ଲୁସାନେ ଡାଇମଣ୍ଡ୍ ଲିଗ୍ ଜିତିଲେ ନୀରଜ

ମୁକୁଟ ଜିତିବାରେ ପ୍ରଥମ ଭାରତୀୟ
ନୂଆଦିଲ୍ଲୀ, ୨୭ା୮ (ଏଜେନ୍ସି): ଅଲିମ୍ପିକ୍ ବିଜେତା ଜାଭଲିନ୍ ଥ୍ରୋଅର୍ ନୀରଜ ଚୋପ୍ରା ଶୁକ୍ରବାର ଆଉ ଏକ ଐତିହାସିକ ଉପଲବ୍ଧି ହାସଲ କରିଛନ୍ତି । ସେ ପ୍ରଥମ ଭାରତୀୟ ଭାବେ ଲୁସାନେ ଡାଇମଣ୍ଡ୍ ଲିଗ୍ ମିଟିଂ ମୁକୁଟ ଜିତିଛନ୍ତି । ସେ ଡାଇମଣ୍ଡ୍ ଲିଗ୍ ଫାଇନାଲ୍ ପାଇଁ ମଧ୍ୟ ଯୋଗ୍ୟତା ହାସଲ କରିଛନ୍ତି, ଯାହାକି ସେପ୍ଟେମ୍ବର ୭ ଓ ୮ରେ ସ୍ୱିଜରଲାଣ୍ଡର ଜୁ୍ୟରିକ୍ ଠାରେ ଖେଳାଯିବ । ଏହାଛଡ଼ା ସେ ଆସନ୍ତା ବର୍ଷ ହେବାକୁ ଥିବା ବିଶ୍ୱ ଆଥ୍ଲେଟିକ୍ସ ଚାମ୍ପିଅନ୍ସିପ୍ ପାଇଁ ମଧ୍ୟ ଟିକେଟ୍ ପାଇଛନ୍ତି ।
ନୀରଜ ନିଜ ପ୍ରଥମ ପ୍ରୟାସରେହିଁ ୮୯.୦୮ ମିଟର ଥ୍ରୋ’ କରି ବିଜୟ ହାସଲ କରିଥିଲେ । ତାଙ୍କୁ ୧୦ ହଜାର ଡଲାର ପୁରସ୍କାର ମିଳିଥିଲା । ଟପ୍ ସିଡ୍ ତଥା ଟୋକିଓ ଅଲିମ୍ପିକ୍ସ ରୌପ୍ୟ ବିଜେତା ଚେକ୍ ଗଣତନ୍ତ୍ରର ଜ୍ୟାକବ ଭାଦଲେକ୍ ୮୫.୮୮ ମିଟରର ଶ୍ରେଷ୍ଠ ଥ୍ରୋ’ ସହ ଦ୍ୱିତୀୟ ଏବଂ ଆମେରିକାର କର୍ଟିସ୍ ଥମ୍ପସନ୍ ୮୩.୭୨ ମିଟର ସହିତ ତୃତୀୟ ସ୍ଥାନରେ ରହିଥିଲେ ।
ହରିୟାଣାର ପାନିପତ ନିକଟସ୍ଥ ଖଣ୍ଡରା ଗ୍ରାମର ନିବାସୀ ନୀରଜ ଡାଇମଣ୍ଡ୍ ଲିଗ୍ରେ ମୁକୁଟ ଜିତିବାରେ ପ୍ରଥମ ଭାରତୀୟ । ଏହି ଲିଗ୍ରେ ତାଙ୍କ ପୂର୍ବରୁ କେବଳ ଡିସ୍କସ୍ ଥ୍ରୋଅର ବିକାଶ ଗୌଡ଼ ଟପ୍-୩ ଫିନିଶ୍ କରିଛନ୍ତି । ବିକାଶ ୨୦୧୨ରେ ନୁ୍ୟୟର୍କ ଓ ୨୦୧୪ରେ ଦୋହା ଠାରେ ଦ୍ୱିତୀୟ ଏବଂ ୨୦୧୫ରେ ସଂଘାଇ ଓ ୟୁଜୀନ ଠାରେ ତୃତୀୟ ସ୍ଥାନରେ ରହିଥିଲେ ।
ଏହା ପୂର୍ବରୁ ନୀରଜ ବିଶ୍ୱ ଆଥ୍ଲେଟିକ୍ସ ଚାମ୍ପିଅନ୍ସିପ୍ରେ ରୌପ୍ୟ ପଦକ ପାଇଥିଲେ । ତେବେ ଆଘାତ ଜନିତ କାରଣରୁ ସେ ବର୍ମିଂହାମ୍ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାଗ ନେଇ ନ ଥିଲେ । ନୀରଜ ସବୁ ବଡ଼ ଟୁର୍ଣ୍ଣାମେଣ୍ଟରେ ପଦକ ଜିତିସାରିଛନ୍ତି । ଅଲିମ୍ପିକ୍ ହେଉ ବା ବିଶ୍ୱ ଚାମ୍ପିଅନ୍ସିପ୍ ଅଥବା ଡାଇମଣ୍ଡ୍ ଲିଗ୍ – ସେ ସବୁଥିରେ ପଦକ ଜିତିସାରିଲେଣି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *