ଖଟିଆରେ ବୁହା ହେଲେ ରୋଗୀ

ବାରିପଦା (ଆପ୍ର): ମୟୂରଭଞ୍ଜ ଜିଲ୍ଲାରେ ଦେଖିବାକୁ ମିଳିଛି ସ୍ୱାସ୍ଥ୍ୟସେବାର ବିକଳ ଚିତ୍ର । ଖଟିଆରେ ବୁହାହୋଇ ଗଲେ ରୋଗୀ । ଅଧାବାଟରେ ଅଟକିଲା ଆମ୍ବୁଲାନ୍ସ । ଗାଁକୁ ଆମ୍ବୁଲାନ୍ସ ଯାଇ ନ ପାରିବା କାରଣରୁ ରୋଗୀକୁ ଖଟିଆରେ ବୋହି ନଈ ପାରି ହେବାକୁ ପଡ଼ିଲା । ଏଭଳି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲାରେ କୁଳିଅଣା ବ୍ଲକ୍ ଆଣି ସାହି (ପଳାଶବଣି)ରେ ।
ମୟୂରଭଞ୍ଜ ଜିଲ୍ଲା ଏକ ଆଦିବାସୀ ଅଧୁ୍ୟଷିତ ହୋଇଥିବା ବେଳେ ଆଜିବି ଅବହେଳିତ ଅବସ୍ଥାରେ ଅଛନ୍ତି ଲୋକେ । ରୋଗୀକୁ ମେଡିକାଲ୍ ନେବାକୁ ହେଲେ ଖଟିଆ ଭରସା । ଆଣିସାହିର ଦିବାଲ ଚପେୟାର (୪୦) ହଠାତ୍ ଅସୁସ୍ଥ ହେବାରୁ ପରିବାର ଲୋକେ ୧୦୮ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ । ଆମ୍ବୁଲାନ୍ସ ଆସି ଚିପଟ ନାଳ ପାଖରେ ଅଟକି ରହିଥିଲା । ଫଳରେ ପରିବାର ଲୋକେ ଗ୍ରାମବାସୀଙ୍କ ସହାୟତାରେ ଖଟିଆରେ ବୋହି ଚିପଟ ନାଳ ପାର୍ କରି ଆମ୍ବୁଲାନ୍ସ ପାଖକୁ ନେଇଥିଲେ ।
ପ୍ରକାଶଥାଉ, ଉକ୍ତ ଗ୍ରାମଦେଇ ଯାଇଥିବା ଚିପଟ ନାଳ ଉପରେ ଥିବା ହୋମପାଇପ୍ ପୋଲଟି ୨୦୧୩ ମସିହା ଫାଇଲିନ୍ ବନ୍ୟାରେ ଧୋଇ ଯାଇଥିଲା । ଏପର୍ଯ୍ୟନ୍ତ ହୋମ୍ ପାଇପ୍ ତ ଦୂର କଥା ମୋରମ ମୁଠାଏ ପଡ଼ିନି । ଏବର୍ଷ ରାସ୍ତାକାମ କରୁଥିବା ଠିକାଦାର ନିଜ ସୁବିଧା ପାଇଁ ମାଟି ପକାଇଥିଲା । ନାଳ ସେପଟେ ଥିବା ପଇଁତିରିଶରୁ ଚାଳିଶ ପରିବାରର ପିଲାମାନେ ସ୍କୁଲ୍ ପାଇଁ ପଳାଶବଣି ପ୍ରାଥମିକ ବିଦ୍ୟାଳୟ ଓ  ବିବି କଲେଜକୁ ବର୍ଷାଦିନେ ନିଜ ଜୀବନକୁ ବିପଦରେ ପକାଇ ଯାତାୟାତ କରନ୍ତି । ଏହି ପୋଲଦେଇ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ରାସ୍ତାକାମ ବାଇଗଣ ବାଡ଼ିଆରୁ କାଲାଝିନେଇ ଛକ ପର୍ଯ୍ୟନ୍ତ କାମ ଚାଲିଥିଲା । ଲୋକଙ୍କ ଆଶା, ଭରସା ଓ ବିଶ୍ୱାସ ଥିଲା ଯେ ଭାଙ୍ଗି ଯାଇଥିବା ପୋଲ ମଧ୍ୟ ରାସ୍ତା ସହିତ ନୂତନ ପୋଲ ନିର୍ମାଣ ହେବ । ମାତ୍ର ଜେଇଙ୍କୁ ଯୋଗାଯୋଗ କରିବାରେ, ରାସ୍ତା ସହିତ ପୋଲର ବଜେଟ୍ ନାହିଁ । ତେଣୁ ବଜେଟ୍ ହେଲେ ଟେଣ୍ଡର ହୋଇ କାମ ହେବ ବୋଲି କହିଥିଳେ । ନୂତନ ପୋଲ ନିର୍ମାଣ ପାଇଁ ଗ୍ରାମବାସୀଙ୍କ ତରଫରୁ ପୂର୍ବରୁ ପ୍ରଶାସନିକ ଅଧିକାରୀଙ୍କଠାରୁ ନିର୍ବାଚିତ ପ୍ରତିନିଧିଙ୍କୁ ବାରମ୍ବାର ଅବଗତ କରାଯାଇଛି । ହେଲେ କିଛି ସୁଫଳ ମିଳି ନାହିଁ । ରାସ୍ତା ସହିତ ନୂତନ ପୋଲ ନିର୍ମାଣ ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *