ମହାପ୍ରଭୁଙ୍କୁ ଲାଗି ହେଲା ସାତପୁରୀ ପିଠା

ପୁରୀ (ବୁ୍ୟରୋ): ସାତପୁରୀ ଅମାବାସ୍ୟାରେ ଶନିବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ସାତପୁରୀ ପିଠା ଲାଗି ହୋଇଛି । ଅମାବାସ୍ୟା ହେତୁ ନାରାୟଣ ସାଗରବିଜେ କରିଛନ୍ତି । ଏଥିସହ ଶ୍ରୀମନ୍ଦିରରେ ଚାଲିଥିବା ଶ୍ରୀକୃଷ୍ଣ ଲୀଳାରେ ବସ୍ତ୍ର ହରଣ ନୀତି ଅନୁଷ୍ଠିତ ହୋଇଛି । ଅବକାଶ ନୀତିସମ୍ପନ୍ନ ହେବା ପରେ ୩ ବାଡ଼ରେ ବେଶ ବଢ଼ି ୬ ମୂର୍ତ୍ତି ଅଳଙ୍କାର ଲାଗି ହୋଇଥିଲା । ସାତପୁରୀ ରୋଷରେ ରୋଷହୋମ ସମ୍ପନ୍ନ ହୋଇ ସେଠାରେ ସାତପୁରୀ ପିଠା ପ୍ରସ୍ତୁତ ହୋଇଥିଲା । ସକାଳ ଧୂପରେ ସାତପୁରୀ ଭୋଗତାଟ ରୋଷରୁ ମହାପ୍ରଭୁଙ୍କ ନିକଟକୁ ଆସିଥିଲା । ମୁଦିରସ୍ତ ପ୍ରସାଦ ଲାଗି କରିବା ପରେ ପୂଜାପଣ୍ଡା ଷୋଡ଼ଶ ଉପଚାରରେ ମଣୋହି କରିଥିଲେ । ଭିତର ଆଳତି ବଢ଼ିବା ପରେ ପୂଜାପଣ୍ଡା, ମୁଦିରସ୍ତ ଏବଂ ପତି ମହାପାତ୍ର ୩ ବାଡ଼ରେ ବନ୍ଦାପନା କରିଥିଲେ ।
ନାରାୟଣଙ୍କ ସାଗର ବିଜେ
ମହୋଦଧି ତଥା ସମୁଦ୍ର ହେଉଛନ୍ତି ମହାପ୍ରଭୁଙ୍କ ଶ୍ୱଶୁର । ପ୍ରତି ଅମାବାସ୍ୟାରେ ପ୍ରତିପଦା ସଂଯୋଗ ହେଲେ ଅମାବାସ୍ୟା ନାରାୟଣ ସାଗର ବିଜେ କରିଥାନ୍ତି । ଶ୍ରୀମନ୍ଦିରରେ ସକାଳ ଧୂପ ପରେ ଦକ୍ଷିଣୀଘରୁ ଅମାବାସ୍ୟା ନାରାୟଣ ରତ୍ନସିଂହାସନକୁ ବିଜେ ହୋଇଥିଲେ । ସେଠାରେ ମହାପ୍ରଭୁଙ୍କଠାରୁ ଆଜ୍ଞାମାଳ ପାଇ ନାରାୟଣ ବଟମୂଳେ ଥିବା ପାଲିଙ୍କିରେ ବିଜେ ହୋଇଥିଲେ । ବିମାନବଡୁ ପାଲିଙ୍କିକୁ ସମୁଦ୍ରକୂଳକୁ ବିଜେ କରାଇଥିଲେ । ଶ୍ରୀମନ୍ଦିରରୁ ଯାଇଥିବା ମହାପ୍ରଭୁଙ୍କ ଆଜ୍ଞାମାଳ ସମୁଦ୍ରଙ୍କୁ ପ୍ରଦାନ କରାଯାଇଥିଲା । ଗରାବଡୁ ସେବକ ରୁପା ପିଙ୍ଗଣରେ ସମୁଦ୍ର ଜଳ ଆଣିଥିଲେ । ଏହି ଜଳକୁ ପୂଜାପଣ୍ଡା ସାମନ୍ତ ସଂସ୍କାର କରି ନାରାୟଣଙ୍କ ପାଦଧୌତ କରିଥିଲେ । ପଞ୍ଚୁପାଣ୍ଡବ ସାବତ ନିଯୋଗ ପକ୍ଷରୁ ପଣାଭୋଗ ସମର୍ପଣ କରାଯାଇଥିଲା । ଏହାପରେ ଠାକୁର ଶ୍ରୀମନ୍ଦିରକୁ ବାହୁଡ଼ା ବିଜେ କରିଥିଲେ ।
ବସ୍ତ୍ରହରଣ ଲୀଳା ପ୍ରସ୍ତାବ
ଶ୍ରୀମନ୍ଦିରରେ ସନ୍ଧ୍ୟାଧୂପ ନୀତି ବଢ଼ିବା ପରେ ମଦନମୋହନ ସିଂହାସନ ଉପରକୁ ବିଜେ କରିଥିଲେ । ସେଠାରୁ ଆଜ୍ଞାମାଳ ପାଇ ଉତ୍ତରପାଶ୍ୱର୍ ନାଟପା ମନ୍ଦିର ଖଟ ଉପରକୁ ବିଜେ ହୋଇଥିଲେ । ଗୋପପୁରରେ ଗୋପୀ ମାନେ ଗାଧୋଉଥିବା ବେଳେ ତାଙ୍କ ବସ୍ତ୍ରକୁ ଶ୍ରୀକୃଷ୍ଣ ହରଣ କରି ନେଇଥିଲେ । ଏହି ନୀତି ସେଠାରେ ସମ୍ପନ୍ନ ହୋଇଥିଲା । ଶୀତଳ ଭୋଗ ବନ୍ଦାପନା ପରେ ମଦନମୋହନ ଦକ୍ଷିଣୀଘରକୁ ବିଜେ କରିଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *