ପିଲାଙ୍କ ପାଇଁ ନଈକୁ ଡେଇଁଲେ ବାପା
୨ ସନ୍ତାନ ଉଦ୍ଧାର, ୬ ବର୍ଷର ପୁଅ ନିଖୋଜ
ରାୟଗଡ଼ା, ୨୫ା୮(ଆପ୍ର): ସନ୍ତାନଙ୍କ ଉପରେ ବିପଦ ଥିବା ଦେଖିଲେ ଜୀବନକୁ ବାଜି ଲଗାଇଦଅନ୍ତି ବାପା- ମାଆ । ନିଜକୁ ମରଣ ମୁହଁକୁ ଠେଲି ପିଲାଙ୍କୁ ରକ୍ଷା କରିଥାନ୍ତି । ସବୁ ପ୍ରାଣୀଙ୍କ ନିକଟରେ ବାତ୍ସଲ୍ୟ ମମତାର ଅପୂର୍ବ ନିଦର୍ଶନ ଦେଖିବାକୁ ମିଳେ । ଏମିତି ଏକ ଘଟଣା ରାୟଗଡ଼ା ଜିଲ୍ଲାରେ ଗୁରୁବାର ଦିନ ଘଟିଛି । ନାଗାବଳୀର ଝୁଲାପୋଲ ନିକଟରେ ଆନ୍ଧ୍ରରୁ ଆସିଥିବା ଏକ ପରିବାରର ୩ ଛୋଟ ପିଲା ଗାଧୋଇବା ସମୟରେ ପ୍ରଖର ସ୍ରୋତରେ ଭାସି ଯାଇଥିଲେ । ତୁଠରେ ଥିବା ବାପା ଜୀବନକୁ ବାଜି ଲଗାଇ ୨ ପିଲାଙ୍କୁ ବଞ୍ଚାଇଛନ୍ତି । ସାନ ପୁଅ ଭାସିଯାଇଛି ।
ଆନ୍ଧ୍ର ପ୍ରଦେଶ ଏଲୁରରୁ ଗୋପାଳକୃଷ୍ଣ ରାଓଙ୍କ ପରିବାର ସମେତ ପ୍ରାୟ ୧୨ ଜଣ ରାୟଗଡ଼ା ବୁଲିବାକୁ ଆସିଥିଲେ ।
ସେମାନେ ମା’ ମଝିଘରିଆଣୀଙ୍କୁ ଦର୍ଶନ କରିବା ପରେ ଚେକାଗୁଡ଼ାରେ ନାଗାବଳୀରେ ନିର୍ମିତ ଝୁଲାପୋଲ ଦେଖିବାକୁ ଯାଇଥିଲେ । ବୁଲିସାରି ୩ ପିଲାଙ୍କ ସହ ଗୋପାଳ ନଦୀରେ ଗାଧୋଇଥିଲେ । ମାତ୍ର ପ୍ରଖର ସ୍ରୋତରେ ୩ ସନ୍ତାନ ଭାସି ଯାଇଥିଲେ । ଆଖିଆଗରେ ପିଲାମାନଙ୍କୁ ଭାସିଯାଉଥିବା ଦେଖି ଗୋପାଳ ନଦୀକୁ ଡେଇଁ ସୁଅ ମୁହଁରୁ ୨ ସନ୍ତାନଙ୍କୁ ଉଦ୍ଧାର କରିଥିଲେ । କିନ୍ତୁ ୬ ବର୍ଷର ପୁଅ ଅମରେଶକୁ ଉଦ୍ଧାର କରିବା ନିମିତ୍ତ ପ୍ରୟାସ କରିବା ସମୟରେ ଗୋପାଳକୃଷ୍ଣ ସୁଅରେ ଭାସିଯାଇ ଏକ ପଥର ଉପରେ ଫସି ରହିଥିଲେ । ପ୍ରାୟ ଘଣ୍ଟାଏ କାଳ ନଦୀ ମଧ୍ୟରେ ରହିବା ପରେ ଓଡ୍ରାଫ ଟିମ୍ ତାଙ୍କୁ ଉଦ୍ଧାର କରିଥିଲା । ସନ୍ଧ୍ୟା ପର୍ଯ୍ୟନ୍ତ ନିଖୋଜ ପୁଅକୁ ଉଦ୍ଧାର କରିବା ପାଇଁ ଅପରେସନ୍ ଜାରି ରହିଥିଲା ।
ନାଗାବଳୀ ଝୁଲାପୋଲ ନିକଟରେ ନଦୀର ସ୍ରୋତ ପ୍ରଖର ରହୁଥିବା ବେଳେ ତାହାକୁ ଡେଞ୍ଜର ଜୋନ୍ ଘୋଷଣା କରାଯାଇଛି । କିନ୍ତୁ ସେଠାରେ ସୂଚନା ଫଳକ ଲାଗି ନ ଥିବାରୁ ଅନେକ ସମୟରେ ପର୍ଯ୍ୟଟକମାନେ ମୃତ୍ୟୁମୁଖରେ ପଡ଼ୁଛନ୍ତି ।