ଲକ୍ଷ୍ୟଙ୍କୁ ହରାଇ କ୍ୱାର୍ଟରରେ ପ୍ରଣୟ

ବିଡବ୍ଲୁ୍ୟଏଫ୍ ବିଶ୍ୱ ଚାମ୍ପିଅନ୍ସିପ୍ସ
ଟୋକିଓ, ୨୫ା୮ (ଏଜେନ୍ସି): ଭାରତର ଏଚ୍ଏସ୍ ପ୍ରଣୟ ଗୁରୁବାର ରାଜ୍ୟଗୋଷ୍ଠୀ ବିଜେତା ନିଜ ଦେଶର ଲକ୍ଷ୍ୟ ସେନ୍ଙ୍କୁ ହରାଇ ବିଡବ୍ଲୁ୍ୟଏଫ୍ ବିଶ୍ୱ ଚାମ୍ପିଅନ୍ସିପ୍ସର ପୁରୁଷ ଏକକ କ୍ୱାର୍ଟର୍ଫାଇନାଲ୍ରେ ପ୍ରବେଶ କରିଛନ୍ତି । ସାତ୍ତ୍ୱିକ ସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟି ଏବଂ ଧ୍ରୁବ କପିଳା ଓ ଏମ୍ଆର୍ ଅର୍ଜୁନଙ୍କ ଭାରତୀୟ ପୁରୁଷ ଯୁଗଳ ଯୋଡ଼ି ମଧ୍ୟ ପ୍ରଭାବଶାଳୀ ପ୍ରଦର୍ଶନ ବଜାୟ ରଖି ଅନ୍ତିମ-୮ରେ ସ୍ଥାନ ପାଇଛନ୍ତି । ତେବେ ମହିଳା ଏକକରେ ଅଲିମ୍ପିକ୍ କାଂସ୍ୟ ପଦକ ବିଜୟିନୀ ସାଇନା ନେହୱାଲ୍ଙ୍କ ଅଭିଯାନ ଶେଷ ହୋଇଛି ।
ଲକ୍ଷ୍ୟ ଓ ପ୍ରଣୟଙ୍କ ମଧ୍ୟରେ ଏକ ଘଣ୍ଟା ୧୫ ମିନିଟ୍ ଧରି ସଂଘର୍ଷପୂର୍ଣ୍ଣ ମୁକାବିଲା ଦେଖିବାକୁ ମିଳିଥିଲା । ଶେଷରେ ବରିଷ୍ଠ ପ୍ରଣୟ ୧୭-୨୧, ୨୧-୧୬, ୨୧-୧୭ରେ ବିଜୟ ହାସଲ କରିଥିଲେ । ଉଭୟଙ୍କ ମଧ୍ୟରେ ଜୟ-ପରାଜୟ ରେକର୍ଡ ୨-୨ ରହିଛି । ପ୍ରଣୟ ପରବର୍ତ୍ତୀ ରାଉଣ୍ଡରେ ଚୀନ୍ର ଝାଓ ଜୁନ୍ ପେଙ୍ଗ୍ଙ୍କୁ ଭେଟିବେ ।
୩୨ବର୍ଷୀୟା ସାଇନା ପ୍ରି-କ୍ୱାର୍ଟର୍ଫାଇନାଲ୍ରେ ଥାଇଲାଣ୍ଡର ବୁସାନନ୍ ଓଙ୍ଗବାମରୁଙ୍ଗଫାନ୍ଙ୍କ ବିପକ୍ଷରେ କଠିନ ଲଢ଼େଇ ସତ୍ତ୍ୱେ ୧୭-୨୧, ୨୧-୧୬, ୧୩-୨୧ରେ ହାରି ଯାଇଥିଲେ । ଥାଇ ଖେଳାଳି ଏଥିସହ ସାଇନାଙ୍କ ବିପକ୍ଷ ଜୟ-ପରାଜୟ ରେକର୍ଡକୁ ୫-୩ରେ ପହଞ୍ଚାଇଛନ୍ତି ।
ପ୍ରଥମ ଗେମ୍ର ଆଦ୍ୟଭାଗରେ ସାଇନା ୩-୧୧ରେ ପଛୁଆ ରହି ଚାପଗ୍ରସ୍ତ ହୋଇଯାଇଥିଲେ । ଦୁଇ ଥର ବିଶ୍ୱ ଚାମ୍ପିଅନ୍ସିପ୍ ପଦକଧାରିଣୀ କିନ୍ତୁ ମ୍ୟାଚ୍ ଆଗକୁ ବଢ଼ିବା ସହିତ ବ୍ୟବଧାନକୁ ୧୭-୧୯କୁ ହ୍ରାସ କରିଥିଲେ । କିନ୍ତୁ ଗେମ୍ ବଞ୍ଚାଇ ପାରି ନ ଥିଲେ ।
ତେବେ ଦ୍ୱିତୀୟ ଗେମ୍ରେ ସେ ପ୍ରତ୍ୟାବର୍ତ୍ତନ କରିଥିଲେ ଏବଂ ବିରତି ସୁଦ୍ଧା ୧୧-୭ରେ ଆଗରେ ଥିଲେ । ଆକ୍ରମଣାତ୍ମକ ପ୍ରଦର୍ଶନ କରି ସେ ମ୍ୟାଚ୍କୁ ନିର୍ଣ୍ଣାୟକ ଗେମ୍କୁ ନେଇଯାଇଥିଲେ । ତୃତୀୟ ଗେମ୍ରେ ମଧ୍ୟାନ୍ତର ଯାଏଁ ସବୁ ଠିକ୍ଠାକ୍ ଥିଲା, ହେଲେ ଏହାପରେ ଥାଇ ଖେଳାଳି ପାଞ୍ଚ ପଏଣ୍ଟ ବ୍ୟବଧାନ ସୃଷ୍ଟି କରିଥିଲେ ଏବଂ ଗେମ୍ ତଥା ମ୍ୟାଚ୍ ଛଡ଼ାଇ ନେଇଥିଲେ । ୨୬ବର୍ଷୀୟା ବୁସାନନ୍ ଏହି ଭାରତୀୟଙ୍କ ବିପକ୍ଷରେ ଶେଷ ପାଞ୍ଚ ମ୍ୟାଚ୍ ଜିତିଛନ୍ତି ।
ଅର୍ଜୁନ ଓ କପିଳାଙ୍କ ଅନ୍ସିଡ୍ ଯୋଡ଼ି ପ୍ରି-କ୍ୱାର୍ଟର୍ ମ୍ୟାଚ୍ ଜିତିବାକୁ ୫୮ ମିନିଟ୍ ସମୟ ନେଇଥିଲେ । ସେମାନେ ସିଙ୍ଗାପୁରର ଟେରୀ ହୀ’ ଓ ଲୋହ କୀନ୍ ହୀନ୍ଙ୍କୁ ୧୮-୨୧, ୨୧-୧୫, ୨୧-୧୬ରେ ହରାଇଥିଲେ । ଏହି ଯୋଡ଼ି ପୂର୍ବ ରାଉଣ୍ଡରେ ଅଷ୍ଟମ ସିଡ୍ ଡେନ୍ମାର୍କର କିମ୍ ଅସ୍ତ୍ରୁପ ଓ ଆଣ୍ଡର୍ସ ସ୍କାରପ ରାସମୁସେନ୍ଙ୍କୁ ମାତ୍ ଦେଇଥିଲେ । ସେମାନେ ଅନ୍ତିମ-୮ରେ ତୃତୀୟ ସିଡ୍ ଇଣ୍ଡୋନେସିଆର ମହମ୍ମଦ ଆହସାନ ଓ ହେନ୍ଦ୍ରା ସେଟିଆୱାନ୍ଙ୍କୁ ଭେଟିବେ ।
ଅନ୍ୟପଟେ, ସାତ୍ତ୍ୱିକ ଓ ଚିରାଗଙ୍କ ଯୋଡ଼ି ଜେପ୍ପା ବେ’ ଓ ଲାସି ମୋଲହିଦିଙ୍କ ଡେନିଶ୍ ଯୋଡ଼ିକୁ ୨୧-୧୨, ୨୧-୧୦ରେ ପରାଜିତ କରିଥିଲେ । ଏହି ମ୍ୟାଚ୍ ୩୫ ମିନିଟ୍ରେ ଶେଷ ହୋଇଥିଲା । ସେମାନେ କ୍ୱାର୍ଟରରେ ଦ୍ୱିତୀୟ ସିଡ୍ ଜାପାନ୍ର ତାକୁରୋ ହୋକି ଓ ୟୁଗୋ କୋବାୟାଶୀଙ୍କ ଯୋଡ଼ିର ଆହ୍ୱାନର ସମ୍ମୁଖୀନ ହେବେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *