କ୍ରମାଗତ ଦୁଇଟି ଅର୍ଥବର୍ଷ ପାଇଁ ୭.୪% ହାରରେ ବଢିବ ଜିଡିପି

ନୂଆଦିଲ୍ଲୀ(ଏଜେନ୍ସି): ଚଳିତ ଆର୍ଥିକ ବର୍ଷ ଏବଂ ଆସନ୍ତା ବର୍ଷ ପାଇଁ ଦେଶର ଜିଡିପି ଅଭିବୃଦ୍ଧି ହାର ସମ୍ପର୍କରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶୁକ୍ରବାର ଏକ ବଡ଼ ସୂଚନା ଦେଇଛନ୍ତି । ସେ କହିଛନ୍ତି, ୨ଠ୨୨-୨୩ ଏବଂ ୨ଠ୨୩-୨୪ ଅର୍ଥବର୍ଷରେ ଦେଶର ଜିଡିପି ୭.୪% ହାରରେ ବୃଦ୍ଧି ପାଇବ । ଏହା ଦେଶର ଅର୍ଥବ୍ୟବସ୍ଥା ପାଇଁ ଏକ ବଡ଼ ଆଶ୍ୱସ୍ତିକର ପ୍ରସଙ୍ଗ । ସୀତାରମଣଙ୍କ କହିବାନୁସାରେ ଦେଶରେ ଦରଦାମ ବୃଦ୍ଧି ଏବଂ ମୁଦ୍ରାସ୍ଫୀତି ହାରକୁ ନେଇ ଦେଶବାସୀଙ୍କ ସହ ଭାରତ ସରକାର ମଧ୍ୟ ବେଶ୍ ଚିନ୍ତିତ ଅଛନ୍ତି । ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ନିୟମିତ ପ୍ରୟାସ କରାଯାଉଛି । ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ (ଆରବିଆଇ) ନିଜ ମୁଦ୍ରା ନୀତିକୁ ସମୀକ୍ଷା କରିବା ସହ ସମୟାନୁକୂଳ ଏଥିରେ ପରିବର୍ତ୍ତନ କରୁଛି । ସୁତରାଂ ଆଗାମୀ ଦିନରେ ସ୍ଥିତିରେ ବେଶ୍ ସୁଧାର ଆସିବାର ସମ୍ଭାବନା ସୃଷ୍ଟି ହୋଇଛି । ଏଫ୍ଇ ବେଷ୍ଟ ବ୍ୟାଙ୍କ୍ ସମ୍ମାନ ସମାରୋହରେ ସାମିଲ ହେବା ଅବସରରେ କେନ୍ଦ୍ର ଅର୍ଥମନ୍ତ୍ରୀ ଏହି ସୂଚନା ଦେଇଛନ୍ତି । ସୀତାରମଣ କହିଛନ୍ତି, ସାମ୍ପ୍ରତିକ ସ୍ଥିତିରେ ବିଶ୍ୱସ୍ତରରେ ସୃଷ୍ଟି ହୋଇଥିବା ଅର୍ଥନୈତିକ ସଂକଟ ମଧ୍ୟରେ ଭାରତର ଅର୍ଥନୀତିକୁ ଗତି ପ୍ରଦାନ କରିବା କିମ୍ବା ସ୍ଥିରତା ପ୍ରଦାନ କରିବା ଏକ ବୃହତ୍ ଚ୍ୟାଲେଞ୍ଜ ସଦୃଶ ହୋଇଛି । ତେବେ ଏପରି ସମୟରେ ପବନକୁ ଆଖିଠାର କରିବା ଭଳି ଅର୍ଥନୀତିକୁ ନେଇ କୌଣସି ପୂର୍ବାନୁମାନ କରିବା ଉଚିତ୍ ନୁହେଁ । ତେବେ ଭାରତର ନିରନ୍ତର ବିକାଶ ହାର ଆଧାରରେ ଆଗାମୀ ଦୁଇଟି ଅର୍ଥବର୍ଷ ପାଇଁ ୭.୪% ହାରରେ ଜିଡିପି ଅଭିବୃଦ୍ଧି ହାର ନେଇ ଆଶା ସଞ୍ଚାର ହୋଇଛି । ସୀତାରମଣ ଏହି ଅବସରରେ ଆଇଏମ୍ଏଫ୍, ବିଶ୍ୱବ୍ୟାଙ୍କ୍ ପକ୍ଷରୁ ଭାରତୀୟ ଅର୍ଥନୀତି ଆଗାମୀ ଦୁଇ ବର୍ଷ ପାଇଁ ଦ୍ରୁତଗତିରେ ବୃଦ୍ଧି ପାଇବା ନେଇ କରିଥିବା ପୂର୍ବାନୁମାନ ସହ ଆର୍ବିଆଇର ପୂର୍ବାନୁମାନ ସମାନ ରହୁଥିବା କହିଛନ୍ତି । ତେବେ ଏହି ସମୟରେ ରପ୍ତାନୀକାରୀ କ୍ଷେତ୍ରରେ କାମ କରୁଥିବା କମ୍ପାନୀଗୁଡ଼ିକ ସାମାନ୍ୟ ସମସ୍ୟାର ସମ୍ମୁଖୀନ ହେବେ ବୋଲି ସୀତାରମଣ ଆଶଙ୍କା ବ୍ୟକ୍ତ କରିଛନ୍ତି । ବିଶ୍ୱ ଅଭିବୃଦ୍ଧି ହାର ସମ୍ପ୍ରତି ଧୀମା ପଡ଼ିଥିବାରୁ ରପ୍ତାନୀ କ୍ଷେତ୍ର କିଛି ମାତ୍ରାରେ ପ୍ରଭାବିତ ହେବ ବୋଲି ସେ କହିଛନ୍ତି । ତେବେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏସମ୍ପର୍କରେ ମଧ୍ୟ ବିଚାର କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି । ଏହି ଅବସରରେ ଭାରତରେ ମାଗଣା ଉପହାର ଦେବା ଭଳି ପ୍ରତିଶ୍ରୁତି ଦେଉଥିବା ରାଜନୈତିକ ଦଳଗୁଡ଼ିକଙ୍କୁ ମଧ୍ୟ ପରୋକ୍ଷରେ ସୀତାରମଣ ଟାର୍ଗେଟ୍ କରିଛନ୍ତି । ସୀତାରମଣ କହିଛନ୍ତି, ଫ୍ରିବିଜ୍ ଉପରେ ଏକ ବ୍ୟାପକ ଡିବେଟ୍ ହେବା ଜରୁରି । କେବଳ ପ୍ରତିଶ୍ରୁତି ଦେଇଦେଲେ ହେବନି, ବରଂ କ୍ଷମତାକୁ ଆସିବା ପରେ ପ୍ରତିଶ୍ରୁତି ପୂରଣ ବାବଦକୁ ହେବାକୁ ଥିବା ଖର୍ଚ୍ଚ ପାଇଁ ମଧ୍ୟ ରାଜନୈତିକ ଦଳଗୁଡ଼ିକ ବଜେଟ୍ରେ ପ୍ରାବଧାନ କରିବା ଜରୁରି । କିନ୍ତୁ ଦେଶର ଅର୍ଥନୀତିକୁ ଯେପରି ଏଥିପାଇଁ କ୍ଷତିଗ୍ରସ୍ତ ହେବାକୁ ନପଡ଼େ ସେଥିପ୍ରତି ସତର୍କ ରହିବାର ଆବଶ୍ୟକତା ରହିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *