ଜଳ ନିଷ୍କାସନ ପଥ ଜବରଦଖଲ: ବେତନଟୀ ସିଏଚ୍ସିରେ କୃତି୍ରମ ବନ୍ୟା

ବେତନଟୀ (ଆପ୍ର): ବେତନଟୀ ତହସିଲ୍ ଅଧୀନରେ ବେଆଇନ ଜବରଦଖଲ, ଶ୍ମଶାନ ଜମି ବ୍ୟବସାୟକରଣ, ସରକାରୀ ଜମି ବିକ୍ରି ଭଳି ଗୁରୁତର ଅଭିଯୋଗ ବାରମ୍ବାର ହେଉଥିଲେ ବି ଏଥିପ୍ରତି କେହି କର୍ଣ୍ଣପାତ କରୁନାହାନ୍ତି । ଏହାର ସଠିକ୍ ତଦନ୍ତ ହେଉ ନ ଥିବାରୁ ଏବେ ଗୁରୁତର ସମସ୍ୟା ଭୋଗିଲେଣି ଲୋକେ । ଜନସାଧାରଣ ଏ ବାବଦରେ ଅଭିଯୋଗ କଲେ ଦଲାଲ ଓ ବ୍ରୋକର ଧମକ ଚମକ ଦେଇ ସ୍ୱରକୁ ଚାପି ଦିଆଯାଉଛି । କିନ୍ତୁ ଏବେ ଜବରଦଖଲ ଓ ବେଆଇନ ନିର୍ମାଣର କଳାଛାୟା ସରକାରୀ ଅନୁଷ୍ଠାନ ଉପରେ ପଡ଼ିବା ଆରମ୍ଭ କଲାଣି ।
ଶନିବାର ଅପରାହ୍ଣରେ କଳାହାଣ୍ଡିଆ ମେଘ ଘୋଟି ଆସିବା ସହିତ ପ୍ରବଳ ବର୍ଷା ଓ ଘଡ଼ଘଡ଼ି ହୋଇଥିଲା । ଏହି ବର୍ଷାରେ ବେତନଟୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ପ୍ରବେଶ ପଥରେ କୃତି୍ରମ ବନ୍ୟା ହୋଇଥିଲା । ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ପ୍ରବେଶ ପଥକୁ ସଂଯୋଗ କରୁଥିବା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଏକ ପ୍ରକାର ବୁଡ଼ି ରହିଥିଲା । ଏପରି କୃତ୍ରିମ ବନ୍ୟାର କାରଣ ହେଉଛି ଜବରଦଖଲ । ବେତନଟୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଜମି ଓ ଆର୍ଡି ରାସ୍ତାର ନୟନଯୋଡ଼ିକୁ ଜବରଦଖଲ କରାଯିବା ସହିତ ପାଣି ନିଷ୍କାସନ ପଥକୁ ମଧ୍ୟ ଅବରୋଧ କରି ଦିଆଯାଇଛି । ଯାହାଫଳରେ ଏପରି ସମସ୍ୟା ଉପୁଜିଛି । ଜବରଦଖଲ ପାଇଁ ବାରମ୍ବାର ଏପରି ପରିସ୍ଥିତି ସୃଷ୍ଟି ହେଉଥିଲେ ବି ଏଥିପ୍ରତି କାହାର ନଜର ନାହିଁ । ଏପରି ସ୍ଥଳେ ଜନସାଧାରଣ କୃତି୍ରମ ବନ୍ୟାରେ ରୋଗୀକୁ ନେଇ ଡାକ୍ତରଖାନାକୁ ପଶିବା ପ୍ରଶାସନର ନିଷ୍କ୍ରିୟତାକୁ ସମାଲୋଚନାର ସୁଯୋଗ ଦେଉଛି । ଘଟଣା ସମ୍ପର୍କରେ ବେତନଟୀ ରାଜସ୍ୱ ନିରୀକ୍ଷକ ରତନ ହେମ୍ବ୍ରମଙ୍କ ସହିତ ଆଲୋଚନା ବେଳେ ସୋମବାର ଜବରଦଖଲ ବାବଦରେ ଅନୁସନ୍ଧାନ କରିବେ ବୋଲି କହିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *