ରଦ୍ଦ ହେବ ସୋରେନ୍ଙ୍କ ସଦସ୍ୟତା!
ରାଞ୍ଚô, ୨୫ା୮: ନିର୍ବାଚିତ ଜନପ୍ରତିନିଧି ହୋଇ ଲାଭଜନକ ପଦରେ ରହିବା ମାମଲାରେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ଙ୍କ ବିଧାନସଭା ସଦସ୍ୟତା ରଦ୍ଦ ଲାଗି ନିର୍ବାଚନ ଆୟୋଗ (ଇସି) ସୁପାରିସ କରିଛନ୍ତି । ଆୟୋଗଙ୍କ ସୁପାରିଶ ପତ୍ର ଗୁରୁବାର ରାଜଭବନରେ ପହଞ୍ଚôଛି । ପତ୍ରରେ ଉଲି୍ଲଖିତ ବିଷୟ ଆନୁଷ୍ଠାନିକ ଭାବେ ପ୍ରକାଶ କରାଯାଇନଥିଲେ ହେଁ ସୂତ୍ର ଅନୁଯାୟୀ ଆୟୋଗ ଜନ ପ୍ରତିନିଧି ଅଧିନିୟମର ଧାରା ୯ଏ ଅନୁଯାୟୀ ସୋରେନ୍ଙ୍କ ସଦସ୍ୟତା ରଦ୍ଦ ପାଇଁ ସୁପାରିଶ କରିଛନ୍ତି ।
ମୁଖ୍ୟମନ୍ତ୍ରୀ ପଦରେ ଥାଇ ସୋରେନ୍ ଏକ ପଥର ଖଣି ପଟ୍ଟା ନେଇଥିବା ଅଭିଯୋଗ ପ୍ରମାଣିତ ହୋଇଛି । ଏବେ ଇସିଙ୍କ ସୁପାରିସ ଭିତ୍ତିରେ ରାଜ୍ୟପାଳ ରମେଶ ବୈଶ ପଦକ୍ଷେପ ନେବେ । ରାଜ୍ୟପାଳ ଗୁରୁବାର ଅପରାହ୍ନ ୨ଟାବେଳେ ଦିଲ୍ଲୀରୁ ଆସି ରାଞ୍ଚôରେ ପହଞ୍ଚôଛନ୍ତି । ସେ ଆଇନଜ୍ଞମାନଙ୍କ ସହ ପରାମର୍ଶ କରିବା ପରେ ନିଷ୍ପତ୍ତି ନେବେ ।
ଆଇନଜ୍ଞମାନଙ୍କ ମତରେ ସଦସ୍ୟତା ରଦ୍ଦ ହେଲେ ସୋରେନ୍ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ ପୁନର୍ବାର ମୁଖ୍ୟମନ୍ତ୍ରୀ ରୂପେ ଶପଥ ନେଇପାରିବେ । ତେବେ ମୁଖ୍ୟମନ୍ତ୍ରୀ ପଦରେ ରହିବାକୁ ହେଲେ ତାଙ୍କୁ ୬ମାସ ଭିତରେ ଯେକୌଣସି ନିର୍ବାଚନ ମଣ୍ଡଳୀରୁ ଜିତିବାକୁ ହେବ । ଯଦି ତାଙ୍କୁ ପ୍ରାର୍ଥୀ ହେବା ପାଇଁ ଅଯୋଗ୍ୟ ଘୋଷଣା କରାଯାଏ, ସେ କ୍ଷେତ୍ରରେ ସୋରେନ୍ ଦ୍ୱିତୀୟବାର ମୁଖ୍ୟମନ୍ତ୍ରୀ ରୂପେ ଶପଥ ନେଇପାରିବେ ନାହିଁ । ଆଉ ଏକ ବିକଳ୍ପ ହେଉଛି ସୋରେନ୍ ଏହି ମାମଲାରେ ହାଇକୋର୍ଟରେ ଅପିଲ୍ କରିପାରିବେ । ସମ୍ବିଧାନର ଧାରା ୩୨ ସମ୍ବନ୍ଧୀୟ ମାମଲାରେ ସେ ସିଧା ସୁପ୍ରିମ୍କୋର୍ଟରେ ମଧ୍ୟ ଅପିଲ୍ କରିପାରିବେ ।
ସୋରେନ୍ଙ୍କ ବିଧାନସଭା ସଦସ୍ୟତା ରଦ୍ଦ ହେଲେ ଝାଡଖଣ୍ଡରେ ଆସନ୍ତା ୨ଦିନ ମଧ୍ୟରେ ବ୍ୟାପକ ରାଜନୈତିକ ପରିବର୍ତ୍ତନ ଘଟିବା ଅନିବାର୍ଯ୍ୟ । କ୍ଷମତାସୀନ ୟୁପିଏ ସବୁ ବିକଳ୍ପ ଉପରେ ବିଚାର କରି ରଣନୀତି ପ୍ରସ୍ତୁତ କରୁଛି । ତେବେ ସୋରେନ୍ଙ୍କ ଦଳ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍ଏମ୍) ସମଧିକ ବିଚଳିତ ହୋଇପଡ଼ିଛି । ରାଜ୍ୟପାଳଙ୍କ ଫଇସଲା ସୋରେନ୍ଙ୍କ ବିପକ୍ଷରେ ଗଲେ ସୋରେନ୍ଙ୍କ ବିକଳ୍ପ ରୂପେ କାହାଙ୍କୁ ମୁଖ୍ୟମନ୍ତ୍ରୀ ପଦ ପାଇଁ ଚୟନ କରାଯିବ, ସେ ସମ୍ପର୍କରେ ଜେଏମ୍ଏମ୍ ଓ ୟୁପିଏ ଫ୍ଲାଟ୍ଫର୍ମରେ ଅନୌପଚାରିକ ଭାବେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଆଲୋଚନା ହୋଇଛି । ଯେତେ ଦୂର ସମ୍ଭବ ସୋରେନ୍ଙ୍କ ପରିବାରର କୌଣସି ସଦସ୍ୟଙ୍କୁ ମୁଖ୍ୟମନ୍ତ୍ରୀ ରୂପେ ଚୟନ କରାଯିବ । ବିଜେପି କିଛି ଦିନ ପୂର୍ବେ କହିଥିଲା ଯେ ସୋରେନ୍ଙ୍କ ବିକଳ୍ପ ରୂପେ ତାଙ୍କ ପତ୍ନୀ କଳ୍ପନା ସୋରେନ୍ଙ୍କୁ ଚୟନ କରାଯାଇପାରେ । କଳ୍ପନାଙ୍କ ଛଡା ସୋରେନ୍ଙ୍କ ଭାଉଜ ସୀତା ସୋରେନ୍, ପରିବହନ ମନ୍ତ୍ରୀ ଚମ୍ପଇ ସୋରେନ୍, ଅବକାରୀ ମନ୍ତ୍ରୀ ଜଗନ୍ନାଥ ମହୋତ, ହେମନ୍ତଙ୍କ ପିତା ଶିବୁ ସୋରେନ୍ କିମ୍ବା ତାଙ୍କ ମା’ ରୂପୀ ସୋରେନ୍ଙ୍କ ନାମ ମଧ୍ୟ ଉଠିଛି । ମୁଖ୍ୟମନ୍ତ୍ରୀ ପଦ ପାଇଁ କଳ୍ପନା ସୋରେନ୍, ଜୋବା ମାଁଝି ଓ ଚମ୍ପଇ ସୋରେନ୍ଙ୍କ ନାମ ନେଇ କଂଗ୍ରେସ ମଧ୍ୟ ଏପର୍ଯ୍ୟନ୍ତ ଆପତ୍ତି ଉଠାଇନାହିଁ ।
ଇତି ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ ଇସି ରାଜ୍ୟପାଳଙ୍କୁ ଦେଇଥିବା ରିପୋର୍ଟର ବିଷୟବସ୍ତୁ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଅବଗତ କରାଯାଇନାହିଁ । ଅପରପକ୍ଷେ ବିଜେପି ନେତା ନିଶିକାନ୍ତ ଦୁବେ କହିଛନ୍ତି, ମିଡିଆ ମାଧ୍ୟମରେ ଲୋକଙ୍କ ନିକଟରେ ବାର୍ତ୍ତା ପହଞ୍ଚôସାରିଲାଣି ଯେ ହେମନ୍ତ ସୋରେନ୍ଙ୍କ ବିଧାନସଭା ସଦସ୍ୟତା ରଦ୍ଦ ହୋଇଛି । ଏହା ବିଜେପି ପାଇଁ ବଡ ବିଜୟ କାରଣ ବିଜେପି ହିଁ ମୁଖ୍ୟମନ୍ତ୍ରୀଙ୍କ ଭ୍ରଷ୍ଟାଚାର ସମ୍ବନ୍ଧୀୟ ଅଭିଯୋଗ ଆଣିଥିଲା । ସୋରେନ୍ଙ୍କର ଯଦି ସାମନ୍ୟତମ ନୈତିକତା ଥାଏ, ସେ ତୁରନ୍ତ ଇସ୍ତଫା ଦେବା ଉଚିତ୍ ।
ଉଲ୍ଲେଖଯୋଗ୍ୟ ଯେ, ଶିବ ଶଙ୍କର ଶର୍ମା ନାମକ ଜଣେ ଆର୍ଟିଆଇ କାର୍ଯ୍ୟକର୍ତ୍ତା ଝାଡଖଣ୍ଡରେ ଖଣି ଘୋଟାଲାର ସିବିଆଇ ଓ ଇଡି ତଦନ୍ତ ଦାବିରେ ଦୁଇଟି ଜନସ୍ୱାର୍ଥ ମାମଲା ରୁଜୁ କରିଥିଲେ । ସେଥିରେ ସେ ଅଭିଯୋଗ କରିଥିଲେ ଯେ ହେମନ୍ତ ସୋରେନ୍ ପଥର ଖଣି ପଟ୍ଟା ନେବା ପାଇଁ ନିଜ ପଦର ଦୁରୁପଯୋଗ କରିଛନ୍ତି । ଏହାଛଡା ସୋରେନ୍ ପରିବାର ସଦସ୍ୟମାନେ ବିଭିନ୍ନ ଜାଲ୍ କମ୍ପାନୀରେ ବିପୁଳ ଅର୍ଥ ନିବେଶ କରିଛନ୍ତି । ଏହି ଦୁଇ ଜନସ୍ୱାର୍ଥ ମାମଲା ନେଇ ହାଇକୋର୍ଟରେ କାର୍ଯ୍ୟାନୁଷ୍ଠାନ ଉପରେ ସୁପ୍ରିମ୍କୋର୍ଟ ବୁଧବାର ରହିତାଦେଶ ଜାରି କରିଛନ୍ତି ।
୮୧ ଆସନ ବିଶିଷ୍ଟ ବିଧାନସଭାରେ ଜେଏମ୍ଏମ୍ର ଆସନ ସଂଖ୍ୟା ୮୧ ।
‘ମହାଗଠବନ୍ଧନ’ ସରକାରରେ ଜେଏମ୍ଏମ୍ ସହିତ କଂଗ୍ରେସର ୧୭ ଓ ଆର୍ଜେଡିର ଜଣେ ବିଧାୟକ ଅଛନ୍ତି । ମୁଖ୍ୟ ବିରୋଧୀ ଦଳ ବିଜେପିର ବିଧାୟକ ସଂଖ୍ୟା ୨୬ ।
