୧୭ ମାସ ହେଲା ରୋଗୀଙ୍କୁ ମିଳୁନି ଖାଦ୍ୟ

ଶେରଗଡ଼ (ଆପ୍ର): ଶେରଗଡ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଆଜକୁ ୧୭ ମାସ ହେଲା ରୋଗୀଙ୍କ ଲାଗି ଆସୁଥିବା ଖାଦ୍ୟ ପ୍ରଦାନ ଏକପ୍ରକାର ଠପ ହୋଇଛି । ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଦେଖିଲେ ଲାଗୁଛି, ରୋଗୀ ନାହାନ୍ତି କି ରହିଲେ ମଧ୍ୟ ତାଙ୍କୁ ଖାଦ୍ୟ ପ୍ରଦାନ କରାଯାଉନାହିଁ । ସାଧାରଣ ରୋଗୀ ଆସିଲେ ତାଙ୍କୁ ବ୍ରହ୍ମପୁର ସ୍ଥିତ ବଡ଼ ମେଡିକାଲ୍କୁ ସ୍ଥାନାନ୍ତର କରି ଦିଆଯାଉଛି । ଶେରଗଡ ସ୍ୱାସ୍ଥ୍ୟକେନ୍ଦ୍ରରେ ୨୦୨୧ ମାର୍ଚ୍ଚରୁ ୨୦୨୨ ଅଗଷ୍ଟ ୧୭ ମାସ ଧରି ରୋଗୀଙ୍କୁ ଦିଆଯାଉଥିବା ଖାଦ୍ୟ ଆଉ ପ୍ରଦାନ କରାଯାଉନଥିବା ଜଣାପଡ଼ିଛି ।
ଶେରଗଡ଼ର ସଞ୍ଜୟ କୁମାର ପାତ୍ର ଦୀର୍ଘ ବର୍ଷ ଧରି ରୋଗୀ ଖାଦ୍ୟ ଟେଣ୍ଡର ଅନୁଯାୟୀ ଯୋଗାଇ ଦେଇ ଆସୁଥିବା ବେଳେ ୨୦୧୯ରେ ଏହି ଟେଣ୍ଡର କୁମାରପାଣି ପଞ୍ଚାୟତ ସୁରେନ୍ଦ୍ରନାଥ ଡାକୁଆଙ୍କୁ ମିଳିଥିଲା । ଟେଣ୍ଡର ଅନୁଯାୟୀ ରୋଗୀଙ୍କୁ ସେ ଖାଦ୍ୟ ଯୋଗାଇ ଦେଉଥିଲେ ମଧ୍ୟ କୋଭିଡ୍ ସମୟରେ ଖାଦ୍ୟ ଯୋଗାଣ ପ୍ରକ୍ରିୟା ବନ୍ଦ ରହିଥିଲା । ହେଲେ ଏବେ କୋଭିଡ୍ ପ୍ରକୋପ କମିବା ପରେ ମଧ୍ୟ ଖାଦ୍ୟ ପ୍ରଦାନ ବନ୍ଦ ରହିଥିବା ଜଣାପଡ଼ିଛି । ଅନ୍ୟପକ୍ଷରେ ଗର୍ଭବତୀ ମହିଳା ଓ ଜରୁରୀ ରୋଗୀଙ୍କୁ ଖାଦ୍ୟ ଯୋଗାଇଦେବା ନିୟମ ରହିଥିବା ବେଳେ ଖାଦ୍ୟ ପରିବର୍ତ୍ତେ ରୋଗୀ ପିଛା ଦୁଇ ଥର ୨ଟି ମିଲ ପାଇଁ ୫୦ ଟଙ୍କା ପ୍ରଦାନ କରାଯାଉଛି ।
ଅପରପକ୍ଷେ ଆଜକୁ ଦୁଇ ବର୍ଷ ହେବ ରୋଗୀ କଲ୍ୟାଣ ସମିତି ବୈଠକ ଅନୁଷ୍ଠିତ ହୋଇନଥିବା ଜଣାପଡ଼ିଛି । ବୈଠକ ହେଲେ ନିଷ୍ପତ୍ତି ଅନୁସାରେ ଟେଣ୍ଡର ପାଇଥିବା ବ୍ୟକ୍ତି ଖାଦ୍ୟ ଯୋଗାଇବାକୁ ଯୋଗ୍ୟ ବିବେଚିତ ହେବ । ଶେରଗଡ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ଦୁଇଟି ନିର୍ବାଚନମଣ୍ଡଳୀର ପ୍ରାୟ ୨ ଶହ ଗାଁର ଜନସାଧାରଣ ନିର୍ଭରଶୀଳ ଥିବା ବେଳେ ଏଠି ସ୍ୱାସ୍ଥ୍ୟକେନ୍ଦ୍ରକୁ ଆବଶ୍ୟକ ହେଉଥିବା ଡାକ୍ତର ଏବଂ କର୍ମଚାରୀଙ୍କ ଅଭାବ ଆଉ ଏକ ସମସ୍ୟା ଛିଡ଼ା କରିଛି ।
ତେବେ ଏହି ସ୍ୱାସ୍ଥ୍ୟକେନ୍ଦ୍ରକୁ ଗତ ୪ ବର୍ଷରେ ମଧ୍ୟରେ ଆସିଥିବା ରୋଗୀଙ୍କ ମଧ୍ୟରୁ ୨୦୧୮-୧୯ରେ ଓପିଡିରେ ୩୬୬୮୨, ଆଇପିଡିରେ ୨୩୫୬, ୨୦୧୯-୨୦ରେ ଓପିଡିରେ ୪୧୨୨୮, ଆଇପିଡିରେ ୨୨୯୫, ୨୦୨୦-୨୧ରେ ଓପିଡିରେ ୨୩୬୭୯, ଆଇପିଡିରେ ୧୫୫୯, ୨୦୨୧-୨୨ରେ ଓପିଡିରେ ୨୭୩୪୧ ଏବଂ ଆଇପିଡିରେ ୧୩୪୫ ରୋଗୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସିଛନ୍ତି । ବିଭାଗୀୟ ଅଧିକାରୀଙ୍କ ମନମୁଖି କାର୍ଯ୍ୟ ଏବଂ ଆନ୍ତରିକତା ଅଭାବ ଯୋଗୁ ସାଧାରଣ ଲୋକେ ଏହି ସ୍ୱାସ୍ଥ୍ୟକେନ୍ଦ୍ର ଉପରୁ ଭରସା ତୁଟାଇବାରେ ଲାଗିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *