ପୃଥିବୀ ଠାରୁ ୭ଠ% ବଡ଼ ଗ୍ରହର ସନ୍ଧାନ
ନୂଆଦିଲ୍ଲୀ (ଏଜେନ୍ସି): ଜ୍ୟୋର୍ତିବିଜ୍ଞାନର ଏକ ଆନ୍ତର୍ଜାତୀୟ ଦଳ ପୃଥିବୀ ଠାରୁ ୧ଠଠ ଆଲୋକ ବର୍ଷ ଦୂରରେ ଏକ ନୂତନ ଗ୍ରହର ସନ୍ଧାନ ପାଇଛନ୍ତି । ଏହି ଗ୍ରହର ନାମକରଣ ଟିଓଆଇ-୧୪୫୨ବି ଭାବେ କରାଯାଇଛି । ଏହା ଏକ ଏକ୍ସୋପ୍ଲାନେଟ୍ । ସିଧାସଳଖ କହିଲେ ଆମର ସୌରମଣ୍ଡଳ ବା ସୌର ପ୍ରଣାଳୀ ବାହାରେ ଥିବା ଏକ ଗ୍ରହ । ତେବେ ଏହା ଦୁଇଟି ନକ୍ଷତ୍ରକୁ ପରିକ୍ରମା କରୁଥିବା ଏକ ଗ୍ରହ । ଏହି ଗ୍ରହ ସମ୍ପର୍କରେ ସବୁଠୁ ବିଶେଷ କଥା ହେଉଛି ଅନୁସନ୍ଧାନକାରୀମାନେ ଏହି ଗ୍ରହରେ ଗଭୀର ସମୁଦ୍ର ପାଇଛନ୍ତି, ଯେଉଁ କାରଣରୁ ଏହାକୁ ‘ମହାସାଗର ଗ୍ରହ’ ଭାବେ ବିବେଚନା କରାଯାଉଛି । କାନାଡା ସ୍ଥିତ ମଣ୍ଟି୍ରିଆଲ୍ ବିଶ୍ୱବିଦ୍ୟାଳୟ ପକ୍ଷରୁ କରାଯାଇଥବା ଗବେଷଣାରୁ ଟିଓଆଇ-୧୪୫୨ବି ନାମକ ଏହି ଗ୍ରହ ପୃଥିବୀ ଠାରୁ ପ୍ରାୟ ୭ଠ% ବଡ ଏବଂ ୫ଗୁଣ ଭାରୀ ବୋଲି ଜଣାପଡିଛି । ସେହିପରି ଏହା ପୃଥିବୀ ପରି ପଥୁରିଆ ମଧ୍ୟ ଅଟେ । ତେଣୁ ଏହାକୁ ‘ସୁପର ଆର୍ଥ’ ମଧ୍ୟ କୁହାଯାଇଥାଏ । ଟିଓଆଇ-୧୪୫୨ବିରେ ଥିବା ସମୁଦ୍ରର ଆୟତନ ଏହି ଗ୍ରହର ସମୁଦାୟ ଘନତ୍ୱର ପ୍ରାୟ ୩ଠ% । ପୃଥିବୀ ପୃଷ୍ଠରେ ୭ଠ% ଜଳଭାଗ ରହିଥିବା ବେଳେ ଏହି ଗ୍ରହ ପୃଥିବୀ ତୁଳନାରେ ମାତ୍ର ୧% । ଅନୁସନ୍ଧାନକାରୀଙ୍କ ଅନୁଯାୟୀ, ଏହି ଗ୍ରହ ନକ୍ଷତ୍ରପୁଞ୍ଜ ଠାରୁ ଦୂରରେ ରହିଥିବାରୁ ଏଠାରେ ତାପମାତ୍ରା ଅତ୍ୟଧିକ ଗରମ କିମ୍ବା ଅତ୍ୟଧିକ ଥଣ୍ଡା ନୁହେଁ । ତେଣୁ ଏଠାରେ ତରଳ ଜଳ ପାଇବାର ସମ୍ଭାବନା ରହିଛି । ସୂଚନାଯୋଗ୍ୟ ଏହି ଏକ୍ସପ୍ଲାନେଟ୍ ନାସାର ଟ୍ରାନ୍ସଜିଟ୍ ଏକ୍ସପ୍ଲାନେଟ୍ ସର୍ଭେ ସାଟେଲାଇଟ୍ (ଟେସ୍) ସ୍ପେସ୍ ଟେଲିସ୍କୋପ ଦ୍ୱାରା ଆବିଷ୍କୃତ କରାଯାଇଛି । କିନ୍ତୁ ଏହା ଉପରେ ପରବର୍ତ୍ତୀ ଅନୁଧ୍ୟାନ ଅତ୍ୟନ୍ତ ଶକ୍ତିଶାଳୀ ଟେଲିସ୍କୋପ୍ ଜେମ୍ସ ୱେବ୍ ଟେଲିସ୍କୋପ୍ ଦ୍ୱାରା କରାଯିବ ବୋଲି କୁହାଯାଇଛି ।