ଦାରୁଠେଙ୍ଗ ଯିବନି ଅଳିଆ
ତଥାପି ତୁଟିଲାନି ବିବାଦ
ଭୁବନେଶ୍ୱର (ବୁ୍ୟରୋ): ଭୁଆଶୁଣି ଡ଼ମ୍ପିଂୟାର୍ଡ ବିବାଦର ସମାଧାନ ଲାଗି ଦ୍ୱିପାକ୍ଷିକ ଆଲୋଚନା ଶେଷ ହୋଇଛି । ଦୀର୍ଘ ଦେଢ଼ ଘଣ୍ଟା ଧରି ବୈଠକ ଚାଲିଥିବା ସତ୍ତ୍ୱେ ବିଏମ୍ସି ଓ ଦାରୁଠେଙ୍ଗ ଗ୍ରାମବାସୀଙ୍କ ମଧ୍ୟରେ କିଛି ନିଷ୍କର୍ଷ ବାହାରି ପାରିନଥିବା ପ୍ରକାଶ ପାଇଛି । ଦାରୁଠେଙ୍ଗ ଗ୍ରାମବାସୀ ଏବେ ବି ଜିଦରେ ଅଟଳ ରହିଛନ୍ତି । ୨ ଦିନ ମଧ୍ୟରେ ଗ୍ରାମସଭା ଡକାଯିବ, ସେଠାରେ ନିଆଯିବାକୁ ଥିବା ନିଷ୍ପତ୍ତି ଚୂଡାନ୍ତ ନିଷ୍ପତ୍ତି ହେବ ବୋଲି ଏହି ଅବସରରେ ପ୍ରକାଶ ପାଇଛି ।
ଭୁବନେଶ୍ୱର ମେୟର ସୁଲୋଚନା ଦାସ କହିଛନ୍ତି, ଗ୍ରାମବାସୀଙ୍କ ସହ ଭଲ ଢ଼ଙ୍ଗରେ ଆଲୋଚନା ହୋଇଛି । ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ମଧ୍ୟରେ ବୈଠକ ଚାଲିଥିବା ବେଳେ ଡମ୍ପିଂୟାର୍ଡରେ ପ୍ରସ୍ତାବିତ ବାୟୋ ମାଇନିଂ ପ୍ଲାଣ୍ଟ ନିର୍ମାଣ ସାମୟିକ ଭାବେ ସ୍ଥଗିତ ରଖିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଏ ନେଇ ବିଏମସି ୯ ମାସର ମହଲତ ମାଗିଛି । ଗ୍ରାମସଭାର ନିଷ୍ପତ୍ତି ନହେବା ପର୍ଯ୍ୟନ୍ତ ଭୁଆଶୁଣି ଡମ୍ପିଂୟାର୍ଡରେ ଅଳିଆ ପକାଇବାକୁ ନଦେବା ଜିଦରେ ଗ୍ରାମବାସୀ ଅଟଳ ଥିବା ମେୟର ସୁଲୋଚନା କହିଛନ୍ତି ।
ସୂଚନାଥାଉ କି, ବିଏମ୍ସି କମିଶନରଙ୍କ ଅନୁପସ୍ଥିତିରେ ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ବୈଠକରେ ଭର୍ଚ୍ଚୁଆଲ ଭାବେ ବିଏମସି କମିଶନର ଯୋଗ ଦେଇଥିଲେ । ଜଟଣୀ ବିଧାୟକ ସୁର ରାଉତରାୟ, ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ସମେତ କମିଶନରେଟ ପୁଲିସର ପ୍ରତିନିଧି, ବିଏମସିର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତ ଥିଲେ । ଦାରୁଠେଙ୍ଗ ସରପଞ୍ଚ ତପନ କୁମାର ଚକ୍ରବର୍ତ୍ତୀ ଏବଂ ଦାରୁଠେଙ୍ଗ ପଞ୍ଚାୟତ ପକ୍ଷରୁ ୩୦ଜଣ ପ୍ରତିନିଧି ଓ ବ୍ଲକର ନିର୍ବାଚିତ ଲୋକ ପ୍ରତିନିଧି ଉପସ୍ଥିତ ଥିଲେ ।
୨୦୦୮ରୁ ଦାରୁଠେଙ୍ଗ ଗ୍ରାମବାସୀ ଏହି ସମସ୍ୟା ଭେଗୁଛନ୍ତି । ଏହାର ସ୍ଥାୟୀ ସମାଧାନ ପାଇଁ ପୂର୍ବରୁ ୨ ଥର ଆଲୋଚନା ହୋଇଥିଲେ ହେଁ ସମାଧାନର କୌଣସି ବାଟ ବାହାରି ପାରିନଥିଲା । ଆଉ ଶନିବାର ମଧ୍ୟ ସମାଧାନ ହୋଇନଥିବାବେଳେ ଆଗକୁ ସହରର ଅଳିଆ ସମସ୍ୟା ଦୂର ହେବ କି ନାହିଁ ତାହା ଅନିଶ୍ଚିତତା ଘେରରେ ରହିଛି । ପରିମଳ ଜନିତ ପ୍ରଦୂଷଣ ସମସ୍ୟାକୁ ଗ୍ରାମରେ ବାୟୋ ମାଇନିଂ ପ୍ଲାଣ୍ଟ ନିର୍ମାଣକୁ ଦାରୁଠେଙ୍ଗ ପଞ୍ଚାୟତବାସୀ ବିରୋଧ କରିଛନ୍ତି । ଭୁଆଶୁଣି ଡ଼ମ୍ପିଂୟାର୍ଡରେ ବିଏମସି ପକ୍ଷରୁ ବାୟୋ ମାଇନିଂ ପ୍ଲାଣ୍ଟ ସ୍ଥାପନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୧୦୩କୋଟି ଟଙ୍କାର ଅନୁଦାନ ମିଳିଥିଲେ ମଧ୍ୟ ପ୍ଲାଣ୍ଟ ପ୍ରତିଷ୍ଠାରେ ବିଳମ୍ବ ହେଉଛି । ସମସ୍ୟାର ସମାଧାନ ପାଇଁ ବିଏମସି କର୍ତ୍ତୃପକ୍ଷ ଓ ଦାରୁଠେଙ୍ଗ ପଞ୍ଚାୟତବାସୀଙ୍କ ସହ ଆଲୋଚନା ହେଉଥିଲେ ମଧ୍ୟ କୌଣସି ନିଷ୍କର୍ଷ ବାହାରି ପାରୁନାହିଁ ।