ଆଜିଠୁ ଏସିଆ କପ୍

ଛଅ ଟିମ୍ ମଧ୍ୟରେ ୧୩ ମ୍ୟାଚ୍, ୧୧ରେ ଫାଇନାଲ୍
ଦୁବାଇ, ୨୬ା୮ (ଏଜେନ୍ସି): ଚାରି ବର୍ଷର ଦୀର୍ଘ ବ୍ୟବଧାନ ପରେ ହେବାକୁ ଯାଉଛି ଏସିଆ କପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ । ଅଗଷ୍ଟ ୨୭ ଶନିବାର ଠାରୁ ଆରମ୍ଭ ହୋଇଯିବ ମହାଦେଶୀୟ ମହାଶକ୍ତି ହେବା ପାଇଁ ଲଢ଼େଇ । ଆଫଗାନିସ୍ତାନ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ ଉଦ୍ଘାଟନୀ ମୁକାବିଲା । ତେବେ ଦ୍ୱିତୀୟ ଦିନ ଭାରତ ଓ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମ୍ୟାଚ୍ ଉପରେ ସମସ୍ତଙ୍କ ନଜର । ଫାଇନାଲ୍ ସେପ୍ଟେମ୍ବର ୧୧ରେ ଅନୁଷ୍ଠିତ ହେବ । ରୋଟେସନ୍ ନୀତି ଅନୁଯାୟୀ, ଏହାର ପଞ୍ଚଦଶ ସଂସ୍କରଣ ଟି-୨୦ ଫର୍ମାଟ୍ରେ ଖେଳାଯିବ ।
ୟୁନାଇଟେଡ୍ ଆରବ ଏମିରେଟ୍ସ (ୟୁଏଇ)ରେ ହେବାକୁ ଥିବା ଏସିଆ କପ୍ର ମୁଖ୍ୟ ଇଭେଣ୍ଟରେ ଛଅଟି ଟିମ୍ ଭାଗ ନେବେ । ସେମାନଙ୍କ ମଧ୍ୟରେ ୧୩ ମ୍ୟାଚ୍ ଖେଳାଯିବ । ଗ୍ରୁପ୍-ଏ’ରେ ଭାରତ, ପାକିସ୍ତାନ ଓ ହଂକଂ (କ୍ୱାଲିଫାଇଙ୍ଗ୍ ଟିମ୍) ରହିଥିବା ବେଳେ ଗ୍ରୁପ୍-ବି’ରେ ଶ୍ରୀଲଙ୍କା, ବାଂଲାଦେଶ ଓ ଆଫଗାନିସ୍ତାନ ଟିମ୍ ରହିଛନ୍ତି । ଗ୍ରୁପ୍ ପର୍ଯ୍ୟାୟରେ ପ୍ରତି ଟିମ୍ ଅନ୍ୟ ଟିମ୍ ବିପକ୍ଷରେ ଥରେ ଖେଳିବ । ପ୍ରତି ଗ୍ରୁପ୍ରୁ ଦୁଇ ଶୀର୍ଷ ଟିମ୍ ସୁପର୍-୪ ପର୍ଯ୍ୟୟକୁ ଉନ୍ନୀତ ହେବେ । ସୁପର୍-୪ର ଦୁଇ ଶୀର୍ଷ ଟିମ୍ ମଧ୍ୟରେ ଫାଇନାଲ୍ ଖେଳାଯିବ ।
୧୯୮୪ରେ ଆରମ୍ଭ ହୋଇଥିବା ଏସିଆ କପ୍ରେ ଏ ଯାବତ ୧୪ ସଂସ୍କରଣ ଖେଳାସରିଛି । ଦୁଇ ଥର ଦିନିକିଆ ଓ ଥରେ ଟି-୨୦ ବିଶ୍ୱକପ୍ ବିଜେତା ଭାରତ ଏଥିରେ ସବୁଠାରୁ ସଫଳ ଟିମ୍ ଭାବେ ସର୍ବାଧିକ ସାତ ଥର ମୁକୁଟ ଜିତିଛି । ଶ୍ରୀଲଙ୍କା ପାଞ୍ଚ ଓ ପାକିସ୍ତାନ ଦୁଇ ଥର ବିଜେତା ହୋଇଛି । ବାଂଲାଦେଶ କେବେ ଟ୍ରଫି ଜିତିପାରିନି ।
୨୦୧୬ ଓ ୨୦୧୮ରେ ଖେଳାଯାଇଥିବା ପୂର୍ବ ଦୁଇ ସଂସ୍କରଣରେ ଭାରତ ବିଜେତା ହୋଇଥିଲା । ଟିମ୍ ଇଣ୍ଡିଆ ପାଖରେ କ୍ରମାଗତ ତୃତୀୟ ମୁକୁଟ ଜିତିବାର ସୁଯୋଗ ରହିଛି । ଅନେକ ପୂର୍ବତନ କ୍ରିକେଟର୍ ଏଥର ବି ଭାରତକୁ ତା’ର ସାମର୍ଥ୍ୟ ଦୃଷ୍ଟିରୁ ଫେଭରିଟ୍ ବିବେଚନା କରୁଛନ୍ତି । ତେବେ ଯଦିଓ ଆଘାତ ଜନିତ କାରଣରୁ ପେସର୍ ଯଶପ୍ରୀତ ବୁମ୍ରାଙ୍କ ଟିମ୍ରେ ନାହାନ୍ତି । ଏହାସତ୍ତ୍ୱେ ଟିମ୍ରେ ଦକ୍ଷ ଓ ପ୍ରତିଭାଶାଳୀ ଖେଳାଳିଙ୍କ ଅଭାବ ନାହିଁ । ଅନ୍ୟପଟେ, ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ଼ କରୋନା ସଂକ୍ରମିତ ହୋଇଥିବାରୁ ଏନ୍ସିଏ ମୁଖ୍ୟ ଭିଭିଏସ୍ ଲକ୍ଷ୍ମଣ ଟିମ୍ର ଅନ୍ତରୀଣ କୋଚ୍ ଭାବେ ୟୁଏଇ ଯାଇଛନ୍ତି ।
ଟିମ୍ ଇଣ୍ଡିଆକୁ ଫେଭରିଟ୍ କୁହାଯାଉଥିଲେହେଁ ଗତ କିଛି ବର୍ଷ ହେଲା ପ୍ରଭାବଶାଳୀ ପ୍ରଦର୍ଶନ କରିଆସୁଥିବା ପାକିସ୍ତାନ ରୋହିତ ଶର୍ମାଙ୍କ ଟିମ୍ ପାଇଁ ବଡ଼ ଆହ୍ୱାନ ହୋଇପାରେ । ଶ୍ରୀଲଙ୍କା, ବାଂଲାଦେଶ, ଆଫଗାନିସ୍ତାନ ଭଳି ଟିମ୍ ବି ଖେଳୁଛନ୍ତି । ବାଂଲାଦେଶ ‘ଜ୍ୟାଣ୍ଟ୍ କିଲର୍’ ସାବ୍ୟସ୍ତ ହୋଇପାରେ । ଆଫଗାନିସ୍ତାନ ଟିମ୍ ବି ଟି-୨୦ ଫର୍ମାଟ୍ରେ ଭଲ ଖେଳୁଛି । କିନ୍ତୁ ସେମାନେ କେହି ମୁକୁଟର ଦାବିଦାର ନୁହନ୍ତି ।
୨୮ରେ ଭାରତ-ପାକିସ୍ତାନ ମୁକାବିଲା
୨୮ ତାରିଖରେ ଦୁବାଇ ଠାରେ ହେବାକୁ ଥିବା ଭାରତ-ପାକିସ୍ତାନ ମ୍ୟାଚ୍ ଉପରେ ସମସ୍ତଙ୍କ ନଜର ରହିଛି । ସବୁବେଳେ ଭାରତ-ପାକିସ୍ତାନ ମ୍ୟାଚ୍କୁ ନେଇ ଉକ୍ରଣ୍ଠା ଥାଏ – ତାହା ଦ୍ୱିପାକ୍ଷିକ ଶୃଙ୍ଖଳା ହେଉ ବା ବହୁପାକ୍ଷିକ । ଏହି ମ୍ୟାଚ୍ ପାଇଁ ସମସ୍ତ ଟିକେଟ୍ ବିକ୍ରି ହୋଇସାରିଲାଣି । ଏହି ଦୁଇ ଚିରପ୍ରତିଦ୍ୱନ୍ଦ୍ୱୀ ମଧ୍ୟରେ ଫାଇନାଲ୍ ମ୍ୟାଚ୍ ହେବ ବୋଲି ଅନୁମାନ କରାଯାଉଛି ।
ଏସିଆ କପ୍ ଇତିହାସରେ ଭାରତ ଓ ପାକିସ୍ତାନ ମଧ୍ୟରେ ୧୩ ଥର ମୁକାବିଲା ହୋଇଛି । ଭାରତ ସାତ ମ୍ୟାଚ୍ ଜିତିଥିବା ବେଳେ ପାକିସ୍ତାନ ପାଞ୍ଚ ମ୍ୟାଚ୍ରେ ବିଜୟ ହାସଲ କରିଛି । ଅନ୍ୟ ଏକ ମ୍ୟାଚ୍ର ଫଳାଫଳ ବାହାରିପାରି ନାହିଁ । ତେବେ କୌତୂହଳର ବିଷୟ ହେଉଛି ଯେ ଟୁର୍ଣ୍ଣାମେଣ୍ଟରେ ଏହି ଦୁଇ ଟିମ୍ ମଧ୍ୟରେ କେବେ ଫାଇନାଲ୍ ଖେଳାଯାଇ ନାହିଁ ।
୨୮ ତାରିଖର ଗ୍ରୁପ୍ ମ୍ୟାଚ୍କୁ ନେଇ ଉକ୍ରଣ୍ଠାର ଆଉ ଏକ କାରଣ ରହିଛି । ଏହି ମ୍ୟାଚ୍ ଯେଉଁ ଗ୍ରାଉଣ୍ଡରେ ଖେଳାଯିବ, ସେଠାରେ ଗତ ବର୍ଷ ଟି-୨୦ ବିଶ୍ୱକପ୍ ସମୟରେ ପାକିସ୍ତାନ ଟିମ୍ ଭାରତକୁ ୧୦ ୱିକେଟ୍ରେ ଏକତରଫା ଭାବେ ହରାଇଥିଲା । ଏହା ଏକ ଅପ୍ରତ୍ୟାଶିତ ଫଳାଫଳ ଥିଲା । ବିଶ୍ୱକପ୍ (ଉଭୟ ଦିନିକିଆ ଓ ଟି-୨୦ ଆନ୍ତର୍ଜାତିକ) ଇତିହାସରେ ପାକିସ୍ତାନ ବିପକ୍ଷରେ ଭାରତର ଅପରାଜେୟ ରେକର୍ଡ ଭାଙ୍ଗିଥିଲା । ଏଥର ଭାରତ ପାଖରେ ସେହି ହିସାବ ପରିଶୋଧ କରିବାର ସୁଯୋଗ ରହିବ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *