ଭିସୁଟ୍କୁ ହଜାରେ କୋଟି ମଞ୍ଜୁର
ଭୁବନେଶ୍ୱର, ୨୫ା୮ (ବୁ୍ୟରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଦେ୍ର୍ଦଶକ୍ରମେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି କେ ପାଣ୍ଡିଆନ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ପ୍ରମୁଖ ସଚିବ ହେମନ୍ତ ଶର୍ମା ଗୁରୁବାର ସମ୍ବଲପୁର ଗସ୍ତ କରିଛନ୍ତି । ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (ଭିସୁଟ୍), ମା’ ସମଲେଶ୍ୱରୀ ମନ୍ଦିର ଓ ଅନ୍ୟାନ୍ୟ ରୂପାନ୍ତର କାର୍ଯ୍ୟର ଅଗ୍ରଗତିର ସମୀକ୍ଷା କରିଥିଲେ । ଭିସୁଟ୍ ରାଜ୍ୟର ଏକ ଅଗ୍ରଣୀ ଇଞ୍ଜିନିୟରିଂ କଲେଜ୍ ଏବଂ ସାରା ଦେଶରେ ଏହାର ସୁଖ୍ୟାତି ରହିଛି । ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର, ୫-ଟି ସଚିବ ଶ୍ରୀ ପାଣ୍ଡିଆନ ଭିସୁଟ୍ ଯାଇ ବିଶ୍ୱବିଦ୍ୟାଳୟର ଏକାଡେମିକ୍ ବ୍ଲକ୍ରେ ଥିବା ଶ୍ରେଣୀ ଗୃହ ଓ ପରୀକ୍ଷାଗାର, ବିଶ୍ୱେଶ୍ୱରାୟା ଅଡିଟୋରିଅମ୍ ଆଦି ପରିଦର୍ଶନ କରି ବିଶ୍ୱବିଦ୍ୟାଳୟର କୁଳପତି, ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ସହ ସେମାନଙ୍କ ସମସ୍ୟା, ମିଳୁଥିବା ସୁବିଧା ତଥା ଭବିଷ୍ୟତ ବିକାଶ ଯୋଜନା ସମ୍ପର୍କରେ ଆଲୋଚନା କରିଛନ୍ତି ।
ଦେଶରେ ଟେକ୍ନିକାଲ ଏଜୁକେସନ୍ କ୍ଷେତ୍ରରେ ଭିସୁଟ୍ର ଗୁରୁତ୍ୱକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଏହାକୁ ଇଞ୍ଜିନିୟରିଂ ଶିକ୍ଷା କ୍ଷେତ୍ରରେ ଏକ ଉକ୍ରର୍ଷ କେନ୍ଦ୍ର ଭାବରେ ବିକଶିତ କରାଯିବ ଓ ଏଥିପାଇଁ ଏକ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରାଯିବ ଏବଂ ଆଗାମୀ ୧୫ ଦିନ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଉପସ୍ଥାପିତ କରାଯିବ । ଛାତ୍ର, ଶିକ୍ଷକ, ଶିଳ୍ପ ଜଗତ, ପୁରାତନ ଛାତ୍ରଛାତ୍ରୀ ତଥା ସ୍ଥାନୀୟ ପ୍ରଶାସନ ସହିତ ବ୍ୟାପକ ଆଲୋଚନା କରାଯାଇ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରାଯିବ ।
ଦେଶର ଉକ୍ରର୍ଷ ଶିକ୍ଷା କେନ୍ଦ୍ର ଭାବେ ଭିସୁଟ୍କୁ ନିର୍ମାଣ କରାଯିବା ସହ ଦେଶର ଆଇଆଇଟି ଓ ଏନ୍ଆଇଟି ଭଳି ଭିସୁଟ୍ରେ ସୁବିଧା ଉପଲବ୍ଧ କରାଯିବ ବୋଲି ଏହି ଅବସରରେ ପ୍ରକାଶ ପାଇଛି ।
ଭିସୁଟ୍ର ଛାତ୍ରଛାତ୍ରୀମାନେ ସେମାନେ କରିଥିବା ପ୍ରୋଜେକ୍ଟ ସବୁ ଏହି ଅବସରରେ ଉପସ୍ଥାପନ କରିଥିଲେ । ୫ଟି ସଚିବ ଶ୍ରୀ ପାଣ୍ଡିଆନ ଏଗୁଡିକୁ ଉଚ୍ଚ ପ୍ରଶଂସା କରିବା ସହିତ ଇଣ୍ଡଷ୍ଟ୍ରି ଲିଙ୍କଏଜ୍ ଉପରେ ଗୁରୁତ୍ୱ ଦେଇଥିଲେ । ପରେ ସେମାନେ ବଇଜାମୁଣ୍ଡାଠାରେ ଚାଲିଥିବା ସମନ୍ୱିତ ଭିତ୍ତିଭୂମି ପ୍ରକଳ୍ପ ପ୍ରଦର୍ଶନ କରି ସେ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ ଏବଂ ଭିକାରୀ ଥଇଥାନ କେନ୍ଦ୍ରର ଅନ୍ତେବାସୀଙ୍କ ସହ ଆଲୋଚନା କରିଥିଲେ । ଏହି ସମନ୍ୱିତ ପ୍ରକଳ୍ପର ଅଗ୍ରଗତିରେ ମୁଖ୍ୟ ଶାସନ ସଚିବ ଓ ୫ଟି ସଚିବ ସନ୍ତୋଷ ପ୍ରକାଶ କରିବା ସହ ସମସ୍ତ ସେବା ଯେପରି ସୁବିଧାରେ ମିଳିପାରିବ ସେଥିପାଇଁ ସମୟବଦ୍ଧ କାର୍ଯ୍ୟସୂଚୀ ଗ୍ରହଣ କରିବା ପାଇଁ ପରାମର୍ଶ ଦେଇଥିଲେ ।
ମୁଖ୍ୟ ଶାସନ ସଚିବ ଓ ବରିଷ୍ଠ ଅଧିକାରୀମାନେ ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ ହୋଇଥିବା ଲେଡି ଲୁଇସ୍ ଗର୍ଲସ ହାଇସ୍କୁଲ ପରିଦର୍ଶନ କରି ଶିକ୍ଷକ, ଛାତ୍ରୀ ଏବଂ ଆଲୁମୁନିଙ୍କ ସହ ରୂପାନ୍ତର କାର୍ଯ୍ୟକ୍ରମର ପ୍ରଭାବ ବିଷୟରେ ଆଲୋଚନା କରିଥିଲେ । ସମଲେଶ୍ୱରୀ ମନ୍ଦିର ପଶ୍ଚିମ ଓଡିଶାର ଆଧ୍ୟତ୍ମିକ ପ୍ରାଣକେନ୍ଦ୍ର । ମୁଖ୍ୟମନ୍ତ୍ରୀଙ୍କ ନିଦେ୍ର୍ଦଶକ୍ରମେ ୫-ଟି ରୂପାନ୍ତର କାର୍ଯ୍ୟକ୍ରମରେ ସମଲେଶ୍ୱରୀ ମନ୍ଦିରର ପାରିପାଶ୍ୱିର୍କ ବିକାଶ ସମଲେଇ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି । ଏହି କାର୍ଯ୍ୟକ୍ରମର ଅଗ୍ରଗତି ସମ୍ପର୍କରେ ମୁଖ୍ୟ ଶାସନ ସଚିବ ଓ ୫ଟି ସଚିବ ସେବାୟତ ଓ ଜନସାଧରଣଙ୍କ ମତାମତ ନେଇଥିଲେ । ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ଓବିସିସି କର୍ତ୍ତୃପକ୍ଷ ମୁଖ୍ୟ ଶାସନ ସଚିବ ଓ ୫ଟି ସଚିବଙ୍କୁ ଅବଗତ କରାଇଥିଲେ । ପ୍ରକଳ୍ପ ଅଧିନସ୍ଥ ସମସ୍ତ କାର୍ଯ୍ୟ ତ୍ୱରାନ୍ୱିତ କରି ଶୀଘ୍ର ସମ୍ପୂର୍ଣ୍ଣ କରିବା ପାଇଁ ୫ଟି ସଚିବ ନିଦେ୍ର୍ଦଶ ଦେଇଥିଲେ । ବରିଷ୍ଠ ଅଧିକାରୀମାନେ ପ୍ରଥମେ ମା’ ସମଲେଶ୍ୱରୀଙ୍କ ମନ୍ଦିରକୁ ଯାଇ ମା’ଙ୍କର ପୂଜା ଅର୍ଚ୍ଚନା କରିଥିଲେ ।
