ସିରିଏଲ୍ କିଲର୍ ଭଳି କାମ କରୁଛି ବିଜେପି

ପୁଣି ବର୍ଷିଲେ କେଜରିୱାଲ୍
ନୂଆଦିଲ୍ଲୀ (ଏଜେନ୍ସି): ଦିଲ୍ଲୀ ମୁୂଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ, ନିରନ୍ତର ଭାବେ ଦିଲ୍ଲୀରେ ତାଙ୍କ ସରକାରକୁ ବିଜେପି ଭାଙ୍ଗିବାକୁ ଚେଷ୍ଟା କରୁଥିବା ଭଳି ସଂଗୀନ ଅଭିଯୋଗ କରୁଥିବା ଦେଖିବାକୁ ମିଳୁଛି । ଶୁକ୍ରବାର କେଜରିୱାଲ ବିଜେପି ଉଦେ୍ଦଶ୍ୟରେ କହିଛନ୍ତି ଯେ, ଏହା ସରକାରଙ୍କ ପାଇଁ ସିରିଏଲ କିଲର ଭଳି କାମ କରୁଛି । ଅଣବିଜେପି ଶାସିତ ରାଜ୍ୟରେ ଥିବା ସରକାରକୁ ଯେକୌଣସି ଉପାୟରେ ଭାଙ୍ଗି ଅର୍ଥାତ୍ ହତ୍ୟା କରି ସେଠାରେ ନିଜେ କିପରି କ୍ଷମତାସୀନ ହୋଇପାରିବ ସେନେଇ ଏହା ନିୟମିତ ଭାବେ କାମ କରୁଛି । ମହାରାଷ୍ଟ୍ରର ଉଦ୍ଧବ ଠାକ୍ରେଙ୍କ ନେତୃତ୍ୱାଧୀନ ମେଣ୍ଟ ସରକାରକୁ ଶେଷ କରିସାରିବା ପରେ ଏବେ ଦିଲ୍ଲୀ ଉପରେ କୁଦୃଷ୍ଟି ପକାଇଛି । ମହାରାଷ୍ଟ୍ରରେ ବିରୋଧୀ ଦଳ ନେତାମାନଙ୍କୁ ପ୍ରଥମେ ଇଡି, ସିବିଆଇ ତଦନ୍ତର ଭୟ ଦେଖାଇ ଯେପରି ସରକାରରେ ସାମିଲ ହେବାକୁ ବାଧ୍ୟ କରିଦିଆଗଲା ଏବେ ଦିଲ୍ଲୀରେ ସେହିପରି କ୍ଷମତାସୀନ ଆପ୍ ସରକାରରେ ଥିବା ବିଧାୟକଙ୍କୁ ଅର୍ଥ ଲୋଭ ସହ ଇଡି/ ସିବିଆଇ/ଆୟକର ତଦନ୍ତର ଭୟ ଦେଖାଯାଉଛି । ଆପ୍ ଛାଡି ସେମାନଙ୍କ ସହ ସାମିଲ ହେବାକୁ ଆପ୍ ବିଧାୟକଙ୍କ ଉପରେ ନିୟମିତ ଭାବେ ଚାପ ପକାଯାଉଛି ।
କେଜରିୱାଲଙ୍କ କହିବାନୁସାରେ ମଣିପୁର, ଗୋଆ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ବିହାର, ଅରୁଣାଚଳ ପ୍ରଦେଶ ଓ ମହାରାଷ୍ଟ୍ରରେ ବିଜେପିର ଅପରେସନ୍ ଲୋଟସ୍ ସଫଳ ହୋଇଥିବାରୁ ଦିଲ୍ଲୀରେ ମଧ୍ୟ ଏହି ପ୍ରଚେଷ୍ଟା କରୁଛି ବିଜେପି । କିନ୍ତୁ ବିଜେପି ଦିଲ୍ଲୀରେ କଦାପି ସଫଳ ହେବ ନାହିଁ । କେଜରିୱାଲ କହିଛନ୍ତି, ବିଜେପି ଗତ କିଛି ବର୍ଷ ମଧ୍ୟରେ ବିଭିନ୍ନ ରାଜ୍ୟରେ ପ୍ରାୟ ୨୭୭ ବିଧାୟକଙ୍କୁ କିଣିସାରିଛି । ଏଥିପାଇଁ ବିଜେପି ଯଦି ବିଧାୟକ ପିଛା ୨ଠ କୋଟି ହିସାବରେ ଖର୍ଚ୍ଚ କରିଥାଏ ତେବେ ବିଜେପି ମୋଟ୍ ୫,୫ଠଠ କୋଟି ଟଙ୍କା ଖର୍ଚ୍ଚ କରିଛି । ବିଜେପି ଏତେ ପଇସା କେଉଁଠୁ ଆସିଲା ବୋଲି କେଜରିୱାଲ ପ୍ରଶ୍ନ କରିଛନ୍ତି । ପ୍ରକାଶ, ନିକଟରେ ଆପ୍ର ୩/୪ ନେତା କେଜରିୱାଲଙ୍କ ବିଧାୟକ ଦଳ ବୈଠକକୁ ଆସିନଥିବା ନେଇ ସୂଚନା ମିଳିଥିଲା । ଏହାପୂର୍ବରୁ ଆପ୍ର ଅନେକ ବିଧାୟକଙ୍କୁ ବିଜେପି ପକ୍ଷରୁ ୨ଠ/୨୫ କୋଟି ଟଙ୍କାର ଲୋଭ ଦେଖାଯାଇଥିବା ନେଇ ନିଜେ ଆପ୍ ଅଭିଯୋଗ ଉଠାଇଥିଲା । ଏହାକୁ ନେଇ ରାଜ୍ୟ ରାଜନୀତି ବେଶ୍ ଚଳଚଞ୍ଚଳ ହୋଇପଡିଛି । ଗୋଟିଏ ପଟେ ଆପ୍ର ଏପ୍ରକାର ଅଭିଯୋଗ ଏବଂ ଅନ୍ୟପଟେ ବିଜେପିର ଏସବୁ ଅଭିଯୋଗକୁ ଖଣ୍ଡନ ପ୍ରକ୍ରିୟା ଜାରି ରହିଛି ।
ଏସବୁ ମଧ୍ୟରେ କେଜରିୱାଲ ଦିଲ୍ଲୀ ବିଧାନସଭାରେ ଆସ୍ଥା ପ୍ରମାଣ ଦେବାକୁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଆସନ୍ତା ୨୯ ଅର୍ଥାତ୍ ସୋମବାର ବିଧାନସଭାରେ କେଜରିୱାଲ ସରକାର ଆସ୍ଥା ଭୋଟ୍ର ସମ୍ମୁଖୀନ ହେବେ । ତେବେ ବିରୋଧୀଙ୍କ ପକ୍ଷରୁ ଏନେଇ ଦାବି କରାଯାଇନଥିବା ସତ୍ତ୍ୱେ ସେ ଦିଲ୍ଲୀବାସୀଙ୍କ ସମ୍ମୁଖରେ ନିଜ ଦଳର କୌଣସି ବିଧାୟକ ଦଳବଦଳ କରିନଥିବା ପ୍ରମାଣ ଦେବାକୁ ଚାହାନ୍ତି ବୋଲି କହିଛନ୍ତି କେଜରିୱାଲ୍ । ଏଥିସହ ସେ ବିଜେପିକୁ ମଧ୍ୟ ଦିଲ୍ଲୀରେ ଆପ୍ ସରକାର ବିରୋଧରେ ହୋଇଥିବା ‘ଅପରେସନ୍ ଲୋଟସ୍ ଫେଲ୍ ମାରିଥିବା’ ସମ୍ପର୍କରେ ସ୍ପଷ୍ଟ ସୂଚନା ଦେବାକୁ ଚାହୁଁଛନ୍ତି । ପ୍ରକାଶ ଦିନକ ପୂର୍ବେ ଆପ୍ ବିଧାୟକ ସୋମନାଥ ଭାରତୀ ମଧ୍ୟ ବିଜେପି ବିରୋଧରେ ଆଉ ଏକ ସଂଗୀନ ଅଭିଯୋଗ ଆଣିଛନ୍ତି । ବିଜେପି ତାଙ୍କ ଦଳର ବିଧାୟକଙ୍କୁ ପ୍ରଥମେ ଅର୍ଥ ଲୋଭ ଦେଖାଇ ବିଫଳ ହେବା ପରେ ଇଡି /ସିବିଆଇ/ ଆୟକର ତଦନ୍ତର ଭୟ ଦେଖାଇଥିଲା । ଏଥିରେ ମଧ୍ୟ ବିଜେପି ବିଫଳ ହୋଇଛି । ସୁତରାଂ ବିଜେପି ଏବେ ଆପ୍ର କିଛି ନେତାମାନଙ୍କୁ ହନିଟ୍ରାପ୍ରେ ଫସାଇବାକୁ ଚେଷ୍ଟା କରୁଛି ବୋଲି ସୋମନାଥ ଭାରତୀ ଦିଲ୍ଲୀ ପୁୂଲିସ୍ ନିକଟରେ ବିଧିବଦ୍ଧ ଅଭିଯୋଗ କରିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *