ବଢୁଛି ଆପ୍ର ଗ୍ରାଫ୍, ବିଜେପି ସ୍ଥାଣୁ
ୟୁଗଭ୍-ମିଣ୍ଟ୍-ସିପିଆର୍ ସର୍ଭେ
ନୂଆଦିଲ୍ଲୀ, ୨୭ା୮: କିଛିଦିନ ହେଲା ନିଜ ନେତାମାନଙ୍କ ବିଦ୍ରୋହରେ ଅତିଷ୍ଠ କଂଗ୍ରେସ ପାଇଁ ଆସିଛି ଦୁଃସମ୍ବାଦ । ୟୁଗଭ୍-ମିଣ୍ଟ୍-ସିପିଆର୍ ମିଲେନିୟଲ୍ ସର୍ଭେ ଅନୁଯାୟୀ, ଏବେ ସର୍ବାଧିକ ଆହ୍ୱାନଜନକ ସମୟ ଦେଇ ଗତି କରୁଥିବା ଦେଶର ସର୍ବ ପୁରାତନ ରାଜନୈତିକ ଦଳ କଂଗ୍ରେସର ଜନାଧାର ବା ଲୋକପ୍ରିୟତା କମିବାରେ ଲାଗିଛି । ଅନ୍ୟପକ୍ଷରେ ଆମ୍ ଆଦ୍ମୀ ପାର୍ଟ (ଆପ୍)ର ରାଷ୍ଟ୍ରୀୟ ପରିଦୃଶ୍ୟରେ ଦ୍ରୂତ ଉନ୍ନତି ଘଟୁଛି । ବିଜେପିର ସପୋର୍ଟ ବେସ୍ରେ ଦେଖାଦେଇଛି ସ୍ଥାଣୁତା । ସହରାଞ୍ଚଳର ଭୋଟରମାନଙ୍କ ମୁଡ୍ ଜାଣିବା ପାଇଁ ଏହି ସର୍ଭେ କରାଯାଇଥିଲା । ଚଳିତ ବର୍ଷ ଶେଷ ବେଳକୁ ଗୁଜୁରାଟ ଓ ହିମାଚଳ ପ୍ରଦେଶ ରେ ବିଧାନସଭା ନିର୍ବାଚନ ହେବ । ତା’ପୂର୍ବରୁ ଆସିଥିବା ଏହି ସର୍ଭେ ରିପୋର୍ଟ କଂଗ୍ରେସର ଚିନ୍ତା ବଢାଇଥିବାବେଳେ ଆପ୍କୁ ଉତ୍ସାହିତ କରିଛି ।
ସର୍ଭେ ଅନୁଯାୟୀ ସହରାଞ୍ଚଳରେ ବିଜେପିର ଜନାଧାର ପୂର୍ବଭଳି ବଜାୟ ରହିଛି । ପଞ୍ଜାବରେ ଚମକପ୍ରଦ ବିଜୟ ପରଠାରୁ ଆପ୍ର ଲୋକପ୍ରିୟତା ବଢିଛି । ଅନ୍ଲାଇନ୍ ସର୍ଭେରେ ଯୋଗ ଦେଇଥିବା ୩୬ ପ୍ରତିଶତ ବ୍ୟକ୍ତି ବିଜେପିକୁ ନିଜ ପସନ୍ଦର ଦଳ କହିଥିଲେ । ନଭେମ୍ବର-ଡିସେମ୍ବର ୨୧ରେ ହୋଇଥିବା ସର୍ଭେରେ ୩୮ପ୍ରତିଶତ ଉତ୍ତରଦାତା ବିଜେପିକୁ ପସନ୍ଦ କରିଥିଲେ । ଟିୟର୍ ୩ ସହରର ମତଦାତା, ଯୁବପିଢି ଓ ପୁରୁଷ ଭୋଟରମାନଙ୍କ ମଧ୍ୟରେ ବିଜେପିର ସମର୍ଥନ କମିଛି ।
କଂଗ୍ରେସକୁ ୯ପ୍ରତିଶତ ଲୋକ ପସନ୍ଦ କରିଛନ୍ତି । ଗତବର୍ଷର ସର୍ଭେରେ ଏହି ସଂଖ୍ୟା ଥିଲା ୧୧ପ୍ରତିଶତ ।
ଆମ୍ ଆଦ୍ମୀ ପାର୍ଟିର ଜନାଧାର ଗ୍ରାଫ୍ ଦ୍ରୁତ ବେଗରେ ବଢୁଥିବା ତାଜା ସର୍ଭେରୁ ସ୍ପଷ୍ଟ ହୋଇଛି ।
ଗତବର୍ଷ ୧ପ୍ରତିଶତ ଉତ୍ତରଦାତା ଆପ୍କୁ ପସନ୍ଦ କରିଥିଲେ । ଏବର୍ଷର ସର୍ଭେରେ ତାହା ୭ ପ୍ରତିଶତକୁ ବୃଦ୍ଧି ପାଇଛି । ଉଲ୍ଲେଖଯୋଗ୍ୟ ଯେ ଗତବର୍ଷର ସର୍ଭେରେ ଆପ୍କୁ ‘ଅନ୍ୟାନ୍ୟ ଦଳ’ ଭିତରେ ରଖାଯାଇଥିଲା ।
ଆଞ୍ଚଳିକ ଦଳମାନଙ୍କ ଜନାଧାର ବଢିଥିବା ସର୍ଭେରୁ ଜଣାପଡିଛି । ଗତବର୍ଷ ୧୬ ପ୍ରତିଶତ ଲୋକ ଆଞ୍ଚଳିକ ଦଳମାନଙ୍କୁ ସମର୍ଥନ କରିଥିଲେ । ଏଥର ତାହା ୨୦ପ୍ରତିଶତକୁ ବଢିଛି ।
ଏହି ଅନ୍ଲାଇନ୍ ସର୍ଭେରେ ଦେଶର ୨୦୪ ସହରର ୧୦,୨୭୧ ଜଣ ଲୋକ ଭାଗ ନେଇଥିଲେ । ଏମାନଙ୍କ ମଧ୍ୟରୁ ୨୮ପ୍ରତିଶତ ଲୋକ କୌଣସି ପାର୍ଟିକୁ ନିଜ ପ୍ରଥମ ପସନ୍ଦର ଦଳ କହିନାହାନ୍ତି । ଗତବର୍ଷର ସର୍ଭେରେ ୩୪ ପ୍ରତିଶତ ଲୋକ ଏହିଭଳି ଉତ୍ତର ଦେଇଥିଲେ । ଏମାନଙ୍କୁ ଉଦାସୀନ ଭୋଟର କୁହାଯାଉଛି । ଆପ୍ ଏପରି ଉଦାସୀନତାକୁ ଭାଙ୍ଗୁଥିବା ସଦ୍ୟ ସର୍ଭେରୁ ସ୍ପଷ୍ଟ ହୋଇଛି ।
ସର୍ଭେରେ ପଚରା ଯାଇଥିଲା-ବିଜେପି ବିରୋଧରେ ରାଷ୍ଟ୍ରୀୟ ସ୍ତରରେ କେଉଁ ଦଳ ବିକଳ୍ପ ହୋଇପାରିବ? ୩୧ ପ୍ରତିଶତ ଲୋକ ଆପ୍କୁ ନୂଆ ରାଷ୍ଟ୍ରୀୟ ବିକଳ୍ପ ବୋଲି କହିଛନ୍ତି । ୧୯ ପ୍ରତିଶତ ଲୋକ କହିଛନ୍ତି ବିଜେପିକୁ କାଉଣ୍ଟର୍ କରିବାକୁ ହେଲେ କଂଗ୍ରେସକୁ ମଜଭୁତ୍ କରିବାକୁ ହେବ ।