କଂଗ୍ରେସରୁ ଇସ୍ତଫା ଦେଲେ ଆଜାଦ
ନୂଆଦିଲ୍ଲୀ, ୨୬ା୮: କଂଗ୍ରେସରେ ଥିବା ଅସନ୍ତୁଷ୍ଟ ଗୋଷ୍ଠୀ ଜି-୨୩ର ପ୍ରମୁଖ ନେତା ଗୁଲାମ ନବୀ ଆଜାଦ ପରିଶେଷରେ ଦଳରୁ ଇସ୍ତଫା ଦେଇଛନ୍ତି । ଶୁକ୍ରବାର ସେ କଂଗ୍ରେସ ସହ ପ୍ରାୟ ୫୦ ବର୍ଷର ସମ୍ପର୍କ ଛିନ୍ନ କରିଥିବା ଘୋଷଣା କରିଛନ୍ତି । ଆଜାଦ ଦଳର ପ୍ରାଥମିକ ସଦସ୍ୟତାଠାରୁ ଆରମ୍ଭ କରି ସବୁ ପଦରୁ ବିଦାୟ ନେଇଥିବା ବେଳେ ତାଙ୍କ ସମର୍ଥନରେ ଜମ୍ମୁ-କାଶ୍ମୀର କଂଗ୍ରେସର ୫ ଜଣ ପୂର୍ବତନ ବିଧାୟକ ମଧ୍ୟ ଦଳର ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି । ଏହାଛଡା ଜମ୍ମୁ-କାଶ୍ମୀରର ଅନ୍ୟ ଦୁଇ ଜଣ କଂଗ୍ରେସ ନେତା ଦଳ ଛାଡିଛନ୍ତି । କଂଗ୍ରେସ ଛାଡିବା ପରେ ଆଜାଦ ଜମ୍ମୁ-କାଶ୍ମୀରରେ ନୂଆ ଦଳ ଗଢିବେ ବୋଲି ଘୋଷଣା କରିଛନ୍ତି । କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ପଠାଇଥିବା ୫ ପୃଷ୍ଠାର ଇସ୍ତଫାପତ୍ରରେ ସେ ୭ ଥର ରାହୁଲ ଗାନ୍ଧୀଙ୍କ ପ୍ରସଙ୍ଗ ଉଲ୍ଲେଖ କରି ତାଙ୍କ ବିରୋଧରେ ଦରବାରୀ ସଂସ୍କୃତି, ଚାଟୁକାରୀତା ଆଦି ଅଭିଯୋଗ ଆଣିଛନ୍ତି । ଏହି ପତ୍ରରେ ସେ ଦଳର ନେତୃତ୍ୱ ବିରୋଧରେ ବସ୍ତୁତଃ ବିଶୋଦ୍ଗାର କରିଛନ୍ତି । ଅନେକ ଗୁରୁତର ଅଭିଯୋଗ ସେ ଆଣିଛନ୍ତି । ବିଶେଷକରି ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ୍ କରି ଆଜାଦ ଲେଖିଛନ୍ତି ଯେ ବରିଷ୍ଠ ନେତାମାନଙ୍କୁ ରାହୁଲ ଅପମାନିତ କରିଆସୁଛନ୍ତି । ରାହୁଲ ଏକ ରିମୋଟ୍ କଣ୍ଟ୍ରୋଲ୍ ମଡେଲ୍ରେ ଦଳ ଚଳାଉଛନ୍ତି ବୋଲି କହିଛନ୍ତି ଆଜାଦ । ସେ ଲେଖିଛନ୍ତି, ମନମୋହନ ସିଂହ ସରକାର ତରଫରୁ ଅଣାଯାଇଥିବା ଅଧ୍ୟାଦେଶକୁ ରାହୁଲ ଗାନ୍ଧୀ ସାମ୍ବାଦିକମାନଙ୍କ ଉପସ୍ଥିତିରେ ଚିରି ଦେବା ତାଙ୍କ ଅପରିପକ୍ୱତାର ଉଦାହରଣ । ଅଧ୍ୟଦେଶ ଚିରିବା ୨୦୧୪ରେ କଂଗ୍ରେସ ପରାଜୟର ମୁଖ୍ୟ କାରଣ । ରାହୁଲଙ୍କ ପିଲାଳିଆମି ଯୋଗୁ ପ୍ରଧାନମନ୍ତ୍ରୀ ପଦ ଓ ଭାରତ ସରକାରଙ୍କ ଗରିମା କ୍ଷୁଣ୍ଣ ହୋଇଥିଲା । ଏହି ଚିଠିରେ ଆଜାଦ ସୋନିଆ ଗାନ୍ଧୀଙ୍କୁ ଯେଉଁ ପ୍ରଶଂସା କରିଛନ୍ତି ତାହା ବ୍ୟାଜସ୍ତୁତି ସଦୃଶ । ସୀତାରାମ କେଶରୀଙ୍କୁ କିଭଳି ହଟାଇ ସୋନିଆଙ୍କୁ ଦଳର ଅଧ୍ୟକ୍ଷ କରାଗଲା ସେକଥା ସେ ଉଲ୍ଲେଖ କରିଛନ୍ତି । ୧୯୯୮ ଅକ୍ଟୋବରରେ ପଞ୍ଚମଢୀ, ୨୦୦୩ରେ ଶିମଲା ଓ ୨୦୧୩ ଜାନୁଆରୀରେ ଜୟପୁରଠାରେ କଂଗ୍ରେସର ମହାମନ୍ଥନ ବୈଠକ ହୋଇଥିଲା । ଆଜାଦ ଲେଖିଛନ୍ତି, ୨୦୧୩ ଜୟପୁର ମହାଧିବେଶନରେ ସେ ଦଳକୁ ଅଧିକ ଶକ୍ତିଶାଳୀ କରିବା ସହ ୨୦୧୪ ନିର୍ବାଚନ ପାଇଁ ବିସ୍ତୃତ ଆକ୍ସନ ପ୍ଲାନ୍ ଦେଇଥିଲେ । ଏହା ଉପରେ ଗତ ୯ ବର୍ଷ ଭିତରେ କିଛି କରାଯାଇ ନାହିଁ । ‘୨୦୧୩ରୁ ଆପଣଙ୍କୁ ଓ ତକ୍ରାଳୀନ ରାହୁଲ ଗାନ୍ଧୀଙ୍କୁ ଏହିସବୁ ସୁପାରିସ ଲାଗୁ କରିବା ପାଇଁ କହିଆସୁଛି । କିନ୍ତୁ ଲାଗୁ କରିବା ଦୂରକଥା ତା ଉପରେ ବିଚାର ଆଲୋଚନା ଉଦ୍ୟମ ମଧ୍ୟ ହୋଇନାହିଁ । ୨୦୧୪ ପରେ ଆପଣ ଓ ପରେ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସ ଅପମାନଜନକ ଢଙ୍ଗରେ ଦୁଇଟି ଲୋକସଭା ନିର୍ବାଚନ ହାରିଛି । ୨୦୧୪ରୁ ୨୦୨୨ ଭିତରେ ୪୯ ବିଧାନସଭା ନିର୍ବାଚନରୁ ୩୯ରେ କଂଗ୍ରେସକୁ ପରାଜୟ ମିଳିଛି । ଦଳ କେବଳ ୪ଟି ରାଜ୍ୟ ନିର୍ବାଚନରେ ଜିତିଛି ଏବଂ ୬ ରାଜ୍ୟରେ ମେଣ୍ଟ ଜରିଆରେ ସରକାରର ଅଂଶବିଶେଷ ହୋଇପାରିଛି । ଦୁର୍ଭାଗ୍ୟକୁ ଆଜି ମାତ୍ର ଦୁଇଟି ରାଜ୍ୟରେ କଂଗ୍ରେସ ସରକାର ଅଛି ଏବଂ ଅନ୍ୟ ଦୁଇ ରାଜ୍ୟରେ ଜୁନିୟର ପାର୍ଟନର ରୂପେ ମେଣ୍ଟ ଭିତରେ ଅଛି ।