ଆଜାଦଙ୍କ ଘରେ ଜି-୨୩ ନେତା
ନୂଆଦିଲ୍ଲୀ/ ଶ୍ରୀନଗର (ଏଜେନ୍ସି): କଂଗ୍ରେସ ୱାର୍କିଂ କମିଟି (ସିଡବ୍ଲୁ୍ୟସି) ବୈଠକ ରବିବାର ଅନୁଷ୍ଠିତ ହେବ । ବୈଠକରେ ଦଳର ପରବର୍ତ୍ତୀ ଅଧ୍ୟକ୍ଷ ନିର୍ବାଚନର ତାରିଖ ସ୍ଥିର କରାଯିବ । ଏତଦ୍ବ୍ୟତୀତ ଦଳରୁ ଇସ୍ତଫା ଦେଇଥିବା ବରିଷ୍ଠ ନେତା ଗୁଲାମନବୀ ଆଜାଦ୍ଙ୍କ ସମ୍ପର୍କରେ ତଥା ତାଙ୍କର ବିକଳ୍ପ ଭାବେ ନେତା ଚୟନ ପ୍ରକ୍ରିୟା ଉପରେ ମଧ୍ୟ ବିଚାରବିମର୍ଶ ହେବ ବୋଲି ଅନୁମାନ କରାଯାଉଛି । ତେବେ ଏହା ପୂର୍ବରୁ ଶନିବାର ଆଜାଦଙ୍କ ବାସଭବନରେ ବିଦ୍ରୋହୀ ଜି-୨୩ ଗୋଷ୍ଠୀ ସଦସ୍ୟଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।
ପ୍ରକାଶ, ଆଜାଦ ଶୁକ୍ରବାର କଂଗ୍ରେସରୁ ଇସ୍ତଫା ଦେଇ ଦଳ ସହ ୫୧ବର୍ଷ ପୁରୁଣା ସମ୍ପର୍କକୁ ଶେଷ କରିଛନ୍ତି । କେବଳ ସମ୍ପର୍କ ଶେଷ କରିନାହାନ୍ତି କଂଗ୍ରେସ ବିରୋଧରେ ବିଷୋଦ୍ଗାର ମଧ୍ୟ କରିଛନ୍ତି । ତେବେ ଆଜାଦ୍ଙ୍କ ଇସ୍ତଫା ଦେବାର ଗୋଟିଏ ଦିନ ପରେ ଜି-୨୩ ନେତାମାନେ ତାଙ୍କ ବାସଭବନରେ ଏକତ୍ର ହୋଇ ବୈଠକ କରିଛନ୍ତି । ତେବେ ବୈଠକରେ କେଉଁ ସବୁ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ । ଅନ୍ୟପକ୍ଷେ ଇସ୍ତଫା ପରେ ପରେ ଗୁଲାମ ନିଜର ରାଜନୈତିକ ଦଳ ଗଠନ କରିବେ ବୋଲି କହିସାରିଥିବା ବେଳେ ଏବେ ଆସନ୍ତା ୧୪ ଦିନ ମଧ୍ୟରେ ଏହି ପ୍ରକ୍ରିୟା ଶେଷ କରିବାକୁ ପ୍ରସ୍ତୁତି ଆରମ୍ଭ ହୋଇଥିବା ସୂଚନା ମିଳିଛି । ଏତଦ୍ବ୍ୟତୀତ ସେ ଜମ୍ମୁ-କାଶ୍ମୀରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ ବୋଲି ମଧ୍ୟ ଚର୍ଚ୍ଚା ଜୋର ଧରିଛି । ଆଜାଦଙ୍କୁ ମିଳୁଥିବା ସମର୍ଥନକୁ ଦେଖି ଜମ୍ମୁ-କାଶ୍ମୀରର ପୂର୍ବତନ ଯୁବ କଂଗ୍ରେସ ସଭାପତି ଅମିନ ଭଟ୍ଟ ଶନିବାର ଦାବି କରିଛନ୍ତି ଯେ ଗୁଲାମ ନିଶ୍ଚିତ ଭାବେ ଜମ୍ମୁ କାଶ୍ମୀରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ ।
