ଆଜି ଭଙ୍ଗାଯିବ ଟୁଇନ୍ ଟାୱାର
କାଉଣ୍ଟ୍ଡାଉନ୍ ଆରମ୍ଭ, ୧୨ ସେକେଣ୍ଡ୍ ବ୍ଲାଷ୍ଟ୍ରେ ଧୂଳିସାତ୍ ହେବ ୩୨ ମହଲା, ୱାଟର୍ଫଲ୍ ଟେକ୍ନିକ୍ ପ୍ରୟୋଗ
ନୋଏଡା, ୨୭ା୮: କୁତୁବମିନାର୍ଠାରୁ ଅଧିକ ଉଚ୍ଚ ନୋଏଡାର ୩୨ ମହଲା ବିଶିଷ୍ଟ ଟୁଇନ୍ ଟାୱାରକୁ ରବିବାର ଅପରାହ୍ନ ୨.୩୦ବେଳେ ବିସ୍ଫୋରଣରେ ଧ୍ୱସ୍ତ କରିଦିଆଯିବ । ଏଥିପାଇଁ ଅବଗଣନା ଆରମ୍ଭ ହୋଇଯାଇଛି । ୧୩ବର୍ଷରେ ନିର୍ମିତ ଏହି ଦୁଇ ପ୍ରକାଣ୍ଡ ଅଟ୍ଟାଳିକା ଧୂଳିସାତ୍ ହେବାକୁ ଲାଗିବ ମାତ୍ର ୧୨ ସେକେଣ୍ଡ ।
ଏଥିପାଇଁ ଦୁଇଟି ଯାକ ଟାୱାରରେ ୩୭୦୦ କେଜି ବାରୁଦ ଖଞ୍ଜାଯାଇଛି । ଟୁଇନ୍ ଟାୱାର ଭାଙ୍ଗିବା ଦାୟିତ୍ୱ ଦିଆଯାଇଛି ଏଡିଫାଇସ୍ ନାମକ କମ୍ପାନୀକୁ ।
ଟୁଇନ୍ ଟାୱାରଠାରୁ ମାତ୍ର ୯ମିଟର ଦୂରରେ ଅଛି ହାଉସିଂ ସୋସାଇଟି ଯେଉଁଠି ୬୬୦ ପରିବାର ରହୁଛନ୍ତି । ୧୯ମିଟର ଦୂରରେ ମାଟି ତଳେ ଗ୍ୟାସ୍ ପାଇପ୍ ଲାଇନ୍ ଯାଇଛି । ଏହି କାରଣରୁ ବ୍ୟାପକ ନିରାପତ୍ତା ବନେ୍ଦାବସ୍ତ କରାଯାଇଛି । ଟାୱାର ଭାଙ୍ଗିବା ପାଇଁ ୧୮୧ ଦିନ ଧରି ପ୍ରସ୍ତୁତି ଚାଲିଥିଲା । ଫେବୃଆରୀ ୨୧ରୁ ୩୫୦ କର୍ମଚାରୀ ଓ ୧୦ଜଣ ଇଞ୍ଜିନିୟର ଏହି କାର୍ଯ୍ୟରେ ନିୟୋଜିତ ଥିଲେ ।
ଟୁଇନ୍ ଟାୱାର ଭଙ୍ଗାଯିବା ଦ୍ୱାରା ଧୂଳିକଣା ପବନରେ ଖେଳିଯିବା ଫଳରେ ୨କିଲୋମିଟର ପରିସରରେ ପ୍ରଦୂଷଣ ବଢିବ । ସେଥିଲାଗି ୫୦୦ମିଟର ଭିତରେ ଥିବା ୧୩୯୬ ଫ୍ଲାଟ୍ରେ ରହୁଥିବା ଲୋକଙ୍କୁ ରବିବାର ସକାଳ ୭ଟା ସୁଦ୍ଧା ଅନ୍ୟତ୍ର ଚାଲିଯିବା ପାଇଁ କୁହାଯାଇଛି । ପୁଣି, ଟାୱାର ଉପରେ ୧୦କିମି ଇଲାକାକୁ ନୋ-ଫ୍ଲାଇ ଜୋନ୍ ଘୋଷଣା କରାଯାଇଛି । ଆଖପାଖ ସଡକରେ ରବିବାର ଏହି ଚଳାଚଳ କରିବେ ନାହିଁ । ଦିନ ୨ଟା ୩୦ରେ ଏକ ରିମୋର୍ଟ ବଟନ୍ ଟିପି ୨ଟି ଯାକ ଟାୱାରକୁ ଧ୍ୱଂସ୍ତସ୍ତୂପରେ ପରିଣତ କରାଯିବ ।
ଏଡିଫାଇସ୍ କମ୍ପାନୀର ପ୍ରୋଜେକ୍ଟ ମ୍ୟାନେଜର ମୟୂର ମେହତା କହିଛନ୍ତି ଟାୱାର ଭାଙ୍ଗିବାରେ ୱାଟର୍ଫଲ୍ ଟେକ୍ନିକ୍ ପ୍ରୟୋଗ କରାଯାଉଛି । ଯେଉଁ ପ୍ରକି୍ରୟାରେ ସମୁଦ୍ରରେ ଲହଡି ସୃଷ୍ଟି ହୁଏ, ସେହି ୱେବିଂ ଇଫେକ୍ଟ ପ୍ରକ୍ରିୟାରେ ଟାୱାରକୁ ତଳକୁ ଖସାଇ ଦିଆଯିବ । ବ୍ଲାଷ୍ଟିଂ ବେସ୍ମେଣ୍ଟରୁ ଆରମ୍ଭ ହୋଇ ସବା ଉପର ମହଲରେ ଶେଷ ହେବ । ଏହାକୁ ଇଗ୍ନାଇଟ୍ ଅଫ୍ ଏକ୍ସକ୍ଲୋଜନ୍ କୁହାଯାଏ ।