୮ ଏଫ୍ ଶାଖା କେନାଲରେ ପୁଣି ଘାଇ
ମାହାଙ୍ଗା (ଆପ୍ର): କେନାଲରେ ପାଣି ଆସିଲେ କେନାଲ ବନ୍ଧରେ ଘାଇ ସୃଷ୍ଟି ହୁଏ । ଅଚୁ୍ୟତପୁର ଜଳସେଚନ ବିଭାଗ କନିଷ୍ଠ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଅଧିନରେ ୮ ନଂ ମୁଖ୍ୟ କେନାଲର ୮ ଏଫ୍ ଶାଖା କେନାଲ ଏବେ ଚାଷୀଙ୍କ ପାଇଁ ଦୁଃଖ ପାଲଟିଛି । କେନାଲ ବନ୍ଧର ସଠିକ୍ ମରାମତି କରାଯାଉ ନ ଥିବାରୁ ଚାଷ ସମୟରେ କେନାଲ ବନ୍ଧରେ ଘାଇ ସୃଷ୍ଟି ହୋଇଥିବା ଚାଷୀମାନେ ଅଭିଯୋଗ କରୁଛନ୍ତି । ୯ ଦିନ ତଳେ ଏହି କେନାଲ ବନ୍ଧରେ ଗୋଟିଏ ଘାଇ ସୃଷ୍ଟି ହୋଇଥିଲେ ମଧ୍ୟ ଏହାର ନାମକୁ ମାତ୍ର ବାଲିବସ୍ତା ପକାଇ ମରାମତି କରାଯାଇଥିବା ଦେଖିବାକୁ ମିଳୁଛି । ଘାଇ ମରାମତି ପରେ କେନାଲରେ ପାଣି ଛଡ଼ା ଯିବାରୁ ଏହି ଘାଇର ୨୦୦ ମିଟର ପରେ ପୁଣି ଏକ ବଡ଼ ଘାଇ ସୃଷ୍ଟି ହେବା ଯୋଗୁ ରୁଆ ହୋଇଥିବା ବହୁ ଧାନ ଫସଲ ନଷ୍ଟ ହୋଇଛି ।
କେନାଲରେ ଠିକ୍ ଭାବରେ ପାଣି ଛଡ଼ାଗଲେ ବାଲିବସ୍ତା ବୁଡ଼ି ପାଣି ଯିବାର ଆଶଙ୍କା ସୃଷ୍ଟି ହୋଇଛି । କେନାଲ ବନ୍ଧରୁ ଅନେକ ସ୍ଥାନରେ ମାଟି ଉଠାଇ ନେବା ଫଳରେ କେନାଲ ବନ୍ଧ ଦୁର୍ବଳ ହେବାରେ ଲାଗିଛି । ହେଲେ ବିଭାଗୀୟ ଯନ୍ତ୍ରୀ ଓ କର୍ମଚାରୀ ଏଥିପ୍ରତି ଦୃଷ୍ଟି ନ ଦେବା ଓ ମନୋମୁଖି କାର୍ଯ୍ୟ କରିବା ଯୋଗୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ଅନେକ ଚାଷୀମାନେ ମତ ଦେଇଛନ୍ତି । କେନାଲରେ ପାଣି ଆସିଲେ ଜଳ ସେଚନ ବିଭାଗର ନିଦ୍ରା ଭାଙ୍ଗେ । ଏଣୁ ବିଭାଗୀୟ ଉଚ୍ଚ ଅଧିକାରୀ ଏହି ଘଟଣାର ତଦନ୍ତ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସର୍ବସାଧାରଣରେ ଦାବି ହୋଇଛି ।