୦ ୱିକେଟ୍ରେ ହାରି ଯାଇଥିଲା ଏବଂ ପାକିସ୍ତାନ ପ୍ରଥମ ଥର କୌଣସି ବିଶ୍ୱକପ୍ ମ୍ୟାଚ୍ରେ ଭାରତକୁ ହରାଇଥିଲା । ସେହି ପରାଜୟର ପ୍ରତିଶୋଧ ନେବା ପାଇଁ ରୋହିତ ଶର୍ମାଙ୍କ ପାଖରେ ସୁଯୋଗ ରହିଛି ।
ଏସିଆ କପ୍ ଇତିହାସରେ ଭାରତ ଓ ପାକିସ୍ତାନ ମଧ୍ୟରେ ୧୩ ଥର ମୁକାବିଲା ହୋଇଛି । ଭାରତ ସାତ ମ୍ୟାଚ୍ ଜିତିଥିବା ବେଳେ ପାକିସ୍ତାନ ପାଞ୍ଚ ମ୍ୟାଚ୍ରେ ବିଜୟ ହାସଲ କରିଛି । ଅନ୍ୟ ଏକ ମ୍ୟାଚ୍ର ଫଳାଫଳ ବାହାରିପାରି ନାହିଁ ।
ଭାରତୀୟ ଏକାଦଶରେ ଆଠଜଣ ଖେଳାଳି – ଅଧିନାୟକ ରୋହିତ ଶର୍ମା, ଉପ-ଅଧିନାୟକ ଲୋକେଶ ରାହୁଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡ଼େଜା, ଯୁଜବେନ୍ଦ୍ର ଚହଲ, ଭୁବନେଶ୍ୱର କୁମାରଙ୍କ ଖେଳିବା ନିଶ୍ଚିତ । ୱିକେଟ୍କିପର୍ ଭାବେ ରୋହିତଙ୍କୁ ରିଷଭ ପନ୍ତ ଓ ଦିନେଶ କାର୍ତ୍ତିକଙ୍କ ମଧ୍ୟରୁ ଜଣଙ୍କୁ ବାଛିବାକୁ ହେବ । ପନ୍ତଙ୍କ ପଲା ଭାରୀ ଅଛି ।
ବ୍ୟାଟର୍ ଭାବେ ଖେଳିପାରନ୍ତି କାର୍ତ୍ତିକ
କାର୍ତ୍ତିକ ଜଣେ ବ୍ୟାଟର୍ ଭାବେ ଖେଳିପାରନ୍ତି, ହେଲେ ଏଥିପାଇଁ ଦୀପକ ହୁଡ଼ାଙ୍କୁ ବାହାର କରିବାକୁ ପଡ଼ିବ । ହୁଡ଼ା ଭଲ ଫର୍ମରେ ଅଛନ୍ତି ଏବଂ ଟିମ୍ ପାଇଁ ଲକି ଚାର୍ମ ବି ସାବ୍ୟସ୍ତ ହୋଇଛନ୍ତି । ସେ ଏ ଯାବତ୍ ଯେତେବେ ଆନ୍ତର୍ଜାତିକ ମ୍ୟାଚ୍ ଖେଳିଛନ୍ତି, ସବୁଥିରେ ଟିମ୍ ଇଣ୍ଡିଆ ଜିତିଛି । ହୁଡ଼ା ଓ କାର୍ତ୍ତିକଙ୍କୁ ରବିଚନ୍ଦ୍ରନ୍ ଅଶ୍ୱିନଙ୍କ ଠାରୁ ବି ଟକ୍କର ମିଳିବ । ଯଦି ରୋହିତ ଅତିରିକ୍ତ ବୋଲର୍ ଖେଳାଇବାକୁ ଚାହିଁବେ, ତା’ହେଲେ ଅଶ୍ୱିନଙ୍କୁ ସୁଯୋଗ ମିଳିପାରେ ।
ଆଭେଶ ଓ ଅର୍ଶଦୀପ ମଧ୍ୟରୁ କିଏ?
ପେସ୍ ଆକ୍ରମଣରେ ଭୁବନେଶ୍ୱରଙ୍କ ସାଥ୍ ଦେବା ପାଇଁ ଅଲ୍ରାଉଣ୍ଡର୍ ହାର୍ଦ୍ଦିକ ପାଣ୍ଡ୍ୟା ଅଛନ୍ତି, ହେଲେ ଟିମ୍ ମ୍ୟାନେଜ୍ମେଣ୍ଟ ଆଉ ଏକ ବିଶେଷଜ୍ଞ ପେସର୍ଙ୍କୁ ଟିମ୍ରେ ରଖିବାକୁ ଚାହିଁବ । ଏପରିସ୍ଥଳେ ଆଭେଶ ଖାଁ ଓ ଅର୍ଶଦୀପ ସିଂହଙ୍କ ମଧ୍ୟରୁ ଜଣଙ୍କୁ ସୁଯୋଗ ଦିଆଯାଇପାରେ । ଅର୍ଶଦୀପ ଭାରତୀୟ ଟିମ୍ରେ ସାମିଲ୍ ହୋଇଥିବା ଏକମାତ୍ର ବାମହାତି ପେସର୍ । ସେ ଡେଥ୍ ଓଭର୍ରେ ଉତ୍ତମ ବୋଲିଂ ପ୍ରଦର୍ଶନ କରୁଛନ୍ତି । ଆଭେଶଙ୍କ ଠାରୁ ତାଙ୍କ ପଲା ଭାରୀ ଥିବା ଦେଖିବାକୁ ମିଳୁଛି । ଅବଶ୍ୟ ରୋହିତ ଷଷ୍ଠ ବୋଲର୍ ଭାବେ ଆଭେଶଙ୍କୁ ଟିମ୍ରେ ନେଇପାରନ୍ତି ।
ବୋଲିଂ ଆକ୍ରମଣକୁ ନେଇ ଅଡ଼ୁଆରେ ପାକିସ୍ତାନ
ପାକିସ୍ତାନର ମୁଖ୍ୟ ସମସ୍ୟା ହେଉଛି ପେସ୍ ବୋଲିଂ । ଶାହୀନଙ୍କ ପରେ ୱାସିମ୍ ବାଦ୍ ପଡ଼ିସାରିଛନ୍ତି । ଉଭୟଙ୍କ ସ୍ଥାନରେ ମହମ୍ମଦ ହସନେନ୍ ଓ ହସନ ଅଲୀଙ୍କୁ ସାମିଲ୍ କରାଯାଇଛି ।
ତେବେ ପାକିସ୍ତାନ ଏକାଦଶରେ ବୋଲର୍ ଭାବେ ହାରିସ ରଉଫ ଓ ନସୀମ ଶାହଙ୍କ ସହିତ ଶାହନବାଜ୍ ଦହାନୀଙ୍କୁ ନିଆଯାଇପାରେ ।