ନ୍ୟାୟପାଳିକାକୁ ମିଡିଆରେ ପର୍ଯ୍ୟାପ୍ତ ସ୍ଥାନ ମିଳୁନାହିଁ

ବିଦାୟୀ ସିଜେଆଇଙ୍କ ଖେଦୋକ୍ତି
ନୂଆଦିଲ୍ଲୀ,୨୬ା୮: ସୁପ୍ରିମ୍କୋର୍ଟର ବିଦାୟୀ ପ୍ରଧାନ ବିଚାରପତି (ସିଜେଆଇ) ଏନ୍ ଭି ରମଣା କହିଛନ୍ତି, ନିଜ ସାମ୍ବିଧାନିକ ଜନାଦେଶ ପୂର୍ଣ୍ଣାଙ୍ଗ କରିବା ସତ୍ତ୍ୱେ ନ୍ୟାୟପାଳିକାକୁ ମିଡିଆରେ ପର୍ଯ୍ୟାପ୍ତ ସ୍ଥାନ ମିଳୁନାହିଁ । ଏହି କାରଣରୁ ଲୋକେ ସମ୍ବିଧାନ ସମ୍ପର୍କରେ ଜ୍ଞାନଲାଭରୁ ବଞ୍ଚôତ ହେଉଛନ୍ତି । କାର୍ଯ୍ୟକାଳର ଶେଷ ଦିନ (ଶୁକ୍ରବାର)ରେ ପ୍ରଧାନ ବିଚାରପତିଙ୍କ ଅଧ୍ୟକ୍ଷତାରେ ସେରିମୋନିଆଲ୍ ବେଞ୍ଚ୍ କାର୍ଯ୍ୟକ୍ରମର ଲାଇଭ୍ ଷ୍ଟ୍ରିମିଂ କରାଯାଇଥିଲା । ଏହି ଅବସରରେ ଶୀଘ୍ର ଶୁଣାଣି ପାଇଁ ମୋକଦ୍ଦମା ଗୁଡ଼ିକୁ ସୂଚୀବଦ୍ଧ କରାଇବା ପ୍ରତି ବିଶେଷ ଧ୍ୟାନ ଦେଇପାରି ନ ଥିବାରୁ ସେ କ୍ଷମା ମାଗିଥିଲେ । ସେ କହିଥିଲେ କରୋନା କାରଣରୁ ପୂର୍ଣ୍ଣ ରୂପେ କାର୍ଯ୍ୟ କରିପାରି ନ ଥିଲେ । ସିଜେଆଇ କହିଥିଲେ ଯେ, ନ୍ୟାୟପାଳିକା ସାଧାରଣଜନତାଙ୍କ ଠାରୁ ବହୁଦୂରରେ ବୋଲି ସାଧାରଣରେ ଧାରଣା ରହିଆସିଛି । ଏବେ ବି ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ନ୍ୟାୟିକ ସହାୟତାର ଆବଶ୍ୟକତା ଅଛି । ସେମାନେ କିନ୍ତୁ ଅଦାଲତର ଦ୍ୱାରସ୍ଥ ହେବାକୁ ଭରସି ପାରୁନାହାନ୍ତି । ଶନିବାର ଜଷ୍ଟିସ୍ ୟୁ ୟୁ ଲଳିତ ୪୯ ତମ ସିଜେଆଇ ରୂପେ ଶପଥ ଗ୍ରହଣ କରିବେ । ଶୁକ୍ରବାର ଏକ କାର୍ଯ୍ୟକ୍ରମରେ ଜଷ୍ଟିସ୍ ଲଳିତ କହିଛନ୍ତି ୭୪ ଦିନର କାର୍ଯ୍ୟକାଳ ମଧ୍ୟରେ ସେ ୩ଟି କ୍ଷେତ୍ର ଉପରେ ବିଶେଷ ଧ୍ୟାନ ଦେବେ । ପ୍ରଥମ- ଲିଷ୍ଟିଂକୁ ଯଥାସମ୍ଭବ ସରଳ, ସ୍ପଷ୍ଟ ଓ ପାରଦର୍ଶୀ କରାଯିବ । ଦ୍ୱିତୀୟ- ଯେକୌଣସି ଜରୁରୀ ମାମଲା ସମ୍ବନ୍ଧରେ ଅଦାଲତରେ ସ୍ୱତନ୍ତ୍ର ଭାବେ ଉଲ୍ଲେଖ କରାଯିବା ଭଳି ବ୍ୟବସ୍ଥା ହେବ । ତୃତୀୟ- ବର୍ଷସାରା ଅତିକମ୍ରେ ଗୋଟିଏ ସମ୍ବିଧାନ ପୀଠ କାମ କରିଚାଲିବ ।
ବିଦାୟ ସମାରୋହରେ ବରିଷ୍ଠ ଓକିଲ ଦୁଷ୍ୟନ୍ତ ଦବେ କାନ୍ଦି ପକାଇଥିଲେ । ସେ କହିଥିଲେ, ପ୍ରଧାନ ବିଚାରପତି ରମଣା ଦେଶର ନାଗରିକମାନଙ୍କ ସ୍ୱାର୍ଥ ରକ୍ଷା ପାଇଁ କହି ଆସିଛନ୍ତି ଏବଂ ଦୃଢତାର ସହ ନିଜ କାର୍ଯ୍ୟ ସମ୍ପାଦନ କରିଛନ୍ତି । ନ୍ୟାୟପାଳିକା, କାର୍ଯ୍ୟପାଳିକା ଓ ସଂସଦର ଶକ୍ତି ମଧ୍ୟରେ ସେ ସନ୍ତୁଳନ ରଖିଆସିଛନ୍ତି । ବରିଷ୍ଠ ଆଇନଜୀବୀ କପିଲ ଶିବଲ କହିଥିଲେ, ଅଶାନ୍ତ ସମୟରେ ମଧ୍ୟ ସିଜେଆଇ ରମଣା ସନ୍ତୁଳନ ବଜାୟ ରଖିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *